ବିରଳ ବ୍ଲଡ ଗ୍ରୁପ । ଓଡ଼ିଶାରେ ୭,୫୦୦ ଜଣଙ୍କ ମଧ୍ୟରୁ ଜଣଙ୍କ ପାଖରେ ଥାଏ ଏଭଳି ବ୍ଲଡ ଗ୍ରୁପ ।

1,226

କନକ ବ୍ୟୁରୋ : ରକ୍ତଦାନ ଓ ରକ୍ତ ଗ୍ରୁପ ସଂପର୍କରେ ଆପଣ ଅନେକ କିଛି ଜାଣିଥିବେ । କିନ୍ତୁ ଆମେ ଆପଣଙ୍କୁ ଏମିତି ଏକ ବ୍ଲଡ ଗ୍ରୁପ ବିଷୟରେ ଯାହା ବିଷୟରେ ବୋଧହୁଏ ଆପଣ କେବେ ଶୁଣିନଥିବେ କି ଜାଣିନଥିବେ । ଆଉ ଏହି ବିରଳ ବ୍ଲଡ ଗ୍ରୁପ ହେଉଛି ବମ୍ବେ ଗ୍ରୁପ । ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଗଂଜାମ ଜିଲ୍ଲାର ପାତ୍ରପୁର ବ୍ଲକ ଅଂଚଳର ନାରାୟଣ ରଇତଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ମେଡିକାଲରେ ଭର୍ତି ହୋଇଥିଲେ । ତେବେ ଅପରେସନ ପରେ କନ୍ୟା ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଗୁରୁତର ହୋଇପଡିଥିଲେ ନାରାୟଣଙ୍କ ପତ୍ନୀ ସବିତା । ତାଙ୍କ ପାଇଁ ରକ୍ତଭଣ୍ଡାରରୁ ରକ୍ତ ଖୋଜିବାରୁ ଜଣାପଡିଲା ଯେ ତାଙ୍କୁ ଏକ ବିରଳ ରକ୍ତ ଗ୍ରୁପର ରକ୍ତ ଆବଶ୍ୟକ । ଏହାର ନାଁ ବମ୍ବେ ବ୍ଲଡ ଗ୍ରୁପ ଏବଂ ବହୁ ଖୋଜାଖୋଜି ପରେ ରାଉରକେଲାର ଦିଲ୍ଲୀପ ବାରିକଙ୍କ ଏହି ସମାନ ବ୍ଲଡ ଗ୍ରୁପ ଥିବା ଜଣାପଡିଲା ଏବଂ ସେ ସୁଦୂର ରାଉରକେଲାରୁ ବ୍ରହ୍ମପୁର ଆସି ରକ୍ତଦାନ କରି ସବିତା ରଇତଙ୍କ ଜୀବନ ବଂଚାଇଛନ୍ତି ।

୧୯୫୨ ମସିହାରେ ତକ୍ରାଳୀନ ବମ୍ବେରେ ଡାକ୍ତର ୱାଇ ଏମ ଭେଣ୍ଡେ ପ୍ରଥମେ ଏକ ଭିନ୍ନ ଧରଣର ରକ୍ତ ଠାବ କରିଥିଲେ । ଏହା ସାଧାରଣ ପରୀକ୍ଷାରେ ଓ ବ୍ଲଡ ଗ୍ରୁପ ପରି ମନେ ହେଲେ ମଧ୍ୟ ତାହା କ୍ରସମ୍ୟାଚିଂରେ ଏହା ତାଠାରୁ ଅଲଗା ବୋଲି ଜଣାପଡିଥିଲା । ତେଣୁ ଏହାକୁ ବମ୍ବେ ବ୍ଲଡ ଗ୍ରୁପ ବା ଏଚଏଚ ବ୍ଲଡ୍ ଗ୍ରୁପ ବୋଲି କୁହାଯାଏ । ତେବେ ହିସାବ ଅନୁସାରେ ଏହା ବେଶ୍ ବିରଳ ରକ୍ତ ଗ୍ରୁପ୍ । ଓଡିଶାରେ ପ୍ରାୟ ୭ ହଜାର ୫ଶହରେ ଜଣେ ଏପରି ରକ୍ତଧାରୀ ଥିବା କୁହାଯାଉଛି ।

ତେବେ ଏଭଳି ବିରଳ ବ୍ଲଡଗ୍ରୁପ ଥିବା ଲୋକଙ୍କ ସହ ନିୟମିତ ଭାବେ ଯୋଗାଯୋଗରେ ରହିଥାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ । ଯାହାଦ୍ୱାରା ଜରୁରୀକାଳୀନ ସମୟରେ ସେମାନଙ୍କ ଠାରୁ ରକ୍ତ ସଂଗ୍ରହ କରାଯାଇ ଅନ୍ୟ ଲୋକଙ୍କର ଜୀବନ ବଞ୍ଚାଇ ଯାଇପାରିବ । ଆଉ ଏବେ ଏମାନଙ୍କ ସହ ଯୋଗାଯୋଗରେ ରହିବା ପାଇଁ ସୋସିଆଲ ମିଡିଆ ସବୁଠୁ ବଡ ପ୍ଲାଟଫର୍ମ ପାଲଟିଛି ।