ଥଣ୍ଡାରେ ମଙ୍ଗଳ ଗ୍ରହକୁ ଟପିଯିବ ପୃଥିବୀ ! ଆମେରିକାରେ ଭୟଙ୍କର ତୁଷାରପାତକୁ ନେଇ ସାଂଘାତିକ ସ୍ଥିତି

46

ଆମେରିକାରେ ପ୍ରବଳ ଶୀତ ପ୍ରବାହ ଯୋଗୁଁ ତୁଷାରପାତ ହେତୁ ଏପର୍ଯ୍ୟନ୍ତ ଅନେକଙ୍କ ମୃତ୍ୟୁ ହୋଇସାରିଲାଣି । ଥଣ୍ଡା ପ୍ରବାହର ଏଭଳି କରାଳ ରୂପ ଯୋଗୁଁ ଅନେକ ରାଜ୍ୟରେ ଇମରଜେନ୍ସି ଘୋଷଣା କରାଯାଇଛି । ସେହିଭଳି ଆମେରିକାର କିଛି ସ୍ଥାନରେ ମଙ୍ଗଳ ଗ୍ରହଠାରୁ ମଧ୍ୟ ଅଧିକ ଥଣ୍ଡା ଅନୁଭୂତ ହେବ ବୋଲି ଜାତୀୟ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ୧୩୩ବର୍ଷ ପରେ ଆମେରିକାରେ ଏଭଳି ଥଣ୍ଡା ଅନୁଭୂତ ହୋଇଛି । ଏପରି ପରିସ୍ଥିତି“ବମ୍ ସାଇକ୍ଲୋନ”କାରଣରୁ ଅନୁଭୂତ ହେଉଥିବା ଅନୁମାନ କରାଯାଉଛି । ଏହି ମହାବାତ୍ୟା କାରଣରୁ ଆମେରିକାର ଅନେକ ସ୍ଥାନରେ ୦ ଡିଗ୍ରୀ ସେଲସିୟସ ତାପମାତ୍ରା ତଳକୁ ଖସିଛି । ଏଭଳି ଶୀତ ପ୍ରବାହ ଯୋଗୁଁ ଜର୍ଜିଆ ଏବଂ କାଲିଫର୍ନିଆର ଝରଣା ଏବଂ ପର୍ବତ ବରଫାଚ୍ଛନ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଅଧିକ ବରଫ ଆଚ୍ଛାଦିତ ଉତ୍ତର ତଟକୁ ଲାଗିଥିବା ଜର୍ଜିଆ ଏବଂ କେରୋଲିନା ଅଟେ । ଏହି ବାତ୍ୟା ନ୍ୟୁ ଇଂଲଣ୍ଡକୁ ମୁହାଇଛି । ଏଠାରେ ୬ରୁ ୧୨ଇଂଚ ପର୍ଯ୍ୟନ୍ତ ବରଫ ପଡିବାର ଅନୁମାନ କରାଯାଉଛି । ନାଏଗ୍ରା ହ୍ରଦ ସମେତ ଅନେକାଂଶ ହ୍ରଦ ସଂପୂର୍ଣ୍ଣ ବରଫ ପାଲଟିଗଲାଣି । ଏହିଭଳି ଟେକ୍ସାସ ଠାରୁ କାନାଡା ପର୍ଯ୍ୟନ୍ତ ବହୁଥିବା ଥଣ୍ଡା ପବନ ଲୋକଙ୍କର ଚିନ୍ତାର ବିଷୟ ପାଲଟିଛି । ଚଳିତ ସପ୍ତାହର ଶେଷରେ ଦକ୍ଷିଣ-ପୂର୍ବ ଆମେରିକାର କିଛି ଭାଗରେ ତାପମାତ୍ରା ମଙ୍ଗଳ ଗ୍ରହଠାରୁ କମ ରହିବ ବୋଲି ନ୍ୟୂ ହେମ୍ପଶାୟରର ମାଉଂଟ ୱାଶିଙ୍ଗଟନ ରକ୍ଷଣାବେକ୍ଷଣା କରୁଥିବା ବୈଜ୍ଞାନିକ ଟେଲର ରିଗନ ସିଏନଏନକୁ ତଥ୍ୟ ପ୍ରଦାନ କରିଛନ୍ତି । ଅର୍ଥାତ ଧରାପୃଷ୍ଠର ଏକ ଅଂଶ ପ୍ରଥମ ଥର ଲାଗି ମଙ୍ଗଳଗ୍ରହ ଠାରୁ ମଧ୍ୟ ଅଧିକ ଥଣ୍ଡା ରହିବ । ଏହି ଭାଗରେ ତାପମାତ୍ରା -୩୫ଡିଗ୍ରୀରୁ ମଧ୍ୟ କମ ରହିବି ।

ଏକ ଗଣମାଧ୍ୟମ ତଥ୍ୟ ଅନୁସାରେ, ଆମେରିକାରେ ବରଫ ତୋଫାନ ଆଶଙ୍କାକୁୁ ନଜରରେ ରଖି ଗୁରୁବାର ଥିବା ୨୭୦୦ଟି ବିମାନକୁ ରଦ୍ଧ କରାଯାଇଛି । ସରକାର ଆଡଭାଇଜର ଜାରି କରି ଲୋକମାନଙ୍କୁ ଘରେ ରହିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଫ୍ଲୋରିଡାର ୱାଟର ପାର୍କରେ ସଂପୂର୍ଣ୍ଣ ମାତ୍ରାରେ ବରଫ ଜମି ଯିବାର ଖବର ମଧ୍ୟ ଶୁଣିବାକୁ ମିଳୁଛି । ‘ବମ୍ ସାଇକ୍ଲୋନ’ କେବଳ ଆମେରିକାରେ ନୁହେଁ ବ୍ରିଟେନର ପଶ୍ଚିମ ଭାଗରେ ଏବଂ ଆୟରଲ୍ୟାଣ୍ଡରେ ବି ପ୍ରଭାବ ପକାଇଛି । ବ୍ରିଟେନର ପାଣିପାଗ ବିଭାଗ ମଧ୍ୟ ବରଫ ତୋଫାନର ଆଶଙ୍କା ଥିବା ଦର୍ଶାଇଛନ୍ତି ।

(ସୌଜନ୍ୟ-ଆଜତକ୍ )