ଅମାନିଆ ମନ ! ପ୍ରକୃତ ପ୍ରେମ ସନ୍ଧାନରେ ବାରମ୍ବାର ଜୀବନସାଥୀ ବଦଳାଇଥିବା କିଛି ବଲିଉଡ୍ ତାରକା

36

ବଲିଉଡରେ ଅନେକ ଷ୍ଟାର୍ ଅଛନ୍ତି ଯେଉଁମାନେ ପ୍ରକୃତ ପ୍ରେମ ପାଇବା ପାଇଁ ପ୍ରେମିକା ବଦଳାଇଥାନ୍ତି । ହେଲେ କିଛି ଷ୍ଟାର୍ ଅଛନ୍ତି ଯିଏ ପ୍ରକୃତ ସାଥୀର ସନ୍ଧାନରେ ବାରମ୍ବାର ଜୀବନସାଥୀ ବଦଳାଇଥାନ୍ତି । ଏବେ ଜାଣନ୍ତୁ ସେମିତି କିଛି ଲୋକପ୍ରିୟ ସେଲିବ୍ରିଟିଙ୍କ ଉପରେ ଯେଉଁମାନେ ଭଲ ଜୀବନସାଥୀ ପାଇବା ଆଶାରେ ୨ କିମ୍ବା ୩ ନୁହେଁ ବରଂ ତାଠାରୁ ଅଧିକ ବିବାହ କରିଛନ୍ତି ।

ବିଧୁ ବିନୋଦ ଚୋପ୍ରା : ସୁପରହିଟ୍ ସିନେମା ‘ଥ୍ରୀ ଇଡିଅଟସ୍’ର ନିର୍ମାତା ବିଧୁ ବିନୋଦ ଚୋପ୍ରାଙ୍କୁ ଭଲ ଜୀବନସାଥୀ ଟିଏ ପାଇବା ପାଇଁ ଅନେକ ବିବାହ କରିବାକୁ ପଡିଛି । ବିଧୁ ପ୍ରଥମେ ରେଣୁ ସଲୁଜାଙ୍କୁ ବିବାହ କରିଥିଲେ ଯିଏ କି ଜଣେ ଏଡିଟର୍ ଥିଲେ । କିନ୍ତୁ ଉଭୟଙ୍କ ଏହି ବିବାହ ସଫଳ ହୋଇନଥିଲା । ରେଣୁଙ୍କ ପରେ ବିଧୁ ଶବନମ୍ ସୁଖଦେବଙ୍କ ସହ ବିବାହ କରିଥିଲେ । ହେଲେ ଏ ସଂପର୍କ ମଧ୍ୟ ବେଶି ଦିନ ତିଷ୍ଠି ପାରି ନଥିଲା । ଶବନମଙ୍କ ପରେ ସେ ଅନୁପମା ଚୋପଡାଙ୍କୁ ବିବାହ କଲେ ଯିଏ କି ଜଣେ ଜଣାଶୁଣା ଫିଲ୍ମ ସମୀକ୍ଷକ ।

ସଂଜୟ ଦତ୍ତ : ଦତ୍ତ ପରିବାର ଏହି ସନ୍ତାନ ସବୁବେଳେ ବିବାଦ ଘେରରେ ରହି ଆସିଛନ୍ତି । ତେବେ ସଂଜୟ ସିନେମା କ୍ୟାରିୟର୍ ପାଇଁ ଯେତିକି ବିବାଦରେ ରହିଛନ୍ତି ତାଠାରୁ ଅଧିକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବିବାଦରେ ଅଛନ୍ତି । ମୁନ୍ନା ଭାଇ ୩ ଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।ସଂଜୟ ପ୍ରଥମ ପତ୍ନୀ ଥିଲେ ରିଚା ଶର୍ମା ଯିଏ କି ଜଣେ ଅଭିନେତ୍ରୀ ଥିଲେ । ତେବେ ବ୍ରେନ୍ ଟ୍ୟୁମର୍ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା । ତାପରେ ସଂଜୟ ରିୟା ପଲ୍ଲାଇଙ୍କ ହାତ ଧରିଥିଲେ । ହେଲେ ଏ ସଂପର୍କ ବେଶୀ ଦିନ ଚାଲି ନଥିଲା । ରିୟାଙ୍କ ପରେ ସଂଜୟ ୨୦୦୮ରେ ମାନ୍ୟତାଙ୍କ ବିବାହ କରିଥିଲେ ।

କିଶୋର୍ କୁମାର୍ : ବଲିଉଡର ଲୋକପ୍ରିୟ ଗାୟକ କିଶୋର୍ କୁମାରଙ୍କ ବିଷୟରେ ସମସ୍ତେ ଜାଣନ୍ତି । କିଶୋର୍ କୁମାର ୪ଥର ବିବାହ କରିଛନ୍ତି । ତାଙ୍କର ପ୍ରଥମ ବିବାହ ବେଙ୍ଗଲୀ ଗାୟିକା ତଥା ଅଭିନେତ୍ରୀ ରୁମା ଗୁହାଙ୍କ ସହ ହୋଇଥିଲା । ତାପରେ କିଶୋର କୁମାର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ପ୍ରେମରେ ପଡିଥିଲେ । ହେଲେ ମଧୁବାଲା ଖୁବ୍ ଦୁନିଆଁ ଛାଡି ଚାଲି ଯାଇଥିଲେ । ପରେ ଯୋଗିତା ବାଲିଙ୍ଗୁ ବିବାହ କରିଥିଲେ କିଶୋର କୁମାର୍ । ତେବେ ଏ ସଂପର୍କ ଅସଫଳ ହେବା ପରେ କିଶୋର୍ କୁମାର୍, ଲୀନା ଚନ୍ଦାବରକରଙ୍କୁ ବିବାହ କରିଥିଲେ ।

ସିଦ୍ଧାର୍ଥ ରୟ କପୁର : ସିନେମା ପ୍ରଯୋଜକ ସିଦ୍ଧାର୍ଥ ରୟ କପୁର୍ ମଧ୍ୟ ପ୍ରକୃତ ଜୀବନସାଥୀ ପାଇବା ପାଇଁ ୩ ଥର ବିବାହ କରିଥିଲେ । ବର୍ତ୍ତମାନ ସିଦ୍ଧାର୍ଥ ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ବିବାହ କରିଛନ୍ତି । ହେଲେ ବିଦ୍ୟାଙ୍କ ପୂର୍ବରୁ ସିଦ୍ଧାର୍ଥଙ୍କର ଦୁଇ ଜଣ ପତ୍ନୀ ଥିଲେ । ପ୍ରଥମେ ସେ ନିଜ ପିଲାବେଳ ସାଙ୍ଗ ଆରତୀ ବଜାଜଙ୍କୁ ବିବାହ କରିଥିଲେ । ହେଲେ ଏହି ସଂପର୍କ ଭାଙ୍ଗି ଯିବା ପରେ ସେ ଟିଭି ପ୍ରଯୋଜକ କବିତାଙ୍କୁ ବିବାହ କଲେ । କିନ୍ତୁ ଏ ବିବାହ ଖୁବ୍ ଶୀଘ୍ର ଭାଙ୍ଗି ଯାଇଥିଲା । ତାପରେ ସିଦ୍ଧାର୍ଥଙ୍କ ସାକ୍ଷାତ ବିଦ୍ୟାଙ୍କ ସହ ହୋଇଥିଲା । ଉଭୟ ୨୦୧୨ରେ ବିବାହ କରିଛନ୍ତି ।

ଲକି ଅଲ୍ଲୀ : ଗାୟକ ଲକି ଅଲ୍ଲୀ ମଧ୍ୟ ତିନି ଥର ବିବାହ କରିଛନ୍ତି । ଲକି ପ୍ରଥମେ ଜେନ୍ କ୍ଲୋରୀ ଏବଂ ପରେ ଇନାୟାଙ୍କୁ ବିବାହ କରିଥିଲେ ।ଏସବୁ ସଂପର୍କ ଭାଙ୍ଗିବା ପରେ ବ୍ରିଟିଶର ଜଣ ମଡେଲଙ୍କୁ ବିବାହ କରିଛନ୍ତି ।

ଅଦନାନ୍ ସାମୀ : ନିକଟରେ ଭାରତୀୟ ନାଗରିକତା ପାଇଥିବା ପାକିସ୍ତାନୀ ଗାୟକ ଅଦନାନ୍ ସାମୀ ୩ ଥର ବିବାହ କରି ସାରିଛନ୍ତି । ଅଦନାନ୍ ପ୍ରଥମ ବିବାହ ସିନେମା ‘ହୀନା’ର ଲିଡ୍ ନାୟିକା ଜେବା ବଖତିୟାରଙ୍କୁ କରିଥିଲେ । ଜେବାଙ୍କ ସହ ସଂପର୍କ ଭାଙ୍ଗିବା ପରେ ଅଦନାନ୍ ଦୁବାଇର ସବାହ ଗଲାଦେରୀଙ୍କୁ ବିବାହ କଲେ ଯାହା ଖୁବ୍ ଶୀଘ୍ର ଭାଙ୍ଗି ଯାଇଥିଲା । ଶେଷରେ ଅଦନାନ୍ , ରୋୟା ଫରୟାବୀଙ୍କୁ ବିବାହ କରିଥିଲେ ଯାହା ଆଜି ଯାଏ ଅଛି ।