କାଦର ଖାନଙ୍କ ବିୟୋଗରେ ବଲିଉଡରେ ଶୋକର ଛାୟା ! ଟ୍ୱିଟ୍ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ।

190

କନକ ବ୍ୟୁରୋ : ବଲିଉଡରେ ପ୍ରସିଦ୍ଧ ଅଭିନେତା ତଥା ସଂଳାପକାର କାଦରଖାନଙ୍କ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । କାନାଡାର ଏକ ହସପିଟାଲରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । କାଦରଙ୍କ ପୁଅ ସରଫରାଜ ଖାନ ତାଙ୍କ ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି । କାନାଡାରେ ତାଙ୍କର ଅନ୍ତିମ ସଂସ୍କାର ହେବ ।

କାଦରଖାନଙ୍କ ବିୟୋଗରେ ପୁରା ବଲିଉଡରେ ଖେଳିଯାଇଛି ଶୋକର ଛାୟା । ଅଭିନେତା, ଅଭିନେତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ ଏବଂ ଅନେକ ପ୍ରଯୋଜକ ମଧ୍ୟ କାଦର ଖାନଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ୱିଟ କରି କାଦର ଖାନଙ୍କ ଆତ୍ମାର ସଦଗତି କାମନା କରିଛନ୍ତି । ଅନେକ ବିଶିଷ୍ଟ ରାଜନେତାମାନେ ମଧ୍ୟ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

କାଦର ଖାନ ୩ ଶହରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ । ସେ ଜଣେ ଭଲ ସଂଳାପକାର ବି ଥିଲେ । ଶନିବାରଦିନ ରାତିରେ କାରଙ୍କ ପରଲୋକ ହୋଇଯାଇଛି ବୋଲି ଖବର ଆସିଥିଲେ ବି ଏହା ଗୁଜବ ବୋଲି ଜଣାପଡିଥିଲା । ତେବେ ଆଜି ତାଙ୍କର ପରଲୋକ ହୋଇଛି ବୋଲି ତାଙ୍କ ପୁଅ ସ୍ପଷ୍ଟ କରିଛନ୍ତି । ଶ୍ୱାସ-ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ । କାଦର ଖାନ ୮୦ ଓ ନବେ ଦଶକରେ ଅନେକ ହିଟ ଫିଲ୍ମରେ ଅଭିନୟ କରିଥିଲେ । ଗୋବିନ୍ଦାଙ୍କ ସହ ତାଙ୍କ ଯୋଡି ବେଶ ଜମିଥିଲା ।