ବିଶ୍ୱ ଦେଖିବ କଶ୍ମୀର କଥା ! ଆସନ୍ତା ବର୍ଷ ସ୍ୱାଧିନତା ଦିବସରେ ପରଦାକୁ ଆସିବ କଶ୍ମୀର ଉପରେ ଅଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ।

540

କନକ ବ୍ୟୁରୋ: ପରଦାକୁ ଆସିବ କାଶ୍ମୀର କଥା । ସିନେମା ମାଧ୍ୟମରେ ସାରା ବିଶ୍ୱ ଦେଖିବ ମୋଦି ସରକାରଙ୍କ ସବୁଠାରୁ ବଡ଼ ସଫଳତା । କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପଛର ପୂରା ଘଟଣାକୁ ସିନେମା ମାଧ୍ୟମରେ ଦେଖିବାକୁ ପାଇବେ ଦର୍ଶକ । ଆସନ୍ତା ବର୍ଷ ସ୍ୱାଧିନତା ଦିବସ ଅବସରରେ ପରଦାକୁ ଆସିବ କଶ୍ମୀର କାହାଣୀ । ଆଉ କାଶ୍ମୀରକୁ ନେଇ ଫିଲ୍ମ ନିର୍ମାଣ କରିବେ ବଲିଉଡ଼ ଜଗତର ଡାଇନାମିକ୍ ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

ଦୀର୍ଘ ୭୦ ବର୍ଷ ପରେ କଶ୍ମୀରବାସୀଙ୍କୁ ମିଳିଥିବା ସ୍ୱାଧିନତାର ସତ କାହାଣୀକୁ ଆପଣମାନେ ଫିଲ୍ମ ମାଧ୍ୟମରେ ଦେଖିବାକୁ ପାଇବେ! ଏହି ଫିଲ୍ମର ଟାଇଟେଲ ରହିଛି ‘ଦ କଶ୍ମୀର ଫାଇଲ୍ସ’ । ତେବେ ଏନେଇ ଖୋଦ୍ ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ୱିଟ୍ କରି ଜଣାଇଛନ୍ତି । ଆସନ୍ତା ବର୍ଷ ସ୍ୱାଧିନତା ଦିବସ ଅବସରରେ ଏହା ପରଦାକୁ ଆସିବ ବୋଲି ଟ୍ୱିଟ୍ ଜରିଆରେ କହିଛନ୍ତି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ।

ସବୁଠାରୁ ବଡ଼କଥା ହେଲା କି, ସିନେମାରେ ଦେଖିବାକୁ ମିଳିବ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପୂର୍ବ ଓ ପରର ପୂରା ଘଟଣାକ୍ରମ । କିଭଳି ଧାରା ୩୭୦ରେ ଦୀର୍ଘ ୭୦ ବର୍ଷ ଧରି କଲବଲ ହେଉଥିଲେ କଶ୍ମୀରବାସୀ, ତାହାର କାଳ୍ପନିକ ଦୃଶ୍ୟ ସିଲଭର ସ୍କ୍ରିନରେ ଦେଖିବାକୁ ପାଇବେ ଦର୍ଶକ । ଚଳିତ ବର୍ଷ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ ତାଶକେଂଟ ଫାଇଲ୍ସ’ ପରଦାକୁ ଆସିଥିଲା । ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଷଡ଼ଯାନ୍ତ୍ରିକ ହତ୍ୟା କାହାଣୀର ଘଟଣାକ୍ରମ ଦେଖିବାକୁ ମିଳିଥିଲା । ଯାହାକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ, ତେବେ ବର୍ତ୍ତମାନ କଶ୍ମୀରକୁ ନେଇ ନିର୍ମାଣ ହେବାକୁଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଦର୍ଶକ ।