ଲୋକପ୍ରିୟ ଅଭିନେତ୍ରୀ ଫରିଦା ଜଲାଲ ମୃତ ! ସୋସିଆଲ ମିଡିଆରେ ଏହି ଗୁଜବକୁ ନେଇ ଚର୍ଚ୍ଚା

26

ସୂଚନା ମୁତାବକ, ମନୋରଂଜନ ଜଗତରେ ତଥା ବିଭିନ୍ନ ସିନେମା ଓ ଧାରାବାହିକରେ ଅଭିନୟ କରିଆସୁଥିବା ବରିଷ୍ଠା ଅଭିନେତ୍ରୀ ଫରିଦା ଜଲାଲଙ୍କ ମୃତ୍ୟୁ ଘଟିଛି ବୋଲି ଗୁଜବ ଉଠିଛି । ଯାହାକୁ ନେଇ ବ୍ୟସ୍ତବିବ୍ରତ ହୋଇପଡିଛି ସଂପୂର୍ଣ୍ଣ ସିନେ ଜଗତ । କାରଣ ବଡ ପରଦାରୁ ଆରମ୍ଭ କରି ଛୋଟ ପରଦା ଯାଏଁ ଫରିଦା ନିଜର ଚମତ୍କାର ଅଭିନୟ ପ୍ରତିଭା ଜରିଆରେ ସମସ୍ତଙ୍କୁ ଆକୃଷ୍ଟ କରିପାରିଛନ୍ତି । ତେବେ ଏହି ମୃତ୍ୟୁ ଖବରଟିକୁ ଖଣ୍ଡନ କରି ନିଜେ ଫରିଦା କହିଛନ୍ତି କି, ‘ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି , ମୁଁ ଜାଣି ପାରୁ ନାହିଁ କିଏ ଏଭଳି ଖବର ପ୍ରଚାର କରିଛି । ପ୍ରଥମେ ତ ଏ ଖବର ଶୁଣି ମତେ ବହୁତ ହସ ଲାଗିଥିଲା ମାତ୍ର ଏହାପରେ ମୋ ପାଖକୁ ଆରମ୍ଭ ହୋଇଯାଇଥିଲା ମୋ ପ୍ରିୟ ପରିଜନଙ୍କ ଫୋନ ସମସ୍ତଙ୍କ ମୁହଁରେ ଖାଲି ସେ ଗୋଟିଏ କଥା । ତେବେ ଏହି ଖବରଟି ସଂପୂର୍ଣ୍ଣ ମିଛ ।’

ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ପୂର୍ବରୁ ମଧ୍ୟ ବଲିଉଡ ଜଗତର ବହୁ ଷ୍ଟାର ମାନଙ୍କ ମିଛ ମୃତ୍ୟୁ କଥା ଗୁଜବ ଉଠିଥିଲା । ସୁପରଷ୍ଟାର ଅମିତାଭ ବଚ୍ଚନ, ଦିଲ୍ଲୀପ କୁମାର, କାଦର ଖାନଙ୍କଠାରୁ ଆରମ୍ଭ କରି ଗାୟକ ହନୀ ସିଂ ମଧ୍ୟ ଏହି ଗୁଜବର ଶିକାର ହୋଇସାରିଛନ୍ତି । ଆଉ ଏବେ ପାଳି ପଡିଛି ଫରିଦା ଜଲାଲଙ୍କ । ତେବେ ଏଠାରେ ଆମେ କହି ରଖୁଛୁ କି ଦୀର୍ଘ ଦିନର ବ୍ୟବଧାନ ପରେ ଫରିଦା ଖୁବ୍ ଶୀଘ୍ର ନଜର ଆସିବେ ଇମରାନ୍ ଖାନଙ୍କ ଅଭିନିତ ସିନେମା ‘ସରଗୋସିୟା’ ରେ । ଯେଉଁଥିରେ ତାଙ୍କୁ ଜଣେ କାଶ୍ମୀର ମହିଳା ଭୂମିକାରେ ଦେଖିବାକୁ ମିଳିବ ।