ବଲିଉଡ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ! ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ଦୁବାଇରେ ମୃତ୍ୟୁ

53

କନକ ବ୍ୟୁରୋ: ବଲିଉଡ୍ ସୁନ୍ଦରୀ ଶ୍ରୀଦେବୀଙ୍କର ଦେହାନ୍ତ ହୋଇଯାଇଛି । ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ ଶ୍ରୀଦେବୀଙ୍କର ୫୪ ବର୍ଷରେ ଦେହାନ୍ତ ହୋଇ ଯାଇଛି । ଦୁବାଇରେ ଏକ ବିବାହ ଭୋଜି ଯୋଗ ଦେବାକୁ ଯାଇଥିବା ଅବସରରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହି ସମୟରେ ତାଙ୍କ ସହ ପତି ବୋନି କାପୁର ଓ ସାନ ଝିଅ ଖୁସୀ ଥିବା ଜଣାପଡିଛି । ଶ୍ରୀଦେବୀଙ୍କ ମୃତ୍ୟୁ ଖବର ସମଗ୍ର ବଲିଉଡ୍କୁ ସ୍ତବ୍ଧ କରିଦେଇଛି । ମୃତ୍ୟୁ ଖବର ପାଇବା ପରେ ମୁମ୍ବାଇ ସ୍ଥିତ ତାଙ୍କ ଅନେ୍ଧରୀ ବାସଭବନ ବାହାରେ ଲୋକଙ୍କର ଭିଡ ଲାଗିରହିଛି ।ଆଜି ତାଙ୍କ ମରଶରୀରକୁ ମୁମ୍ବାଇ ଅଣାଯିବ ବୋଲି ସୂଚନା ମିଳିଛି ।

ବଲିଉଡ୍ ଦିଭା ଶ୍ରୀଦେବୀ ଖୁଦାଗୱା, ମିଷ୍ଟର ଇଣ୍ଡିଆ, ଚାନ୍ଦିନୀ, ହିମତବାଲା ଭଳି ଅନେକ ସୁପରହିଟ୍ ଫିଲ୍ମରେ ଦମଦାର ଅଭିନୟ କରି ଖ୍ୟାତି ଛାଡିଯାଇଛନ୍ତି । ସେ ହିନ୍ଦୀ ସିନେମା ସହ ତେଲଗୁ, ମାଲୟାଲମ ଓ କନଡ ଫିଲ୍ମରେ ଅଭିନୟର କରିଥିଲେ । ଫିଲ୍ମ ଜଗତ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୧୩ ମସିହାରେ ପଦ୍ମଶ୍ରୀ ସମ୍ମାନରେସମ୍ମାନୀତ କରାଯାଇଥିଲା । ୧୯୯୬ ମସିହାରେ ସେ ବୋନି କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେ ତାମିଲନାଡୁର ଶିବକାଶିରେ ୧୯୬୫ ମସିହା ଅଗଷ୍ଟ ୧୩ରେ ଜନ୍ମଲାଭ କରିଥିଲେ । ଶ୍ରୀଦେବୀ ପିଲାଟି ବେଳରୁ ଅଭିନୟ କରିବା ଆରମ୍ଭ କରିଦେଇଥିଲେ । ମାତ୍ର ୪ ବର୍ଷ ବୟସରେ ତାମିଲ ଫିଲ୍ମ ‘ତୁନାଇଭାନ’ରେ ମୁରଗା ଚରିତ୍ରରେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।

୧୯୭୫ରେ ହିନ୍ଦି ସିନେମା ଜୁଲିରେ ପ୍ରଥମେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ ।ତାପରେ ବଲିଉଡକୁ ଦେଇ ଚାଲିଥିଲେ ଗୋଟିକ ପରେ ଗୋଟିଏ ସୁପରହିଟ୍ ଫିଲ୍ମ । ୧୯୯୭ ମସିହାରେ ବଲିଉଡ ଫିଲ୍ମ ‘ଜୁଦାଇ’ ପରେ ଶ୍ରୀଦେବୀ ୧୫ ବର୍ଷ ବଲିଉଡ ପରଦାରୁ ୧୫ ବର୍ଷ ଗାଏବ ରହିଥିଲେ । ୨୦୧୨ ମସିହାରେ ‘ଇଂଲିଶ ବିଙ୍ଗଲିଶ’ ଫିଲ୍ମ ଜରିଆଲେ ପୁଣି ବଲିଉଡକୁ ସେ କମବ୍ୟାକ କରିିଥିଲେ । ଏହି ଫିଲ୍ମ ସୁପରହିଟ ହୋଇଥିଲା । ୨୦୧୭ରେ ଶ୍ରୀଦେବୀଙ୍କ ‘ମମ’ ମୁଭି ରିଲିଜ ହୋଇଥିଲା । ଏହାଥିଲା ରୁପ କି ରାନୀ ଶ୍ରୀଦେବୀଙ୍କ ୩ଶହ ତମ ଫିଲ୍ମ । ତାଙ୍କ ସୁନ୍ଦର ଆଖି ସାଙ୍ଗକୁ ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତଙ୍କୁ ମତୁଆଲା କରୁଥିଲେ ।

ଶ୍ରୀଦେବୀଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଜୀବନ୍ତ ଅଭିନୟକୁ ପ୍ରଶଂସା କରି ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ମୋଦି । ଏଥିସହ ଶ୍ରୀଦେବୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।  ସେହିପରି ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି । ଶ୍ରୀଦେବୀଙ୍କ ଏକ ସଂଳାପକୁ ଟ୍ୱିଟ୍ କରି ପ୍ରିୟଙ୍କା ଲେଖିଛନ୍ତି, ଏହା ଏକ କଳା ଦିନ, ଦୁଃଖକୁ ପ୍ରକାଶ କରିବା ପାଇଁ ଶବ୍ଦ ନାହିଁ । ସେହିପରି ଭାଗ୍ୟଶ୍ରୀ ଟ୍ୱିଟ କରି ଲେକିଛନ୍ତି ଶ୍ରୀଦେବୀଙ୍କ ଦେହାନ୍ତ ଖବର ଶୁଣି ସେ ସ୍ତବ୍ଧ ହୋଇଯାଇଛନ୍ତି ।