ଆଜି ଶ୍ରାବଣ ମାସର ପ୍ରଥମ ସୋମବାର : ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଲମ୍ବା ଲାଇନ୍

38

କନକ ବ୍ୟୁରୋ : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର, ବିଭିନ୍ନ ଶୈବାଳୟରେ କାଉଡିଆଙ୍କ ଲମ୍ବା ଲାଇନ୍ । ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରା ପରିବେଶ । ଧବଳେଶ୍ୱରରେ ୫ ହଜାରରୁ ଅଧିକ କାଉଡିଆ ଆଜି ଜଳାଭିଷେକ କରିଛନ୍ତି । ବଡି ଭୋରରୁ ଧାଡିରେ ଠିଆ ହୋଇ ମହାଦେବଙ୍କ ଉପରେ ଜଳଲାଗି କରିଛନ୍ତି । ପ୍ରଥମେ ପୂଜକ ବାବା ଧବଳେଶ୍ୱରଙ୍କର ସ୍ନାନ କରାଇ ବଡଶୃଙ୍ଗାର ବେଶ କରିବା ପରେ ଜଳଲାଗି କରିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି । ସେହିଭଳି ଭୁବନେଶ୍ୱର ଏକାମ୍ର କ୍ଷେତ୍ର ଶ୍ରୀଲିଙ୍ଗରାଜ ସମେତ ରାଜ୍ୟର ବିଭିନ୍ନ ଶୈବପୀଠରେ ଜଳ ଲାଗି କରିବାକୁ କାଉଡିଆଙ୍କ ଭିଡ ଜମିଛି । ବିଭିନ୍ନ ନଦୀରୁ ଜଳ ଧରି ଶ୍ରଦ୍ଧାଳୁ ମାନେ ଦୀର୍ଘ ବାଟ ଅତିକ୍ରାନ୍ତ କରି ବାବାଙ୍କ ନିକଟରେ ପହଂଚିଛନ୍ତି ।

ଶ୍ରାବଣ ମାସରେ ଶିବଲିଙ୍ଗରେ ପାଣି ଢାଳିରେ ପୂଣ୍ୟ ଲାଭ ହୁଏ ଏବଂ ସମସ୍ତ ଦୁଃଖକଷ୍ଟ ଦୂର ହୁଏ ବୋଲି ବିଶ୍ୱାସ ରହିଛି । ଶ୍ରୀଲିଙ୍ଗରାଜ ପୀଠରେ ହଜାର ହଜାର କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ସେମାନଙ୍କ ସୁରକ୍ଷା ସମେତ ଜଳ ଲାଗିକୁ ଶୃଙ୍ଖଳିତ କରିବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ୯ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।