ମଦ ବିରୋଧରେ ତାତିଲେ ମହିଳା ! ବଲାଙ୍ଗିରରେ ମଦଭାଟି ଭଙ୍ଗା ସହ ରାସ୍ତା ବନ୍ଦ

27

କନକ ବ୍ୟୁରୋ : ମଦକୁ ବିରୋଧ କରି ମଦ ଭାଟି ଭାଙ୍ଗିଲେ ଶତାଧିକ ମହିଳା । ବଲାଙ୍ଗିର ଜିଲ୍ଲା ଝାଙ୍କଡପାଲି ପଂଚାୟତ କୁଟୁମଡୁଲା ଗାଁର ମହିଳାମାନେ ମଦ ବିରୋଧରେ ତାତି ଏପରି ପଦକ୍ଷେପ ନେଇଛନ୍ତି । ଗାଁ ନିକଟରେ ଥିବା ମଦଭାଟିରେ ଉତ୍ୟକ୍ତ ମହିଳା ଭଙ୍ଗାରୁଜା କରିଛନ୍ତି । ଏହାପରେ ମଦଭାଟି ବନ୍ଦ ଦାବିରେ ରାସ୍ତାରୋକ କରିଛନ୍ତି ।

ଉତ୍ୟକ୍ତ ମହିଳା ବଲାଙ୍ଗିର-ପାଟଣାଗଡ ମୁଖ୍ୟରାସ୍ତା ଅବରୋଧ କରିଥିବା ବେଳେ ଘଟଣାସ୍ଥଳକୁ ଜିଲ୍ଲାପାଳ ନଆସିବା ଯାଏଁ ରାସ୍ତାରୋକ ହଟିବ ନାହିଁ ବୋଲି ତେଚାବନୀ ଦେଇଛନ୍ତି । କେବଳ କୁଟୁମଡୁଲା ନୁହେଁ ଏହାର ଆଖପାଖ ଅଂଚଳରୁ ମଧ୍ୟ ମଦ ଦୋକାନ ହଟେଇବା ପାଇଁ ଦାବି ଜୋର୍ ଧରିଛି । ଗାଁରେ ମଦ ଦୋକାନ ଖୋଲିବାରୁ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ପିଲାଙ୍କ ଯାଏଁ ସମସ୍ତେ ମଦ ପିଇ ଘରେ ଅଶାନ୍ତି ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । ଏମିତିକି ଝିଅ ବୋହୂ ଗାଁ ଦାଣ୍ଡରେ ଚାଲିପାରୁନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।