ବଲାଙ୍ଗୀରରେ ବାପ-ପୁଅ ପଲିଟିକ୍ସ! ୨୦୧୯ରେ ଅବସର ନେବେ ସିନିୟର, ଏଣ୍ଟ୍ରି କରିବେ ଜୁନିୟର?

441

କନକ ବ୍ୟୁରୋ : ବାଜିରେ ଲାଗିଛି ବଲାଙ୍ଗୀର । ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ଆସନ ମଧ୍ୟରେ ବଲାଙ୍ଗୀର ବିଧାନସଭା ଆସନ ରହିଛି । ଏହି ଆସନରୁ ବିଧାୟକ ହୋଇଥିବା ନେତା କେତେବେଳେ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ତ ପୁଣି କେତେବେଳେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି । ଏକ ସମ୍ମାନଜନକ ଆସନ ଭାବେ ସୁନାମ ଅର୍ଜନ କରିଥିବା ବଲାଙ୍ଗୀର ଆସନରେ ଅଧିକାଂଶ ଥର ରାଜପରିବାରର ଦବଦବା ଦେଖିବାକୁ ମିଳିଛି । ତେବେ ଏହି ଧାରାକୁ ଗତ ନିର୍ବାଚନରେ ଅନଙ୍ଗଉଦୟ ସିଂହଦେଓଙ୍କୁ ହରାଇ ନରସିଂହ ମିଶ୍ର ଭାଙ୍ଗିଥିବା ବେଳେ ୨୦୧୯ରେ କିଏ ବଲାଙ୍ଗୀର ବାଜି ଜିତିବ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

୨୦୧୪ ନିର୍ବାଚନରେ ଦୁଇ ହେଭିୱେଟଙ୍କ ଲଢେଇ ଏହି ଆସନରେ ଦେଖିବାକୁ ମିଳିଥିଲା । ରାଜପରିବାରର ଅନଙ୍ଗଉଦୟ ସିଂହଦେଓଙ୍କୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇଥିଲେ ନରସିଂହ ମିଶ୍ର । ଆଉ ଦୀର୍ଘ ୨୪ ବର୍ଷ ଧରି ବିଧାୟକ ରହି ଆସିଥିବା ଅନଙ୍ଗଉଦୟଙ୍କୁ ମାତ୍ ଦେଇ ନରସିଂହ ଉଡାଇଥିଲେ ବିଜୟ ବାନା । ତେବେ ଗତଥର ବାପାଙ୍କ ମଧ୍ୟରେ ଲଢେଇ ଦେଖିବାକୁ ପାଇଥିବା ବଲାଙ୍ଗୀରବାସୀ ଚଳିତ ଥର ଦୁଇ ହେଭିୱେଟ ନେତାଙ୍କ ପୁଅଙ୍କ ଲଢେଇର ସାକ୍ଷୀ ରହିବ ବୋଲି ଚର୍ଚ୍ଚା ହେଉଛି ।

୨୦୧୯ରେ ବିଜେଡିରୁ ଅନଙ୍ଗଙ୍କ ବଦଳରେ ତାଙ୍କ ସାନପୁଅ ଏହି ଆସନରୁ ଲଢିବାକୁ କମର କଷିଥିବା ବେଳେ ଅନ୍ୟପଟେ କଂଗ୍ରେସରୁ ନରସିଂହ ମିଶ୍ରଙ୍କ ସାନପୁଅ ସମରେନ୍ଦ୍ର ମିଶ୍ର ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ହେଉଛି । ଯଦି ଏଭଳି ହୁଏ ତେବେ ବରିଷ୍ଠ ନେତାଙ୍କ କନିଷ୍ଠ ପୁଅ ପ୍ରଥମ ଥର ପାଇଁ ରାଜନୈତିକ ମୈଦାନରେ ଭାଗ୍ୟ ପରୀକ୍ଷା କରିବେ । ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ନିର୍ବାଚନରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ । ତେବେ ଯଦି ବିଜେଡି ଗୋଟିଏ ପରିବାର ଗୋଟିଏ ଟିକେଟ ଫର୍ମୁଲାକୁ ଯଦି ଆପଣାଏ ତେବେ ଏଠାରେ ଅର୍କେଶଙ୍କ ପାଇଁ ଅଡୁଆ ବଢିବ । କାରଣ ବଲାଙ୍ଗୀର ଲୋକସଭା ଆସନ ପାଇଁ ବଡ ଭାଇ କଳିକେଶଙ୍କ ଟିକେଟ ଏକପ୍ରକାର ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି । ଏଭଳି ସ୍ଥଳେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡରେ ଦେଖିବାକୁ ମିଳିପାରେ । ଏପରିକି ଗତଥର ଅଳ୍ପକେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଲଳିତ ନାୟକଙ୍କୁ ମଧ୍ୟ ଟିକେଟ ମିଳିବା ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ।

ଅନ୍ୟପଟେ କଂଗ୍ରେସ ପୁଣିଥରେ ଏହି ଆସନକୁ କବଜା କରିବାକୁ ନରସିଂହଙ୍କ ନେତୃତ୍ୱରେ ରଣନୀତି ପ୍ରସ୍ତୁତ କରୁଛନ୍ତି । ତେବେ ନରସିଂହ ନିଜେ ନିର୍ବାଚନ ମୈଦାନକୁ ନ ଓହ୍ଲାଇ ସାନପୁଅ ସମରେନ୍ଦ୍ରଙ୍କ ପାଇଁ ସମରସଜ୍ଜା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି । ବାପା ବିଜେଡି ବିଜୟରେ ବ୍ରେକ ଲଗାଇଥିଲେ, ପୁଅଙ୍କ କାନ୍ଧରେ ଗଡ ରକ୍ଷା କରିବାର ଦାୟିତ୍ୱ ରହିଛି । କିନ୍ତୁ କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀର କହିବା କଥା ହେଲା, ନରସିଂହ ପୁଣିଥରେ ବ୍ୟାଟଲଗ୍ରାଉଣ୍ଡକୁ ଓହ୍ଲାଇବେ । ଏସବୁ ବାଦ୍ ଯଦି ଗତଥରର ନିର୍ବାଚନ ଭଳି ଦୁଇ ହେଭିୱେଟ ପୁଣିଥରେ ନିର୍ବାଚନ ମୈଦାନକୁ ଓହ୍ଲାନ୍ତି ତେବେ ସିଂହ ସାଙ୍ଗିଆଧାରୀ ଓ ସିଂହ ନାମଧାରୀଙ୍କ ମଧ୍ୟରେ ପୁଣିଥରେ ଲଢେଇ ଦେଖିବାକୁ ମିଳିବ ।

ବିଜେଡି ଓ କଂଗ୍ରେସର ଏହି ଲଢେଇ ମଧ୍ୟରେ ବିଜେପି ମଧ୍ୟ ବଲାଙ୍ଗୀରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଅଣ୍ଟା ଭିଡିଛି । ବଲାଙ୍ଗୀରରେ ଲଗାତାର ବିଜେପିର ଭୋଟ ହାର ବଢି ବଢି ଚାଲିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନର ଫଳାଫଳକୁ ନେଇ ଉତ୍ସାହିତ ଅଛି ଗେରୁଆ ଶିବିର । ପାହାଡ ପର୍ବତ ଘେରା ବଲାଙ୍ଗୀରରେ ପଦ୍ମ ଫୁଟାଇବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ବିଜେପିରୁ ଗତଥରର ପ୍ରାର୍ଥୀ ଥିବା ବାସୁଦେବ ପତି ଟିକେଟ ରେସରେ ଆଗୁଆ ରହିଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ ଓ ଅନନ୍ତ ଦାସ ମଧ୍ୟ ଟିକେଟ ଦାବିଦାର ଭାବେ ଉଭା ହୋଇଛନ୍ତି । ଆସନ୍ତା ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବଲାଙ୍ଗୀର ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଭୋଟରଙ୍କ ଭରସା କିଏ ଜିତିପାରିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।