ସରଗରମ ବଲାଙ୍ଗୀର ରାଜନୀତି ! ଏଥର ଲଢ଼େଇ, ନରସିଂହ ବନାମ ରାଜ ପରିବାର, ବିକାଶକୁ ପ୍ରସଙ୍ଗ କରି ଅର୍କେସଙ୍କ ଯୁଦ୍ଧଂଦେହି ଡାକରା ।

321

କନକ ବ୍ୟୁରୋ : ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବେ ସରଗରମ ହୋଇଛି ବଲାଙ୍ଗିର ରାଜନୀତି । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ରାଜ ପରିବାର ଏବଂ ମିଶ୍ର ପରିବାର ମଧ୍ୟରେ ଆରମ୍ଭ ହୋଇଗଲାଣି ଶୀତଳ ଯୁଦ୍ଧ । ବର୍ତମାନର ବିଧାୟକ ନରସିଂହ ମିଶ୍ରଙ୍କ ବିକାଶମୂଳକ କାମକୁ ପ୍ରସଙ୍ଗ କରି ବିଜେଡି ଟିକେଟ୍ ଆଶାୟୀ ଅର୍କେସ ସିଂହଦେଓ ଯୁଦ୍ଧଂଦେହି ଡାକରା ଦେଇଛନ୍ତି । ଲଢେଇ ମୁଖ୍ୟତ ରାଜ ପରିବାର ଓ ମିଶ୍ର ପରିବାର ମଧ୍ୟରେ ହେଉଥିବା ବେଳେ ଗୋଳିଆପାଣିରୁ ଫାଇଦା ଉଠାଇବାକୁ ରଣନୀତି ପ୍ରସ୍ତୁତ କରୁଛି ବିଜେପି ।

ବଲାଙ୍ଗିରରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଶକ୍ତି ପ୍ରଦର୍ଶନ । ରାଜ ପରିବାର ବନାମ ମିଶ୍ର ପରିବାର । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପାଇଁ ସବୁଠୁ ବଡ ଅଡୁଆ ପାଲଟିଛନ୍ତି ରାଜ ପରିବାରର ବିଜେଡି ପ୍ରାର୍ଥୀ ଅର୍କେସ ସିଂହଦେଓ । ଟିକେଟ ମିଳିଲେ ଲଢିବେ ବୋଲି ନରସିଂହ ସ୍ପଷ୍ଟ କରିଦେଇଥିବାରୁ ଜୋରଦାର ମୁକାବିଲା ହେବାକୁ ଯାଉଛି ଏହି ଦୁଇ ପରିବାର ମଧ୍ୟରେ । କଂଗ୍ରେସ ଏହି ୪ବର୍ଷ ମଧ୍ୟରେ ଦୁର୍ନୀତିରେ ଲିପ୍ତ ରହିଥିବା ଅଭିଯୋଗ ଆଣିଛନ୍ତି ଅର୍କେସ । ନରସିଂହ କେବଳ ନିଜ ପରିବାର ଲୋକଙ୍କୁ ନେଇ ସବୁ କାମ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି   ଅର୍କେସ । ଜବାବରେ ନରସିଂହ କହିଛନ୍ତି କାମଳ ରୋଗଗ୍ରସ୍ତ ଲୋକଙ୍କୁ ସବୁ ହଳଦିଆ ଦିଶେ ।

ନରସିଂହ ୨୦୧୪ରେ ୬୧,୭୩୦ ଭୋଟ ପାଇଥିବା ବେଳେ ଅନଙ୍ଗ ଉଦୟ ପାଇଥିଲେ ୪୯,୪୭୬ଟି ଭୋଟ । ତେଣୁ ୨୦୧୪ ପରି ୨୦୧୯ରେ ମଧ୍ୟ ନରସିଂହ ଜିତିବା ପାଇଁ ଆଶା ରଖିଛନ୍ତି । ସେପଟେ ମ୍ୟୁନିସିପାଲଟି ଏବଂ ପଂଚାୟତ ନିର୍ବାଚନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ଅର୍କେସ । ତେଣୁ ୨୦୧୯ ନିର୍ବାଚନରେ ବଲାଙ୍ଗିର ବିଧାନସଭା ପାଇଁ ବିଜେଡି ଟିକେଟର ଦାବିଦାର ହେଉଛନ୍ତି ଅନଙ୍ଗ ଉଦୟ ସିଂହଦେଓଙ୍କ ସାନପୁଅ । ରାଜାଘର ପ୍ରତି ଥିବା ଜନସମର୍ଥନକୁ ପାଥେୟ କରି ରଣକ୍ଷେତ୍ରକୁ ଓହ୍ଲାଇବେ ଏହି ଯୁବନେତା ।

ଏହି ଦୁଇ ପରିବାର ମଧ୍ୟରେ ଭୋଟ ରାଜନୀତିକୁ ନେଇ ଛକାପଂଝା ଲାଗିରହିଥିବା ବେଳେ ଗୋଳିଆ ପାଣିରୁ ଫାଇଦା ଉଠାଇବାକୁ ଗୋଟି ଚଳାଉଛନ୍ତି ବିଜେପି ଟିକେଟ ଆଶାୟୀ । ଗୋପାଳଜି ପାଣିଗ୍ରାହୀ, ଅନନ୍ତ ଦାସ ଏବଂ ବାସୁ ପତି ଟିକେଟ ରେସରେ ଅଛନ୍ତି । ବଲାଙ୍ଗିର ଇତିହାସରେ ରାଜାଘରର ରାଜନୈତିକ ଯାତ୍ରା ବେଶ୍ ପୁରୁଣା । ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ନିର୍ବାଚନରେ ରାଜ ପରିବାରର ବିଶେଷ ପ୍ରଭାବ ରହିଛି । ୨୦୧୯ ବିଧାନସଭା ନିର୍ବାଚନରେ ଜନତା ସେହି ପୁରୁଣା ପରମ୍ପରାକୁ ଆପଣାଉଛନ୍ତି ନା ନୂଆ ଟ୍ରେଣ୍ଡ ତିଆରି କରୁଛନ୍ତି ଏବେ ତା ଉପରେ ସମସ୍ତଙ୍କ ନଜର ।