ଚାଷ କାମ ଯାହାର, କି ଆନନ୍ଦ ତାହାର: ଚାକିରି ପଛରେ ଧାଇଁଲେନି, ଚାଷ କରି ଲକ୍ଷପତି ହେଲେ । ଚର୍ଚ୍ଚାରେ ଚୈତନ୍ୟଙ୍କ ପରିବାର

300

କନକ ବ୍ୟୁରୋ: ‘ଆଖୁ ଏକ ଅର୍ଥକାରୀ ଫସଲ । ଆଖୁ ଚାଷ, ଚାଷୀଙ୍କୁ ଲାଭବାନ କରାଏ’ । ପିଲାବେଳେ ବହିରେ ପଢିଥିବା ଏହି କଥାକୁ କାମରେ ଲଗାଇ ଲକ୍ଷପତି ହୋଇଛନ୍ତି ବଲାଙ୍ଗୀରର ଏହି ଚାଷୀ ପରିବାର । ବିଲରେ ଆଖୁ ପାଇଁ ଅକ୍ଳାନ୍ତ ପରିଶ୍ରମ କରି, ଝାଳ ବୁହାଇ ମାସକୁ ୨ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି ବଲାଙ୍ଗିର ମାୟାବରହା ଗାଁର ଚୈତନ୍ୟ ପଟେଲ ।

ସବୁଜ ବିଲରେ ସିଧା ସିଧା ଛିଡା ହୋଇଥିବା ଏ ଆଖୁ ଛଡ ଚୈତନ୍ୟଙ୍କ ପରିବାର ପାଇଁ ସୁନା ଛଡ କହିଲେ କମ ହେବନି । କାରଣ ଏଇ ଆଖୁରେ ହିଁ ତାଙ୍କ ଜୀବନ, ତାଙ୍କ ଜୀବିକା । ଦିନେ ଧାନ ଓ ପରିବା ଚାଷ ସହ ପାରମ୍ପରିକ ପ୍ରଣାଳୀରେ ଚୈତନ୍ୟ ବିଲରେ ଆଖୁ ଚାଷ କରୁଥିଲେ । ଚିନି କଳ ଥିବା ବେଳେ ଆଖୁ ବିକି ତାଙ୍କ ପରିବାର ପୋଷୁଥିଲେ । ମାତ୍ର ଚିନି କଳ ବନ୍ଦ ହେବା ପରେ କୃଷି ଅଧିକାରୀଙ୍କ ପରାମର୍ଶ ନେଇ ଆଖୁରୁ ଗୁଡ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଆଉ ଧିରେ ଧିରେ ସେହି ବ୍ୟବସାୟରୁ ଲାଭବାନ ମଧ୍ୟ ହୋଇଥିଲେ ।

ତେବେ ପରିବାର ଚଳାଇବାକୁ ଆଉ ଟଙ୍କା ରୋଜଗାର କରିବାକୁ ବାପାଙ୍କ ସହ କାନ୍ଧ ମିଳାଇ ତାଙ୍କ ହାଡଭଙ୍ଗା ପରିଶ୍ରମକୁ ହାଲକା କରିଥିଲେ ଦୁଇ ପୁଅ । ଚାକିରି ବାକିରି ନକରି ନିଜ କ୍ଷେତ୍ରରେ ବୁଦ୍ଧି ଖଟାଇଥିଲେ । ଆଧୁନିକ ପ୍ରଣାଳୀ ଓ ଉନ୍ନତ ମାନର ଜ୍ଞାନକୌଶଲ ପ୍ରୟୋଗ କରି ବିଲରେ ସୁନା ଫଳାଇଥିଲେ ଦୁଇ ପୁଅ ବିପିନ ଓ ନବୀନ ।

ତେବେ ଧାନ ଚାଷ ଅପେକ୍ଷା ଆଖୁରୁ ଅଧିକ ଲାଭ ମିଳୁଥିବାରୁ ୭ ଏକର ଜମିରେ ଆଖୁ ଚାଷ କରିଛନ୍ତି ପଟେଲ ପରିବାର । ସକାଳ ହେବା କ୍ଷଣି ବିଲରେ ଆଖୁ ସହ ଅଧା ସମୟ ବିତାଉଛନ୍ତି ୩ ଜଣ । ତେବେ ଆଖୁ ଚାଷ କରି ବାର୍ଷିକ ୧୨ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଥିବା ଚୈତନ୍ୟ ଭଲ ଘର ଖଣ୍ଡେ କରିଛନ୍ତି । ତାସହ ଟ୍ରାକ୍ଟର ଓ ବିଭିନ୍ନ ଚାଷ ଉପକରଣ ବି କିଣି ପାରିଛନ୍ତି । ସେପଟେ ନିଜ ବ୍ୟବସାୟରେ ନିଜେ କାମ କରିବା ସହ ଅନ୍ୟମାନଙ୍କୁ ମଧ୍ୟ କାମ ଯୋଗାଇ ପାରିଛନ୍ତି । ଯାହା ସମସ୍ତଙ୍କ ପାଇଁ ଏକ ବଡ ଉଦାହରଣ ।