ସ୍ୱଚ୍ଛତା କ୍ଷେତ୍ରରେ ପଛରେ ପଡିଲା ବଲାଙ୍ଗୀର ! ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲେ ପାନୀୟ ଜଳ ଯୋଗାଣ ଓ ପରିମଳ ମନ୍ତ୍ରଣାଳୟ ସଚିବ

85

କନକ ବ୍ୟୁରୋ : ବଲାଙ୍ଗୀରରେ ଫେଲ ମାରିଛି ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନ କାର୍ଯ୍ୟକ୍ରମ । ୩୦ ଜିଲ୍ଲାରୁ ସବୁଠୁ ପଛରେ ପଡିଛି ଜିଲ୍ଲା । ରାଜ୍ୟ ସରକାରଙ୍କୁ ଏଭଳି ସାଂଘାତିକ ତଥ୍ୟ ଦେଇଛନ୍ତି ପାନୀୟ ଜଳ ଯୋଗାଣ ଓ ପରିମଳ ମନ୍ତ୍ରଣାଳୟର ସଚିବ ପରମେଶ୍ୱର ଆୟର । ଯେଉଁ ତଥ୍ୟ ଏବେ ସମସ୍ତଙ୍କୁ ଚକିତ କରିଛି ।

ପୁରା ଦେଶର ସ୍ୱଚ୍ଛତା କ୍ଷେତ୍ରରେ ପଛରେ ପଡିଛି ଓଡିଶା । ଏପରିକି ରାଜ୍ୟରେ ଗ୍ରାମୀଣ ସ୍ୱଚ୍ଛ ଭାରତ ମିଶନରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦେଓଗଡ ବି ଜାତୀୟ ସ୍ତରରେ ୧୭୦ତମ ସ୍ଥାନରେ ରହିଛି । ଏହି କ୍ରମରେ ବଲାଙ୍ଗୀର ସାରା ରାଜ୍ୟରେ ସବା ପଛରେ ରହିଥିବା ତଥ୍ୟ ହସ୍ତଗତ ହୋଇଛି । ଜାତୀୟ ସ୍ତରରେ ୬୬୦ ତମ ସ୍ଥାନରେ ରହିଛି ବଲାଙ୍ଗୀର । ସ୍ୱଚ୍ଛତା କ୍ଷେତ୍ରରେ ଆଗକୁ ଯିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ବଲାଙ୍ଗୀର କାହିଁକି ପଛରେ ପଡିଛି ତାହା ଏବେ ସମସ୍ତଙ୍କୁ ଆଶ୍ୱର୍ଯ୍ୟ କରିଛି ।

ଶୌଚାଳୟ ନିର୍ମାଣ ଓ ବ୍ୟବହାର ନେଇ କରାଯାଇଥିବା ସର୍ଭେରେ ପୁରୀ ଓ ଖୋର୍ଦ୍ଧା ଭଳି ଜିଲ୍ଲା ବି ପଛରେ ରହିଛି । ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟସ୍ତରରେ ଦେଓଗଡ ପ୍ରଥମ ଓ ବାଲେଶ୍ୱର ଦ୍ୱିତୀୟ ଥିବା ବେଳେ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଛି । ଅନ୍ୟ ଜିଲ୍ଳାଗୁଡିକ ମଧ୍ୟରୁ ପୁରୀ ୧୬ତମ ସ୍ଥାନରେ ରହିଥିବା ବେଳେ ଖୋର୍ଦ୍ଧା ୧୮ତମ ସ୍ଥାନରେ ଓ କଟକ ୨୯ତମ ସ୍ଥାନରେ ରହିଛି । ୪ଅଗଷ୍ଟ ୨୦୧୭ ସୁଦ୍ଧା କରାଯାଇଥିବା ଏହି ସର୍ଭେ ନେଇ ପାନୀୟ ଜଳ ଯୋଗାଣ ଓ ପରିମଳ ମନ୍ତ୍ରଣାଳୟର ସଚିବ ରାଜ୍ୟ ସରକାରଙ୍କୁ ଅବଗତ କରାଇଛନ୍ତି ।

ରାଜ୍ୟ ସରକାର ଏ ଦିଗରେ ଅଧିକ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା ସ୍ୱଚ୍ଛତା ଦର୍ପଣ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତେବେ ଆଗାମୀ ଦୁଇମାସ ପରେ ପୁଣି ଥରେ ନୂତନ ସର୍ଭେ ରିପୋର୍ଟ ଆସିବା ପୂର୍ବରୁ ପ୍ରତ୍ୟେକ ଜିଲ୍ଲା ନିଜର ଶ୍ରେଷ୍ଠତା ପ୍ରତିପାଦନ କରିବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ପାନୀୟ ଜଳ ଯୋଗାଣ ଓ ପରିମଳ ମନ୍ତ୍ରଣାଳୟର ସଚିବ ପରମେଶ୍ୱର ଆୟର ।