ବିଧାନସଭାରୁ ସଂସଦ ଯାଏଁ ବଲାଙ୍ଗୀରର ମାଳ ମାଳ ନେତା ! ହେଲେ ସହରଠାରୁ ମାତ୍ର ଅଳ୍ପ ଦୂରରେ ଥିବା ଗାଁରେ ନାହିଁ ବିକାଶର ଚିହ୍ନ

29

କନକ ବ୍ୟୁରୋ : ସହରଠାରୁ ମାତ୍ର ୧୦ କିଲୋମିଟର ଦୂର । ହେଲେ ବିକାଶର ଚିହ୍ନ ନାହିଁ । ଗାଁକୁ ଯିବା ପାଇଁ ସାଧାରଣ ରାସ୍ତାଟିଏ ବି ନାହିଁ । ବଲାଙ୍ଗୀରର ଲସ୍ତଲା ଆମପାଲି ଓ ଡଙ୍ଗା ପଦର ଗ୍ରାମ ଏହାର ଜ୍ୱଳନ୍ତ ଉଦାହରଣ । ଏହି ଗାଁ ଗୁଡିକୁ ଲୋକେ ଆଣ୍ଠୁଏ କାଦୁଅରେ ଯାଉଥିବା ବେଲେ ରାସ୍ତାରେ ପଡୁଥିବା ନାଳରେ ପୋଲ ନଥିବାରୁ ଗାଁ ଲୋକେ ବିପଦ ଶଙ୍କୁଳ ଭାବେ ଯାତାୟାତ କରୁଛନ୍ତି । ବଲାଙ୍ଗୀର ସହରରୁ ମାତ୍ର ୧୦ କିମି ଦୂରରେ ଥିବା ଏହି ଗାଁକୁ ଯିବା ପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ । ସେହିପରି ପାଟଣାଗଡ ଡଙ୍ଗା ପଦର ଗାଁର ମଧ୍ୟ ସମାନ ଅବସ୍ଥା ଏବେ ବି ଜାରି ରହିଛି । ଏହି ଗାଁରେ ମଧ୍ୟ ୧୫୦୦ରୁ ଉର୍ଦ୍ଧ୍ୱ ଲୋକଥିବା ବେଲେ ଲୋକେ ଖେତ ଆଡିରେ ଯିବା ଆସିବା କରିଥାନ୍ତି ।

ସେହିପରି ବାଟରେ ପଡୁଥିବା ନାଳ ଉପରେ ଏମାନେ ଅସ୍ଥାୟୀ ବାଉଁଶ ପୋଲ ନିଜେ ନିର୍ମାଣ କରି ତା ଉପରେ ବିପଦ ଶଙ୍କୁଳ ଭାବରେ ଗାଁରୁ ସହର ପାଇଁ ବାହାରି ଥାନ୍ତି । ତେବେ ଲସ୍ତଲା ଆମପାଲି ହେଉ କିମ୍ବା ପାଟଣାଗଡର ଏହି ଡଙ୍ଗା ପଦର ଗାଁ ହେଉ ଏଠିକାର ଲୋକେ ରାସ୍ତା ପାଇଁ ନିଜେ ଜମି ସରକାରଙ୍କ ନାଁରେ ରେଜିଷ୍ଟ୍ରି ମଧ୍ୟ ଗତ ୨୦୧୦ରୁ କରି ସାରିଛନ୍ତି । ଏବଂ ସରକାର ରୋଡର ତଥା ପୋଲର ଭିତ୍ତି ପ୍ରସ୍ତର ଶୁଭ ଦେଇ ଆଜି ଯାଏଁ କୌଣସି ପଦକ୍ଷେପ ନେଇ ନାହିଁ । ସେପଟେ ଏହାକୁ ନେଇ ଆମେ ଜିଲ୍ଲାପାଲଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଏହା ଉପରେ ଶୀଘ୍ର ପଦକ୍ଷେପ ସେ ନେବେ ବୋଲି କହିଛନ୍ତି ।