ବଲାଙ୍ଗୀର : ବିଦ୍ୟାଳୟ ପରିଶ୍ରାଗାରରୁ ମିଳିଲା ମାଟ୍ରିକ ପ୍ରଶ୍ନପତ୍ରର ନକଲ

17

କନକ ବ୍ୟୁରୋ : ବିଦ୍ୟାଳୟ ପରିଶ୍ରାଗାରରୁ ମିଳିଲା ପ୍ରଶ୍ନପତ୍ରର ନକଲ । ମାଟ୍ରିକ ପରୀକ୍ଷାର ଦ୍ୱିତୀୟ ଦିନରେ ଆଜି ଇଂରାଜୀ ପରୀକ୍ଷା ଚାଲିଥିବା ବେଳେ ସ୍କୁଲରୁ ମିଳିଛି ପ୍ରଶ୍ନପତ୍ରର ନକଲ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଜନତା ହାଇସ୍କୁଲରେ ଜଣେ ଛାତ୍ର ପରିଶ୍ରାଗାରରୁ ଇଂରାଜୀ ପ୍ରଶ୍ନପତ୍ରର ନକଲ ପାଇଛନ୍ତି । ତେବେ ଏହି ପ୍ରଶ୍ନପତ୍ର ନକଲରେ ବୋର୍ଡର କ୍ରମିକ ସଂଖ୍ୟା ନଥିବା ଜଣାପଡିଛି ।

ଆଜି ଇଂରାଜୀ ପରୀକ୍ଷା ଚାଲୁଥିବା ସମୟରେ ତାର ନକଲ ମିଳିବାକୁ ନେଇ ସନ୍ଦେହ ଦେଖାଦେଇଛି । ପ୍ରଶ୍ନପତ୍ର ପୂର୍ବରୁ ଲିକ୍ ହୋଇଥାଇପାରେ ବୋଲି ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଛାତ୍ର ଜଣକ ଏହି ନକଲ ପ୍ରଶ୍ନପତ୍ର ପାଇବା ପରେ ଏହାକୁ ଇନଭିଜିଲେଟରଙ୍କୁ ଦେଇଥିଲେ ପରେ ସେ ଏହାକୁ ସେଂଟର ସୁପରିଟେଣ୍ଡେଂଟକୁ ହସ୍ତାନ୍ତର କରିଛନ୍ତି । ତେବେ ଅସାଧୁ କର୍ମଚାରୀଙ୍କ ରାକେଟ୍ କାମ କରୁଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏପରି ଘଟଣା ଦ୍ୱାରା ଛାତ୍ରଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି ।

ତେବେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅପରପକ୍ଷରେ ଡିପିସି ଓ ଡେପୁଟି ସୁପରିଟେଷଣ୍ଡେଂଟଙ୍କ ସହ ଆଲୋଚନା କରିଛନ୍ତି ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ । ତଦନ୍ତ ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ପଦାକୁ ଆସିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ।