ସତ ହେବ କି ପଶ୍ଚିମ ଓଡ଼ିଶାବାସୀଙ୍କ ପରିକଳ୍ପନା ? ଧୀରେ ଧୀରେ ବାସ୍ତବତାର ରୂପ ନେଉଛି ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ

136

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାବାସୀଙ୍କ ବହୁ ଦିନର ଦାବି । ବହୁ ଦିନର ପରିକଳ୍ପନା । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ବହୁ ଦିନର ପ୍ରତୀକ୍ଷା । ଧୀରେଧୀରେ ବାସ୍ତବତାର ରୂପ ନେଉଛି ବଲାଙ୍ଗୀରଖୋର୍ଦ୍ଧା ରେଳପଥ । ଖୋର୍ଦ୍ଧା ପଟୁ ନୟାଗଡ଼ ପର‌୍ୟ୍ୟନ୍ତ ଆଗରୁ ରେଳ ଚଳାଚଳ କରୁଥିଲା । ଏବେ ବଲାଙ୍ଗୀର ପଟୁ ବିଛୁପାଲି ଯାଏଁ ୧୫.୭ କିମି ଟ୍ରେନ ଚଳାଚଳ ଆରମ୍ଭ ହେବ । ପ୍ରଧାନମନ୍ତ୍ରୀ ମଙ୍ଗଳବାର ଏହାର ଶୁଭାରମ୍ଭ କରୁଥିବାରୁ ବାକିତକ କାମ କ୍ଷୀପ୍ର ଗତିରେ ଚାଲିବ ବୋଲି ନୂତନ ଆଶା ଓ ଉଦ୍ଦୀପନା ଲୋକଙ୍କ ମନରେ ସଂଚାର ହୋଇଛି ।

ବଲାଙ୍ଗୀର ତଥା ଅବହେଳିତ ପଶ୍ଚିମାଞ୍ଚଳର ଉନ୍ନତି ପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପ କାମର ପରିକଳ୍ପନା ହୋଇଥିଲା । ୧୯୯୩ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ କେନ୍ଦ୍ର ନିକଟକୁ ଚିଠି କରିଥିଲେ । ପ୍ରକଳ୍ପକୁ ୧୯୯୪-୯୫ ମସିହାରେ ମଂଜୁରୀ ମିଳିଥିଲା ଓ ବ୍ୟୟ ଅଟକଳ ୪୦୦ କୋଟି ରଖାଯାଇଥିଲା । ୫ ବର୍ଷ ଭିତରେ ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଧାରଣ କରାଯାଇଥିଲା । କିନ୍ତୁ ପରବର୍ତ୍ତି ସମୟରେ ପଶ୍ଚିମାଞ୍ଚଳର ବିକାଶ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ କ୍ରମାଗତ ଭାବେ ଅବହେଳା ଓ ଅଣଦେଖା କରାଯାଇଥିଲା । ଏବେ ପ୍ରକଳ୍ପ ଖର୍ଚ୍ଚ ୩୭୯୧. ୬୬ କୋଟିକୁ ପହଞ୍ଚିଲାଣି ।

ଚଳିତ ଆର୍ଥିକ ବର୍ଷ ପରେ ଏହି ଅଟକଳର ପରିମାଣ ୪୦୦୦କୋଟିକୁ ଟପିବ । ୧୯୯୪-୯୫ ମସିହାରେ ପ୍ରଥମ କରି ପ୍ରକଳ୍ପକୁ ୧କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ସେହି ବର୍ଷଠାରୁ ପର୍ଯ୍ୟାୟକ୍ରମେ ବ୍ୟୟବରାଦ ହୋଇଆସୁଛି । ୨୦୧୮ ମାର୍ଚ୍ଚ ଯାଏଁ ପ୍ରକଳ୍ପରେ ସମୁଦାୟ ୧୦୧୨.୬୨ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସାରିଲାଣି । କିନ୍ତୁ ଦୀର୍ଘ ୨୫ ବର୍ଷରୁ ଅଧିକ ସମୟ ବିତି ସାରିଥିଲେ ହେଁ ବଲାଙ୍ଗୀରରୁ ଖୋର୍ଦ୍ଧା ଯାଏଁ ଏ ପର୍ଯ୍ୟନ୍ତ ଟ୍ରେନ ଗଡ଼ି ନାହିଁ। ଗତ ୨୦୧୫ ମସିହାରେ ଏହି ପ୍ରକଳ୍ପର କାର୍ଯ୍ୟକୁ କ୍ଷୀପ୍ର ଗତିରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଓ ରେଳ ବିଭାଗ ମଧ୍ୟରେ ୫୦-୫୦ ଖର୍ଚ୍ଚ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ୨୦୨୧ ସୁଦ୍ଧା ଖୋର୍ଦ୍ଧା-ବଲାଙ୍ଗୀର କାମ ସଂପୂର୍ଣ୍ଣ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି ।

ବର୍ତ୍ତମାନ ଏହି ରେଳଲାଇନ ନିର୍ମାଣରେ ଜମି ଅଧିଗ୍ରହଣ ମୂଖ୍ୟ ସମସ୍ୟା ଭାବରେ ଛିଡ଼ା ହୋଇଛି । ମୋଟ ୨୮୯ କିମି ରେଳ ଲାଇନ ନିର୍ମାଣ ପାଇଁ ୪୯୫୧ ଏକର ଜମିର ଆବଶ୍ୟକତା ରହିଛି । ସୋନପୁରରୁ ଦଶପଲ୍ଲା ଯାଏଁ ଜମି ଅଧିଗ୍ରହଣ ହୋଇପାରି ନାହିଁ । ରିଜର୍ଭ ଫରେଷ୍ଟ ଅଂଚଳ ଥିବା ବେଳେ ଜମି ଅଧିଗ୍ରହଣ ସେଠାରେ ମୁଖ୍ୟ ସମସ୍ୟା ଭାବରେ ଛିଡ଼ା ହୋଇଛି । ସୁବର୍ଣ୍ଣପୁର ଜିଲ୍ଲାର ୩୦ ଗାଁ ମଧ୍ୟରୁ ୧୪ ଗାଁରେ ଏହାରି ଭିତରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ମୋଟାମୋଟି ପ୍ରକଳ୍ପଟି ପରିକଳ୍ପନା ହେବା ଦିନଠାରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କ୍ରମାଗତ ଅବହେଳା ହିଁ ଏହି କାର୍ଯ୍ୟକୁ ବିଳମ୍ବିତ କରିଥିବା ଅଭିଯୋଗ ହୁଏ । ସେ ଯାହା ହେଉନା କାହିଁକି, ପ୍ରଥମେ ପ୍ରକଳ୍ପର କାମ ଖୋର୍ଦ୍ଧା ପଟୁ ଆରମ୍ଭ ହୋଇଥିଲା ।

ବେଗୁନିଆଁ ଯାଏଁ ପ୍ରଥମେ ଟ୍ରେନ ଗଡ଼ିଥିଲା ଓ ପରେ ନୟାଗଡ଼ ଯାଏଁ ବର୍ତ୍ତମାନ ଖୋର୍ଦ୍ଧା ପଟୁ ଟ୍ରେନ ଚାଲୁଛି । ପ୍ରଥମ କରି ବଲାଙ୍ଗୀର ପଟୁ ଏହି ଲାଇନରେ ଟ୍ରେନ ଚଳାଚଳ କରିବ । ବିଛୁପାଲି ଯାଏଁ ୧୫ କିମି ରେଳ ଲାଇନରେ ଟ୍ରେନ ଗଡ଼ିବ । ଯାହାକୁ ନେଇ ବଲାଙ୍ଗୀରରେ ଉତ୍ସାହ ଦେଖାଦେଇଛି । ବଲାଙ୍ଗୀରପଟୁ କାମ ଆରମ୍ଭ ହେଉ ବୋଲି ଏଠାକାର ଜନସାଧାରଣ ଦାବି କରୁଥିଲେ । ସେହି ଦାବି ଅନୁସାରେ ଚାପଗ୍ରସ୍ତ ହୋଇ ସରକାର କାମ ବଲାଙ୍ଗୀର ପଟୁ ଆରମ୍ଭ କରିଥିଲେ। କାମ ଆରମ୍ଭ ପରେ ଏଠାକାର ଜନସାଧାରଣ ତଥାପି ବିଶ୍ୱାସକୁ ନେଇ ନଥିଲେ ।

ଏବେ ବିଛୁପାଲି ଯାଏଁ ଟ୍ରେନ ଲାଇନ ନିର୍ମାଣ ପରେ ଟ୍ରାଏଲ ହୋଇଥିଲା । ଏ ଅଂଚଳର ଭାଗ୍ୟ ପୁଣି ବଦଳିବାର ନୂଆଁ ଆଶା ଲୋକଙ୍କ ମନରେ ସଂଚାର ହୋଇଥିଲା । ହୁଏତ ୧୫ କିମି ଯାଏଁ ଟ୍ରେନରେ ସେତେଟା ଲୋକ ଯାତାୟତ ନ କରିପାରନ୍ତି । କିନ୍ତୁ ଆଗକୁ ସୋନପୁର ଷ୍ଟେସନ ଯାଏଁ କାମ ହେଲେ ଏହି ଅଂଚଳବାସୀ ଲାଭ ଉଠାଇପାରିବେ । ଏପରିକି ଉଭୟ ଖୋର୍ଦ୍ଧା ଓ ବଲାଙ୍ଗୀର ପଟୁ କାମ ଚାଲିଲେ ଶୀଘ୍ର ପ୍ରକଳ୍ପ ସଂପୂର୍ଣ୍ଣ ହୋଇପାରିବ ବୋଲି ଲୋକେ ଆଶା ବାନ୍ଧିଛନ୍ତି ।