ଚାଷୀଙ୍କ ଆଖିରେ ପିଆଜ ଲୁହ ! ୫ଟଙ୍କାରେ କିଣି ଚଢା ଦରରେ ବିକ୍ରି କରି ମାଲାମାଲ୍ ଦଲାଲ୍

44

କନକ ବ୍ୟୁରୋ : ବଲାଙ୍ଗୀରରୁ ଆସିଛି ପିଆଜର ଅଭାବୀ ବିକ୍ରି ଖବର । ଭଲ ପିଆଜ ଚାଷ ହେଉଥିବା ବଲାଙ୍ଗିର ଜିଲ୍ଲାର କଂଟାବାଞ୍ଜି, ବଂଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ବ୍ଲକରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଭଲ ଅମଳ ହୋଇଥିଲେ ବି ସଂରକ୍ଷଣ ସୁବିଧା ନଥିବାରୁ ଅତି କମ୍ ଦରରେ ରାଜ୍ୟ ବାହାର ଦଲାଲଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ କିଲୋ ପିଛା ୫ ଟଙ୍କାରେ ପିଆଜ ବିକ୍ରି କରୁଛନ୍ତି ଚାଷୀ । ଆଉ ଏହାକୁ ଚଢା ଦରରେ ବିକି ମାଲାମାଲ ହେଉଛନ୍ତି ଦଲାଲ ।

ରାଜ୍ୟରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ୩ବର୍ଷ ପୂରିଥିବାବେଳେ କୃଷି ଓ ସମବାୟ ବିଭାଗର ଚେହେରା ବଦଳିସାରିଛି । ହେଲେ ଚାଷୀଙ୍କ ସ୍ଥିତିରେ କୌଣସି ପରିବର୍ତନ ହେଉନାହିଁ । ପିଆଜ ସଂରକ୍ଷଣ ପାଇଁ ସରକାର ପିଆଜ ସାଇତା ଗୃହ କରିଥିଲେ । ହେଲେ ରକ୍ଷଣା ବେକ୍ଷଣ ଅଭାବରୁ ଏଗୁଡିକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ । ଉତ୍ପାଦନକୁ ସାଇତିବା ପାଇଁ ସୁବିଧା ନଥିବାରୁ ଯାହା ମିଳିଲା ସେହି ଦରରେ ଲାଭଖୋର ବ୍ୟବସାୟୀଙ୍କୁ ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି ପିଆଜ ଚାଷୀ ।

ପ୍ରଥମତଃ ଚାଷୀଙ୍କ ଉତ୍ପାଦନକୁ ସାଇତି ରଖିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନାହିଁ । ଦ୍ୱିତୀୟରେ ବାହାର ଦଲାଲଙ୍କ ଶୋଷଣର ଚାଷୀ କିଭଳି ଶିକାର ନହେବେ ସେନେଇ ମଧ୍ୟ କୌଣସି ପଦକ୍ଷେପ ନାହିଁ । ଫଳରେ ଆବଶ୍ୟକ ହେଉଥିବା ପିଆଜର ପ୍ରାୟ ଅଢେଇଲକ୍ଷ ଟନ୍ କେବଳ ଓଡିଶାରେ ଉତ୍ପାଦନ ହେଉଥିବାବେଳେ ଏହାର ଉପଯୁକ୍ତ ମୂଲ୍ୟ ପାଉ ନାହାନ୍ତି ଚାଷୀ । କଂଟାବାଞ୍ଜିରୁ ଭୋଜରାଜ ମେହେରଙ୍କ ରିପୋର୍ଟ, କନକ ନ୍ୟୁଜ ।