ଅନ୍ଧକାରରେ ମେଧାବୀ ଛାତ୍ରର ଭବିଷ୍ୟତ ! ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ଯୋଗୁଁ କଟିଲା ହାତ

47

କନକ ବ୍ୟୁରୋ : ଅନ୍ଧକାର ଭିତରକୁ ଠେଲି ହେବାକୁ ଯାଉଛି ମେଧାବୀ ଛାତ୍ରଙ୍କ ଭବିଷ୍ୟତ । ପ୍ରଥମେ ସ୍କୁଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତ ହରାଇଥିଲା ସୁବଳ । ଆଉ ଏବେ ପୁଣି ଜିଲ୍ଲା ପ୍ରଶାସନର ମିଛ ପ୍ରତିଶ୍ରୁତି ଯୋଗୁଁ ମାଟ୍ରିକ ପରୀକ୍ଷା ଦେବାରୁ ବଂଚିତ ହୋଇଛି ସୁବଳ । ହାତ ହରାଇଥିବା ଏହି ଛାତ୍ର କିଭଳି ପରୀକ୍ଷା ଦେବ ସେଥିପାଇଁ ଜିଲ୍ଲା ପ୍ରଶାସନ କିମ୍ବା ସ୍କୁଲ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନାହାଁନ୍ତି ।

ଯାହା ଫଳରେ ପାଠ ପଢ଼ି ନିଜ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖୁଥିବା ସୁବଳଙ୍କର ସବୁ ଆଶା ଧୂଳିସାତ ହେବାକୁ ବସିଛି । ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୃଥ୍ୱୀରାଜ ବାଳକ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ସୁବଳ ସେଲମାଙ୍କ ସହ । ୨୦୧୬ ମସିହା ଜୁଲାଇ ୫ ତାରିଖ ବିଦ୍ୟାଳୟରେ ଚାଲିଥିଲା ଦ୍ୱିତୀୟ ପିରିୟଡ । କ୍ଲାସ ଚାଲିଥିଲାବେଳେ ଶୌଚ ହେବା ପାଇଁ ଯାଇଥିଲେ ସୁବଳ ।

ସ୍କୁଲରେ ଥିବା ଶୌଚûଳୟରେ ତାଲା ପଡିବା କାରଣରୁ ସ୍କୁଲ ପରିସର ବାହାରକୁ ଯାଇଥିଲେ ସୁବଳ । ଆଉ ଦୁଃର୍ଭାଗ୍ୟବଶତଃ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ସୁବଳ । ବିଦ୍ୟୁତ୍ ଆଘାତରେ ସୁବଳର ଡାହାଣ ହାତ ଓ ବାମ ଗୋଡ ଜଳିଯାଇଥିଲା । ଜୀବନ ବଂଚାଇବା ପାଇଁ ଶେଷରେ ସୁବଳର ହାତ ଓ ପାଦ କାଟି ଦିଆଯାଇଥିଲା ।

ପଙ୍ଗୁ ହୋଇଯାଇଥିଲା ସୁବଳ । ଏହି ସମୟରେ ସ୍କୁଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସୁବଳଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସମୟ ଗଡିବା ସହ ପ୍ରତିଶ୍ରୁତିକୁ ଭୁଲି ଯାଇଛନ୍ତି ଉଭୟ ସ୍କୁଲ ଓ ପ୍ରଶାସନ । ଜିଲ୍ଲା ପ୍ରଶାସନ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହା ସହ ଛାତ୍ରର ଭବିଷ୍ୟତ ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।