ବ୍ୟାଙ୍କ୍ ଜାଣିନି ନିୟମ କଣ ? ବଲାଙ୍ଗିରରେ ୧୦ଟଙ୍କିଆ କଏନ୍ ଗ୍ରହଣ କରିବା ପାଇଁ ମନା କଲେ କର୍ତ୍ତୃପକ୍ଷ

56

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ କିଛି ବ୍ୟାଙ୍କରେ ବେଆଇନ ଅର୍ଥକାରବାର ହୋଇଥିବାର ଅଭିଯୋଗ ଆସିଛି । ଏସବୁ ଭିତରେ ଏବେ ସନ୍ଦେହ ଘେରକୁ ଚାଲି ଆସିଛି ବଲାଙ୍ଗିର ଆଇସିଆଇସିଆଇ ବ୍ୟାଙ୍କ । ୧୦ ଟଙ୍କିଆ କଏନକୁ ଅଚଳ କରିଦେଇଛନ୍ତି ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀ । ୧୦ ଟଙ୍କିଆ ମୁଦ୍ରା ବୈଧ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିବା ପରେ ମଧ୍ୟ ସବୁ ନୀତି ନିୟମକୁ ଏଠାରେ ଆଖିଠାର କରାଯାଉଛି । ଯାହାକୁ ନେଇ ଏବେ ଚିନ୍ତାରେ ପଡିଯାଇଛନ୍ତି ଗ୍ରାହକ ।

ବିମୁଦ୍ରାକରଣ ସମୟରେ ୧୦ଟଙ୍କିଆ କଏନ ଅଚଳ ହୋଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା । ଏଣୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗାଇଡଲାଇନ ଜାରି କରି ସ୍ପଷ୍ଟ କରିଥିଲେ ଯେ ୧୦ଟଙ୍କିଆ ମୁଦ୍ରା ଅଚଳ ହୋଇ ନାହିଁ । ଏମିତିକି ବ୍ୟାଙ୍କ ମାନଙ୍କୁ ଏହି କଏନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ବଲାଙ୍ଗିର ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟ ଏବେ ସନ୍ଦେହ ଘେରରେ ।

ତେବେ ସେହି ବ୍ୟାଙ୍କ ଭିତରେ ଲାଗିଛି ଏକ ନୋଟିସ । ରିଜର୍ଭବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ଏହି ନୋଟିସରେ ସ୍ପଷ୍ଟ କରାଯାଇଛି ଯେ ୧୦ଟଙ୍କିଆ କଏନରେ ଆର୍ଥିକ କାରବାର କରିହେବ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ବ୍ୟାଙ୍କ୍ କର୍ମଚାରୀ କହୁଛନ୍ତି ଯେ ଏହି ୧୦ଟଙ୍କିଆ କଏନ୍ ବଜାରରେ ଚଳିବ କିନ୍ତୁ ବ୍ୟାଙ୍କରେ ନୁହଁ ।