ନରସିଂହଙ୍କୁ କଂଗ୍ରେସ ଦେଲା ବଲାଙ୍ଗୀର ଭାର । ବିଜେଡିକୁ ଦ୍ୱନ୍ଦରେ ରଖିଛି ୨୦୧୪ର ତିକ୍ତ ଅନୁଭୂତି, କ’ଣ କରିବ ବିଜେପି ?

256

କନକ ବ୍ୟୁରୋ: ୨୦୧୯ ମହାସମର ପାଇଁ ପ୍ରସ୍ତୁତ ହୋଇଛନ୍ତି ବିଜେଡି ଓ କଂଗ୍ରେସ । ଗତକାଲି ଉଭୟ ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । କିନ୍ତୁ ଉଭୟ ଦଳ ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଭିନ୍ନ ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ଘୋଷଣା ଝୁଲାଇ ରଖିବା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି । ସବୁଠାରୁ ରୋଚକ ସ୍ଥିତିରେ ଏବେ ବଲାଙ୍ଗୀର ବିଧାନସଭା କ୍ଷେତ୍ର । କାରଣ କଂଗ୍ରେସ ପୁଣିଥରେ ନରସିଂହ ମିଶ୍ରଙ୍କୁ ବଲାଙ୍ଗୀର ଭାର ଦେଇଛି । ଏବଂ ୨୦୧୪ ଇତିହାସକୁ ପୁନରାବୃତ୍ତି କରିବାକୁ ଉଭୟ ବିଜେଡି ଓ ବିଜେପି ପୂର୍ବରୁ ସେନାପତି ବାଛିଛନ୍ତି କଂଗ୍ରେସ ହାଇକମାଣ୍ଡ । ସେପଟେ ବିଜେଡି ଗତକାଲି ଦୁଇଟି ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ଲୋକସଭା ଏବଂ ୫୪ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀ ଘୋଷଣା କରିଥିଲେ ମଧ୍ୟ ବଲାଙ୍ଗୀର ବିଧାନସଭାକୁ ଝୁଲାଇ ରଖିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ଆସନ ମଧ୍ୟରେ ବଲାଙ୍ଗୀର ବିଧାନସଭା ଆସନ ରହିଛି । ଏହି ଆସନରୁ ବିଧାୟକ ହୋଇଥିବା ନେତା କେତେବେଳେ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ତ ପୁଣି କେତେବେଳେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି । ଏପରିକି ଅଧିକାଂଶ ଥର ଏହି ଆସନରେ ରାଜପରିବାରର ଦବଦବା ଦେଖିବାକୁ ମିଳିଛି । କିନ୍ତୁ ଗତ ନିର୍ବାଚନରେ ଅନଙ୍ଗଉଦୟ ସିଂହଦେଓଙ୍କୁ ହରାଇ ନରସିଂହ ମିଶ୍ର ଏହି ଧାରା ଭାଙ୍ଗିଥିବା ବେଳେ ଆସନ୍ତା ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି କରିବାକୁ କଂଗ୍ରେସ ହାଇକମାଣ୍ଡ ନରସିଂହଙ୍କୁ ବାଛିଛନ୍ତି । ସେପଟେ ବିଜେଡି ଏଠାରୁ କାହାକୁ ପ୍ରାର୍ଥୀ କରିବ ସେନେଇ ଅଙ୍କ ଛିଣ୍ଡିପାରୁନଥିବା ବେଳେ ଏଯାବତ୍ ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା ହୋଇନାହିଁ । ଯାହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗି ରହିଛି ।

୨୦୧୪ ନିର୍ବାଚନରେ ଦୁଇ ହେଭିୱେଟଙ୍କ ଲଢେଇ ଏହି ଆସନରେ ଦେଖିବାକୁ ମିଳିଥିଲା । ରାଜପରିବାରର ଅନଙ୍ଗଉଦୟ ସିଂହଦେଓଙ୍କୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇଥିଲେ ନରସିଂହ ମିଶ୍ର । ଆଉ ଦୀର୍ଘ ୨୪ ବର୍ଷ ଧରି ବିଧାୟକ ରହି ଆସିଥିବା ଅନଙ୍ଗଉଦୟଙ୍କୁ ମାତ୍ ଦେଇ ନରସିଂହ ଉଡାଇଥିଲେ ବିଜୟ ବାନା । କିନ୍ତୁ ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡିରୁ ଅନଙ୍ଗଙ୍କ ବଦଳରେ ତାଙ୍କ ସାନପୁଅ ଅର୍କେଶ ସିଂହଦେଓ ଏହି ଆସନରୁ ଲଢିବାକୁ କମର କଷିଥିବା ଚର୍ଚ୍ଚା ହେଉଛି । କିନ୍ତୁ ବିଜେଡି ଯଦି ଗୋଟିଏ ପରିବାର ଗୋଟିଏ ଟିକେଟ ଫର୍ମୁଲାକୁ ଆପଣାଏ ତେବେ ଅର୍କେଶଙ୍କ ପାଇଁ ଅଡୁଆ ବଢ଼ିପାରେ । କାରଣ କଳିକେଶଙ୍କୁ ବଲାଙ୍ଗୀର ଲୋକସଭା ଆସନରୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି ଦଳ । ଏପରି ସ୍ଥଳେ ଅର୍କେଶଙ୍କୁ ଟିକେଟ୍ ମିଳିବା ସମ୍ଭାବନା କମ୍ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେଡିର ଅନ୍ୟ ଦୁଇ ଦାବିଦାର ଶ୍ରୀମୟୀ ମିଶ୍ର ଏବଂ ଗତଥର ଅଳ୍ପକେ ବିଜେଡି ଟିକେଟରୁ ବଞ୍ଚିତ ହୋଇଥିବା ଲଳିତ ନାୟକଙ୍କୁ ନିର୍ବାଚନ ବ୍ୟାଟଲଗ୍ରାଉଣ୍ଡରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସେଥିପାଇଁ ଏହି ଆସନକୁ ନେଇ ବିଜେଡିରେ କନଫ୍ୟୁଜନ ଲାଗିରହିଥିବା ଶୁଣିବାକୁ ମିଳୁଛି ।

ଅନ୍ୟପଟେ ବିଜେପି ମଧ୍ୟ ବଲାଙ୍ଗୀରକୁ ଗେରୁଆ ରଙ୍ଗରେ ରଙ୍ଗୀନ କରିବାକୁ ଅଣ୍ଟା ଭିଡ଼ିଥିଲେ ମଧ୍ୟ ଯୋଗ୍ୟ ପ୍ରାର୍ଥୀ ଚୟନ କରିବାକୁ ନେଇ ଦ୍ୱନ୍ଦରେ ରହିଛି । କାରଣ ଦଳ ପକ୍ଷରୁ ଏଯାବତ୍ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରି ନାହିଁ । କାହିଁକି ଦଳ ଏତେବ ବିଳମ୍ବ କରୁଛି ସେନେଇ ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଆଲୋଚନା ଚାଲୁ ରହିଛି । ତେବେ ଗତଥରର ପ୍ରାର୍ଥୀ ଥିବା ବାସୁଦେବ ପତି ଟିକେଟ ରେସରେ ଆଗୁଆ ରହିଥିବା ବେଳେ ଗୋପାଳଜୀ ପାଣିଗ୍ରାହୀ, ପ୍ରଭାସ ପାଣିଗ୍ରାହୀ ଓ ଅନନ୍ତ ଦାସ ମଧ୍ୟ ଟିକେଟ ଦାବିଦାର ଭାବେ ଉଭା ହୋଇଛନ୍ତି । ତେବେ ଆସନ୍ତା ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବଲାଙ୍ଗୀର ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ବିଜେପି କେବେ ତାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିବ ତାହା ଉପରେ ରହିଛି ସମସ୍ତଙ୍କ ନଜର ।