ବଲାଙ୍ଗୀର ପାଇଁ ବଢୁଛି ହୃଦସ୍ପନ୍ଦନ ! ନରସିଂହଙ୍କୁ ସାମ୍ନା କରିବେ ନବାଗତ ଅର୍କେଶ, କିଏ ମାରିବ ବାଜି ?

200

କନକ ବ୍ୟୁରୋ: ବଲାଙ୍ଗୀରରେ ଅଭିଜ୍ଞ ବନାମ ନବାଗତଙ୍କ ମଧ୍ୟରେ ଲଢ଼େଇ । ଗତକାଲି ବିଜେଡି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ନବାଗତ ଅର୍କେଶ ନାରାୟଣ ସିଂହଦେଓଙ୍କ ନାଁ ଘୋଷଣା ପରେ ସରଗରମ ବଲାଙ୍ଗୀର ରାଜନୀତି । କାରଣ ବାପା ଅନଙ୍ଗଙ୍କ ସ୍ଥାନରେ ତାଙ୍କ ପୁଅ ଅର୍କେଶଙ୍କୁ ବିଜେଡି ସୁପ୍ରିମୋ ବଲାଙ୍ଗୀର ଭାର ଦେଇଛନ୍ତି । ସେପଟେ ନିଜର ରାଜନୈତିକ କ୍ୟାରିୟରର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବା ଅର୍କେଶଙ୍କ ସାମ୍ନାରେ ପ୍ରତିଦ୍ୱନ୍ଦୀଭାବେ ଛିଡ଼ା ହୋଇଛନ୍ତି ଅଭିଜ୍ଞ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ର । ଏବେ ବଲାଙ୍ଗୀର ରାଜନୀତିରେ କିଏ କାହା ଉପରେ ଭାରି ପଡ଼ିବ ତାକୁ ନେଇ ଅଙ୍କ କଷାକଷି ଆରମ୍ଭ ହୋଇଛି ।

ରାଜ୍ୟ ରାଜନୀତିରେ ଏକ ଜଣାଶୁଣା ଆସନ ମଧ୍ୟରେ ବଲାଙ୍ଗୀର ବିଧାନସଭା ଆସନ ରହିଛି । ଏହି ଆସନରୁ ବିଧାୟକ ହୋଇଥିବା ନେତା କେତେବେଳେ ସରକାରରେ ମନ୍ତ୍ରୀ ପଦ ପାଇଛନ୍ତି ତ ପୁଣି କେତେବେଳେ ବିରୋଧୀ ଦଳ ନେତା ପଦବୀରେ ବସିଛନ୍ତି । ଏପରିକି ଅଧିକାଂଶ ଥର ଏହି ଆସନରେ ରାଜପରିବାରର ଦବଦବା ଦେଖିବାକୁ ମିଳିଛି । କିନ୍ତୁ ଗତ ନିର୍ବାଚନରେ ଅନଙ୍ଗଉଦୟ ସିଂହଦେଓଙ୍କୁ ହରାଇ ନରସିଂହ ମିଶ୍ର ଏହି ଧାରା ଭାଙ୍ଗିଥିବା ବେଳେ ଆସନ୍ତା ନିର୍ବାଚନରେ ମଧ୍ୟ ଏହାର ପୁନରାବୃତ୍ତି କରିବାକୁ କଂଗ୍ରେସ ହାଇକମାଣ୍ଡ ନରସିଂହଙ୍କୁ ବାଛିଛନ୍ତି । ସେପଟେ ବିଜେଡି ୨୦୧୪ର ତିକ୍ତ ଅନୁଭୂତିକୁ ଭୁଲାଇ ଅନଙ୍ଗଙ୍କ ସାନ ପୁଅ ନବାଗତ ଅର୍କେଶଙ୍କୁ ନରସିଂହଙ୍କୁ ସାମ୍ନା କରିବାକୁ ବାଛିଛି ।

ଗତ ୨୦୧୪ ସାଧାରଣ ନିର୍ବାଚନକୁ ଯଦି ଅନୁଧ୍ୟାନ କରାଯାଏ ତେବେ, ଦୁଇ ହେଭିୱେଟ ନରସିଂହ ବନାମ ଅନଙ୍ଗଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା । ରାଜପରିବାରର ଅନଙ୍ଗଉଦୟ ସିଂହଦେଓଙ୍କୁ ମାତ୍ ଦେବାକୁ ମୈଦାନକୁ ଓହ୍ଲାଇଥିଲେ ନରସିଂହ ମିଶ୍ର । ଆଉ ଦୀର୍ଘ ୨୪ ବର୍ଷ ଧରି ବିଧାୟକ ରହି ଆସିଥିବା ଅନଙ୍ଗଉଦୟଙ୍କୁ ମାତ୍ ଦେଇ ନରସିଂହ ଉଡାଇଥିଲେ ବିଜୟ ବାନା । କିନ୍ତୁ ଆସନ୍ତା ୧୮ ତାରିଖ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେଡିରୁ ଅନଙ୍ଗଙ୍କ ବଦଳରେ ତାଙ୍କ ସାନପୁଅ ଅର୍କେଶ ସିଂହଦେଓ ଅଭିଜ୍ଞ ନରସିଂହଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ରହିଛନ୍ତି । ଆଉ ବାପାଙ୍କ ପରାଜୟର ବଦଲା ନେବାକୁ ନରସିଂହଙ୍କୁ କଡ଼ା ଟକ୍କର ଦେବାକୁ ବଳ କଷୁଥିବା ସ୍ଥାନୀୟ ସମର୍ଥକ ଆଲୋଚନା କରୁଛନ୍ତି ।