ହୃଦରୋଗରେ ପୀଡିତ ଅଢେଇ ବର୍ଷର କୁନି ପୁଅ ଅଂଶୁମାନ ! ଆପଣଙ୍କ ସାହାଯ୍ୟ କୁନି ପୁଅ ଅଂଶୁକୁ ଦେବ ନୂଆ ଜୀବନ ।

69
କଅଁଳ ପାଦ, ନିରୀହ ଆଖି । ଖେଳକୁଦ କରିବା ବୟସରେ ଆଖି ତାର ହୋଇଯାଉଛି ଛଳଛଳ । କାରଣ ସାଙ୍ଗସାଥୀ ମାନଙ୍କ ସହ ଟିକିଏ ଖେଳିଦେଲେ ସେ ଧଇଁସଇଁ ହୋଇପଡୁଛି । ଆଉ ତା’ପରେ ହେଉଛି ହୃଦୟ ଯନ୍ତ୍ରଣା । କଷ୍ଟରେ ଛଟପଟ ହୋଇ ଗଡିଯାଉଛି । ଡାକ୍ତର ମଧ୍ୟ ଅସ୍ତ୍ରୋପଚାର ଜୁରୁରୀ ବୋଲି କହିସାରିଛନ୍ତି । କିନ୍ତୁ ବାପା-ମାଙ୍କ ପାଖରେ ସେତିକି ସମ୍ବଳ ନାହିଁ ଯେ ପୁଅର ଅସ୍ତ୍ରୋପଚାର ପାଇଁ ଟଙ୍କା ଦେଇପାରିବେ। ଭାଗ୍ୟକୁ ଆଦରି ସେମାନେ ସହାୟତା ଅପେକ୍ଷାରେ ରହିଛନ୍ତି । ଆପଣମାନଙ୍କ ସହଯୋଗ କୁନି ଅଂଶୁମାନ ପାଇଁ ଆଶାର ଆଲୋକଟିଏ ଭରିଦେଇ ପାରେ।
ଓଡିଶାର ବଲାଙ୍ଗୀର ଜିଲ୍ଲା ସତ୍ୟ ନାରାୟଣ ପଡ଼ାର ରମଣି ରଂଜନ ସାହୁ ଓ ରେଣୁକା ସାହୁ। ତାଙ୍କର ଅଢେଇ ବର୍ଷର ପୁଅ ଅଂଶୁମାନ। ଅଂଶୁମାନକୁ ଯେତେବେଳେ ୬ ମାସ ହୋଇଥିଲା, ସେତେବେଳେ ଥଣ୍ଡା, ଜ୍ୱର ହୋଇଥିଲା। ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇବା ପରେ ସେ ହୃଦରୋଗରେ ପୀଡ଼ିତ ଥିବା ଡାକ୍ତର କହିଥିଲେ । ରାୟପୁରର ସତ୍ୟ ସାଇ ହସ୍ପିଟାଲକୁ ପୁଅର ଚିକିତ୍ସା ପାଇଁ ନେଇଥିଲେ ରାଇସ୍ ମିଲରେ କାମ କରୁଥିବା ରମଣି ରଂଜନ। ସେଠାରେ ଅସ୍ତ୍ରୋପଚାର କରାଯିବ ହେଲେ ଆହୁରି ୨ ବର୍ଷ ଅପେକ୍ଷା କରିବାକୁ ପଡିବ ବୋଲି ପରାମର୍ଶ ଦେଇଥିଲେ ଡାକ୍ତର। ଫଳରେ ନିରାଶ ହୋଇ ଫେରିଥିଲେ ସାହୁ ଦମ୍ପତ୍ତି। କିନ୍ତୁ ପୁଅର କଷ୍ଟ ଅହସ୍ୟ ହୋଇଥିଲା। ଭୁବନେଶ୍ୱର ନେଇ ପୁଣି ଯାଇଥିଲେ ଅଂଶୁମାନକୁ। ଏକ ଘରୋଇ ଡାକ୍ତରଖାନାର ଡାକ୍ତର କହିଥିଲେ ଯେ ମୁମ୍ବାଇରେ ତାର ଅସ୍ତ୍ରୋପଚାର ହୋଇପାରିବ। ଏଥିପାଇଁ ୩ ଲକ୍ଷରୁ ଅଧିକ ଟଙ୍କା ଆବଶ୍ୟକ। କିନ୍ତୁ ଏତେ ଟଙ୍କା ଆଣିବେ କେଉଁଠୁ ରମଣି ରଂଜନ ? ପୁଅର ଅସ୍ତ୍ରୋପଚାର ଜରୁରୀ ହୋଇ ପଡିଥିବା ବେଳେ ଏବେ ସହାୟତା ଅପେକ୍ଷାରେ ବାପା ରମଣି ରଂଜନ ଓ ମା’ ରେଣୁକା। ତେବେ ଆପଣ ମାନଙ୍କର ଟିକିଏ ସହାୟତା କୁନି ପୁଅ ଅଂଶୁମାନକୁ ଏକ ନୂଆ ଜୀବନ ଦେବ ।