କନକ ବ୍ୟୁରୋ: କନ୍ଧମାଳରେ ଲଜ୍ଜା । ଗତକାଲି ଦିନ ଦ୍ୱିପ୍ରହରରେ କୋଟଗଡ ଅଚଂଳରେ ଅପହୃତ ହୋଇଥିବା ନାବାଳିକା ଶିଶୁକନ୍ୟାର ମୃତଦେହ ନାଲିଆ ଚାଂଚଡା ନାଳ ନିକଟରୁ ଉଦ୍ଧାର କରାଯାଇଛି । ସଂପୃକ୍ତ ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏହା ପରେ ତାତିଛନ୍ତି ଲୋକେ । କୋଟଗଡରେ ଲୋକେ ବାଲିଗୁଡା-ମୁନିଗୁଡା ରାସ୍ତା ଅବରୋଧ କରିଛନ୍ତି । ପୋଲିସ ଘଟଣାରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ।

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ହାଟପଦା ସାହିରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଥିବା ବେଳେ ମାମଲାରେ ପୁଲିସ ଗଗନ ପ୍ରଧାନ ନାମକ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏଣେ ଉତ୍ତେଜନା କ୍ରମେ ବଢ଼ିବା ସହ ସ୍ଥାନୀୟ ଜନସାଧାରଣ ରାସ୍ତାରୋକ ଆରମ୍ଭ କରି ଦେଇଥିବା ଜଣାଯାଇଛି। କୋଟଗଡ଼ ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ଗତକାଲି ହାଟପଦା ସାହିର ୯ ବର୍ଷର ଝିଅଟି ଦିନ ୨ଟାରେ ନିଖୋଜ ହୋଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ତାକୁ କେଉଁଠି ନପାଇବା ପରେ କୋଟଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ ଶିଶୁକନ୍ୟାର ମୃତଦେହ ନାଲିଆ ଚାଂଚଡା ନାଳ ନିକଟରେ ପଡିଥିବା ଖବର ଶୁଣିବାକୁ ପାଇ ତୁରନ୍ତ ପରିବାର ଲୋକେ ଓ ସାହି ବାସିନ୍ଦା ବିଲମାଳକୁ ଯାଇଥିଲେ। ସେଠାରେ ଝିଅର ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ ।

ପୁଲିସ ଘଟଣା ସ୍ଥଳକୁ ଯାଇ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ସେହି ଅଂଚଳର କିଛି ଲୋକ ଗଗନ ପ୍ରଧାନ କିଛି ସମୟ ଆଗରୁ ସେହି ରାସ୍ତାରେ ଓଦା ସରସର ହୋଇ ଶବ ଯେଉଁ ସ୍ଥାନରେ ପଡ଼ିଛି ସେଠାରୁ ଆସୁଥିବା ଦେଖିଥିଲେ ବୋଲି ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ତୁରନ୍ତ ଗଗନକୁ ଧରି ଆଣି ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।