ସ୍ୱାମୀ ସାଜିଲା ସୈତାନ। ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେଇଥିଲା ନୃଶଂସ ସ୍ୱାମୀ। ଗିରଫ ପରେ ପୁଲିସ ଆଗରେ ସତ ଓଗାଳିଲା ଅଭିଯୁକ୍ତ

ନିଖୋଜର ୧୭ ଦିନ ପରେ ମିଳିଲା ମହିଳାଙ୍କ ମୃତଦେହ

669

କନକ ବ୍ୟୁରୋ: ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀକୁ ମାରି ମାଟି ତଳେ ପୋତି ଦେଇଥିଲା ନୃଶଂସ ସ୍ୱାମୀ । ନିଖୋଜର ୧୭ ଦିନ ପରେ ମିଳିଛି ମହିଳାଙ୍କ ମୃତଦେହ । ସମ୍ବଲପୁର ସିଟି ଷ୍ଟେସନ ପଛପଟୁ ଆମ୍ବ ବଗିଚାରେ ସର୍ଚ ଅପରେସନ କରି ମାଟି ଖୋଳି ମୃତଦେହ ବାହାର କରିଛି ପୋଲିସ । ମୃତ ମହିଳା ଆରତୀ ଦେବୀଙ୍କ ସ୍ୱାମୀ କୁନାଲ ସିଂଙ୍କୁ ଗିରଫ କରିବା ପରେ ନିଖୋଜ ମହିଳାଙ୍କ ମୃତଦେହ ଠାବ କରିବାରେ ସଫଳ ହୋଇଛି ପୋଲିସ ।

ଆଜି ସାଇଂଟିଫିକ ଟିମ ଉପସ୍ଥିତିରେ ମାଟି ଖୋଳି ପୋଲିସ ଆରତୀର ମୃତଦେହ ବାହାର କରିଛି । ସୂଚନା ଅନୁସାରେ କୁନାଲ ସିଂ ଆରତୀକୁ ବର୍ଷେ ତଳେ ବିବାହ କରିଥିଲା । ବାହାଘର ପରେ ଯୌତୁକ ନିର୍ଯ୍ୟାତନା ଦେଉଥିଲା କୁନାଲ । ହେଲେ ଗତ ଡିସେମ୍ବର ୩୧ ତାରିଖରୁ ଆରତୀ ନିଖୋଜ ଥିବା କୁନାଲ ଧନୁପାଲି ଥାନାରେ ଏତଲା ଦେଇଥିବା ସହ କିଛି ଦିନ ପରେ ସାକ୍ଷୀପଡା ସ୍ଥିତ ଘରେ ତାଲା ମାରି କୁନାଲଙ୍କ ପରିବାର ଲୋକେ ଫେରାର ହୋଇଥିଲେ । କୁନାଲ ଫେରାର ପରେ ପୋଲିସର ସନ୍ଦେହ ବଢିଥିଲା । ଏହି ମାମଲା ଧନୁପାଲି ଥାନାରୁ ମହିଳା ଥାନାକୁ ସ୍ଥାନାନ୍ତର ହେବା ପରେ ମହିଳାଥାନା ପୋଲିସ ବିହାର ଯାଇ ବିଭିନ୍ନ ସ୍ଥାନରେ ଛାନଭିନ କରିଥିଲା ।

ପୋଲିସ କୁନାଲକୁ ଗିରଫ କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଥିଲା । ଶେଷରେ କୁନାଲ ଜାଗା ଚିହ୍ନଟ କରିବା ପରେ ପୋଲିସ ସେହି ସ୍ଥାନକୁ ଖୋଳି ନିଖୋଜ ଆରତୀଙ୍କୁ ମୃତଦେହ ଉଦ୍ଧାର କରିଛି । ଆରତୀଙ୍କ ବାପାଙ୍କ କହିବା ଅନୁସାରେ ପୋଲିସ ପ୍ରଥମେ ଏକ ନିରୁଦ୍ଦିଷ୍ଟ ମାମଲା ରୁଜୁ କରି ଛାନଭିନ କରୁଥିଲା । ଏବେ କୁନାଲଙ୍କ ଜଣେ ସହଯୋଗୀ ଫେରାର ଥିବା ବେଳେ ୪ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ପୋଲିସ ।