ଏବେ ଆଇଏସଆଇଏସ୍ ଟାର୍ଗେଟରେ ଭାରତ : ଲାକ୍ଷାଦ୍ୱୀପ ଅଭିମୁଖେ ୧୫ ଆତଙ୍କୀ, ଉପକୂଳରେ ହାଇଆଲର୍ଟ

266

କନକ ବ୍ୟୁରୋ : ଭାରତରେ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି ଆଇଏସ୍ଆଇଏସ୍ ଆତଙ୍କୀ । ଦେଶ ବିରୋଧରେ କୌଣସି ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବାର ସ୍ପଷ୍ଟ ଜଣାପଡ଼ୁଛି । ଶ୍ରୀଲଙ୍କାରେ ସିରିଏଲ ବୋମା ବିସ୍ପୋରଣ ପରେ ଆଇଏସଆଇଏସ୍ ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତ । ପ୍ରାୟ ୧୫ ଜଣ ଆତଙ୍କବାଦୀ ଲାକ୍ଷା ଦ୍ୱୀପ ଆଡ଼କୁ ବଢ଼ୁଛନ୍ତି ବୋଲି ଶ୍ରୀଲଙ୍କା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଖବର ଜଣାପଡ଼ିବା ପରେ ଭାରତୀୟ ସୀମାରେ ମୁତୟନ ଥିବା ସୁରକ୍ଷା ଏଜନ୍ସେ ଗୁଡ଼ିକ ସତର୍କ ହୋଇଯାଇଛନ୍ତି । କେରଳ ଉପକୂଳରେ ହାଇ ଆଲର୍ଟ ଜାରି କରିଦିଆଯାଇଛି ।

ଶ୍ରୀଲଙ୍କା ପକ୍ଷରୁ ଭାରତ ପାଇଁ ୨୩ମେ ରେ ଏକ ଆଲର୍ଟ ଜାରି କରାଯାଇଥିଲା । ୧୫ ଜଣ ଆତଙ୍କୀ ଏକ ଧଳା ରଙ୍ଗର ଡଙ୍ଗାରେ ଲାକ୍ଷାଦ୍ୱୀପ ଆଡ଼କୁ ବଢ଼ୁଥିବା ସହ କୌଣସି ବଡ଼ ଷଡ଼ଯନ୍ତ୍ର ରଚୁଥିବାର ଅନୁମାନ କରାଯାଉଛି । ସୁରକ୍ଷା କର୍ମୀଙ୍କ ସହ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସତର୍କ ଚେତାବନୀ ଦିଆଯାଇଛି ।

ଆତଙ୍କବାଦୀଙ୍କ ସଂଖ୍ୟା ନେଇ ବିଶ୍ୱସ୍ତ ସୂଚନା ମିଳିଥିବାରୁ ଏହାକୁ ଅଣଦେଖା କରାଯିବା ଠିକ ନୁହେଁ ବୋଲି ସୁରକ୍ଷା ଏଜେନ୍ସି ଗୁଡ଼ିକ ପ୍ରକାଶ କରିଛନ୍ତି । ଧଳା ରଙ୍ଗର କୌଣସି ସନ୍ଦିଗ୍ଧ ଡଙ୍ଗା ଦେଖିଲେ ତୁରନ୍ତ ଉପକଳ ପୋଲିସ ଥାନାରେ ଓ ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଶ୍ରୀଲଙ୍କା ଆକ୍ରମଣ ପରେ ଭାରତରେ ସୁରକ୍ଷା ଏଜେନ୍ସି ଗୁଡ଼ିକ ଆଲର୍ଟ ଅଛନ୍ତି ।