୬ ମହିଳା ଭାସିବା ପରେ ପ୍ରଶାସନର ପଶିଲା ଚେତା : ଦଉଡ଼ି ବଦଳରେ ଦାରିଙ୍ଗିବାଡି ଖଡଗନଦୀରେ ପଡିଲା ଡଙ୍ଗା

41

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ଖବର ପ୍ରସାରଣ ପରେ ପ୍ରଶାସନର ପଶିଲା ଚେତା । ଦାରିଙ୍ଗିବାଡି ଖଡଗ ନଦୀରେ ପଡିଲା ଡଙ୍ଗା । କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବ୍ଲକ୍ କିରିକୁଟି ପଂଚାୟତର ବୁରାଙ୍ଗିଆ ଗାଁକୁ ଯିବା ଆସିବା ପାଇଁ ଖଡଗ ନଦୀରେ ଡଙ୍ଗା ଯୋଗାଇ ଦେଇଛି ପ୍ରଶାସନ । ଏହା ସହ ଲାଇଫ୍ ଜ୍ୟାକେଟ୍ ମଧ୍ୟ ଯୋଗାଇ ଦିଆଯାଇଛି । ନଦୀର ଦୁଇ ପାଶ୍ୱର୍ରେ ଦୁଇଟି ବିଦ୍ୟୁତ୍ ତାରକୁ ଗଛରେ ବାନ୍ଧି ଅତି ବିପଜ୍ଜନକ ଭାବେ ବୁରାଙ୍ଗିଆ ଗାଁକୁ ଯିବା ଆସିବା କରୁଥିଲେ ଅଂଚଳବାସୀ ।

ଗତ ୨୧ ତାରିଖ ଦିନ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ବୁରାଙ୍ଗିଆ ଗ୍ରାମ ଦେଇ ପ୍ରବାହିତ ଖଡ଼ଗନଦୀରେ ୨ ଗର୍ଭବତୀଙ୍କ ସାମତ ୬ ମହିଳା ନଦୀକୁ ଖସି ପଡ଼ିବା ପରେ ଚେତା ପଶିଛି। ପ୍ରଶାସନ ପକ୍ଷରୁ ଡଙ୍ଗା ଚଳାଚଳ ଆରମ୍ଭ ହୋଇଛି। ବୁରାଙ୍ଗିଆ ଗ୍ରାମର ଜନସାଧାରଣଙ୍କ ପାଇଁ ଖଡ଼ଗନଦୀ ଏକ ମାତ୍ର ଜୀବନ ରେଖା ପାଲଟିଥିବା ବେଳେ ଏହା ଯୋଗାଯୋଗ ପାଇଁ ପ୍ରମୁଖ ମାଧ୍ୟମ। ପ୍ରତିଦିନ ଗ୍ରାମବାସୀ ଉଭୟ ପଟେ ବନ୍ଧା ଯାଇଥିବା ଦଉଡ଼ିକୁ ଧରି ବିପଦସଙ୍କୁଳ ଅବସ୍ଥାରେ ପାର ହୋଇଥାନ୍ତି। ବର୍ଷାରେ ନଦୀରେ ପାଣି ପଶୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଥାନ୍ତି।

ରାସ୍ତା ନିର୍ମାଣ ପାଇଁ ବହୁବାର ଦାବି ପରେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଅର୍ଥ ମଞ୍ଜୁରି ସହ ୫ ବର୍ଷ ପୂର୍ବେ ଏହାର କାମ ଆରମ୍ଭ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଏହା ପୂର୍ଣ୍ଣାଙ୍ଗ ହୋଇପାରିନି। ଗତ ୨୧ ତାରିଖ ଦିନ ସକାଳେ ସବୁଦିନ ଭଳି ସେଦିନ ମଧ୍ୟ ୬ ଜଣ ମହିଳା ନଦୀର ଉଭୟ ପାର୍ଶ୍ୱରେ ବନ୍ଧାଯାଇଥିବା ଦଉଡ଼ି ପାର ହୋଇ ଯାଉଥିବା ବେଳେ ହଠାତ୍ ଖସି ପଡ଼ିଥିଲେ। ତିନିଜଣ ଯୁବକ ଠିକଣା ସମୟରେ ନଦୀଗର୍ଭରୁ ଡେଇଁ ସେମାନଙ୍କୁ ଉଦ୍ଧାର କରିବାରୁ ଏକ ବଡ଼ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା।

ଏହି ଘଟଣା ପରେ ଜିଲ୍ଲା ଓ ବ୍ଲକ ପ୍ରଶାସନଙ୍କ ଚେତା ପଶିବା ସହିତ ଏହି ସମସ୍ୟାରୁ ଗ୍ରାମବାସୀଙ୍କୁ ମୁକ୍ତି ଦେବା ପାଇଁ ଚିଲିକାରୁ ଡଙ୍ଗା ଆଣି ଆଜି ନଦୀ କୂଳରେ ପୂଜାପାଠ କରି ଚଳାଚଳ ଆରମ୍ଭ କରାଯାଇଛି। ବିଡିଓଙ୍କ ସମେତ ଓପିଓ କେଦାରଚନ୍ଦ୍ର ପଣ୍ଡା, ଆକାଉଣ୍ଟସ୍ ଅଫିସର କ୍ଷେତ୍ରବର ଜାନି, ଜିପିଟି ପ୍ରଣୟ କୁମାର ମିଶ୍ର, ତୁଷାର କୁମାର ସେଠୀ ଓ କୁଳମଣି ବେହେରାଙ୍କ ସମେତ ଗ୍ରାମର ଜନସାଧାରଣ ଉପସ୍ଥିତ ଥିଲେ। ତେବେ ପୋଲ ନିର୍ମାଣ କାମ ତୁରନ୍ତ ସାରିବାକୁ ଗ୍ରାମବାସୀ ଦାବି କରିଛନ୍ତି।