କାର୍ତ୍ତିକ ପୂର୍ଣ୍ଣିମାରେ ସୁବର୍ଣ୍ଣପୁରରେ ସାଂସ୍କୃତିକ କାର୍ଯ୍ୟକ୍ରମ : ମହାନଦୀରେ ନୌ- ପ୍ରତିଯୋଗିତା ସାଙ୍ଗକୁ ସଂଗମ ଆରତୀ କରିଥିଲା ଆକୃଷ୍ଟ

କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ବୌଇତ ବନ୍ଦାଣ ସହ ବାଲିଯାତ୍ରା ଆରମ୍ଭ ହୋଇଛି ।

71

କନକ ବ୍ୟୁରୋ : କାର୍ତ୍ତିକ ପୂର୍ଣ୍ଣିମାରେ ବିଭିନ୍ନ ସ୍ଥାନରେ ବୌଇତ ବନ୍ଦାଣ ସହ ବାଲିଯାତ୍ରା ଆରମ୍ଭ ହୋଇଛି । ଏହି କ୍ରମରେ ସୁବର୍ଣ୍ଣପୁରରେ ବି କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି । ମହାନଦୀରେ ନୌ- ପ୍ରତିଯୋଗିତା ସାଙ୍ଗକୁ ସଂଗମ ଆରତୀ ପୂର୍ଣ୍ଣିମାର ସଂଧ୍ୟାକୁ ଖୁବ୍ ସୁନ୍ଦର କରିଥିଲା ।

ନୌକା ପ୍ରତିଯୋଗୀତା । ତାହା ପୁଣି ଦେଶୀ ଡଙ୍ଗା ଓ ଆହୁଲାକୁ ନେଇ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମାରେ ସୁବର୍ଣ୍ଣପୁର ମହାନଦୀ ତେନ୍ତୁଳି ଘାଟରେ ଦେଖିବାକୁ ମିଳିଥିଲା ନୌକା ପ୍ରତିଯୋଗୀତା । ଏହି ପ୍ରତିଯୋଗୀତାରେ ସୁବର୍ଣ୍ଣପୁର ସମେତ ପଡୋଶୀ ବୌଦ୍ଧ, ସମ୍ବଲପୁର ଓ ବରଗଡ ଜିଲ୍ଲାର ପ୍ରତିଯୋଗୀ ଭାଗ ନେଇଥିଲେ । ନୌ-ବାଣିଜ୍ୟ ପରମ୍ପରାର ସ୍ମୃତିକୁ ମନେ ପକାଇବା ସହ ପ୍ରତିଭା ଚିହ୍ନଟ ପାଇଁ ୫୪ ବର୍ଷ ହେବ ଏହି ନୌକା ପ୍ରତିଯୋଗୀତା କରାଯାଉଛି । ଏହି ପ୍ରତିଯୋଗୀରେ ପ୍ରତି ଡଙ୍ଗାରେ ଦୁଇ ଜଣ ଲେଖାଏଁ ପ୍ରତିଯୋଗୀ ରହିଥିଲେ । ପ୍ରତିଯୋଗୀମାନେ ଫେରି ଘାଟରୁ ୩ଶହ ମିଟର ଦୂର ଲଂକେଶ୍ୱରୀ କୁଦ ଯାଏଁ ଯାଇ ପୁଣି ଘାଟକୁ ଫେରିଥାନ୍ତି ।

ସେହିଭଳି ମହାନଦୀ ସଂଗମରେ ସଂଧ୍ୟା ଆରତୀ ଅପୂର୍ବ, ଅବର୍ଣ୍ଣନୀୟ । ଓଡିଶାର ଜୀବନ ରେଖା ମହାନଦୀକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ଉଦ୍ଦେଶ୍ୟରେ ୫ ବର୍ଷ ହେବ ସୁବର୍ଣ୍ଣପୁରରେ କରାଯାଉଛି ସଂଗମ ଆରତୀ । ସହରର ପ୍ରାଚୀନ ଶୈବପୀଠ ରାମେଶ୍ୱର ପାଶ୍ୱର୍ ତ୍ରିବେଣୀ ସଂଗମରେ କାର୍ତ୍ତିକ ପୂର୍ଣ୍ଣିମାରେ ମହାଆରତୀ କରାଯାଇଛି । ଚିରସ୍ରୋତା ମହାନଦୀ, ତେଲନଦୀ ଓ କର୍ପୁର ନଦୀର ସଂଗମ ସ୍ଥଳୀରେ ୩ ଜଣ ପୂଜକଙ୍କ ଦ୍ୱାର ମହାଆରତୀ କରାଯାଇଛି । ଯାହାକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ସହର ଉତ୍ସବ ମୁଖର ହୋଇଥିଲା । ମଦାନଦୀ ଅବବାହିକା ଲୋକାରଣ୍ୟ ହୋଇଥିଲା । ନୌ-ପ୍ରତିଯୋଗିତାକୁ ଦେଖିବା ସହ ସଂଗମ ମହାଆରତୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।