ମହାନଦୀରେ ମୃତ୍ୟୁର ତାଣ୍ଡବ ! ପ୍ରତ୍ୟକ୍ଷଦର୍ଶୀ କହିଲେ, ଅନ୍ଧାର ରାତିର ହୃଦୟ ବିଦାରକ ଘଟଣା, ଜାଣନ୍ତୁ କେମିତି ବୁଡିଲା ଡଙ୍ଗା ।

650

କନକ ବ୍ୟୁରୋ : ଗତକାଲି ସଂନ୍ଧ୍ୟାରେ ମହାକାଳପଡା ମହାନଦୀରେ ଯାତ୍ରୀବାହୀ ଡଙ୍ଗା ବୁଡିଯାଇଥିଲା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ମହିଳା ଓ ୭ ଶିଶୁ ରହିଛନ୍ତି । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟ୍ରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ ଭାରସାମ୍ୟ ହରାଇବା କାରଣରୁ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପ୍ରଭାତୀ ସ୍ୱାଇଁ ନାମକ ଜଣେ ମହିଳା, ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର ବେଳେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ବୋଟର କ୍ଷମତାଠାରୁ ଅଧିକ ଲୋକ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପଟେ ପ୍ରବଳ ଶୀତ ଏବଂ ଅନ୍ଧାର ଭିତରେ ସାହାଯ୍ୟ ଓ ଉଦ୍ଧାର କାମରେ ସମସ୍ୟା ଦେଖିବାକୁ ମିଳିଥିଲା । ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ବାହାରକୁ ଆଣିଲା ବେଳେ ସେମାନେ ଜାଡ଼ରେ ଥରୁଥିଲେ । ଏମାନଙ୍କୁ ନିଆଁ ଜଳାଇ ସେକ ଦିଆଯାଇଥିଲା । ଘଟଣାସ୍ଥଳରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ପହଂଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯାଇଛି ।

ସେପଟେ ଅନ୍ଧାର ରାତିରେ କେମିତି ବୁଡିଥିଲା ଡଙ୍ଗା ଏନେଇ କନକ ନ୍ୟୁଜକୁ କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ବଳରାମ ଦାସ । ଡଙ୍ଗାଟି ବୁଡିବା ପରେ ୩ଟି ଡଙ୍ଗା ସାହାଯ୍ୟରେ ଉଦ୍ଧାର ହୋଇଥିଲା । କ୍ଷମତା ଠାରୁ ଅଧିକ ଲୋକ ଡଙ୍ଗାରେ ବସିବା କାରଣରୁ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଚିଂ ବୁଡିଯାଇଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ଅନ୍ଧାର ସହ ଶୀତୁଆ ରାତିରେ ସମସ୍ତ ଯାତ୍ରୀଙ୍କୁ ବଂଚାଇବା କଷ୍ଟକର ହୋଇପଡିଥିଲା ।