ଡଙ୍ଗାବୁଡି ଚାଲିଗଲା ୯ଟି ଜୀବନ ! ମୃତକଙ୍କ ପରିବାରକୁ ୪ ଲକ୍ଷ ସହାୟତା ରାଶି, ଆହତଙ୍କୁ ମାଗଣା ଚିକିତ୍ସା ।

258

କନକ ବ୍ୟୁରୋ : ମହାନଦୀରେ ବୁଡିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗା ବୁଡି ୯ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ମହିଳା ଓ ୭ ଶିଶୁ ରହିଛନ୍ତି । ଆଉ ଏବେ ବି ଜଣେ ନିଖୋଜ ଅଛନ୍ତି । ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ନୂଆ ବର୍ଷର ବଣଭୋଜି ସାରି କୁଜଙ୍ଗ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ କୁଜଙ୍ଗ ହସିଣା ଗାଁର କେତେଜଣ ଲୋକ ବଣଭୋଜି କରିବାକୁ ମହାକାଳପଡ଼ା ବ୍ଲକ୍ ହୁକିଟୋଲାକୁ ଯାଇଥିଲେ । ଏମାନେ ଶକ୍ତିମୟୀ ମା ମଙ୍ଗଳା ନାମକ ଏକ ବୋଟରେ ଚଉମୁହାଣ ଅଭିମୁଖେ ବାହାରିଥିଲେ । ଆଉ ଫେରିବା ବାଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ଜଣେ ଯାତ୍ରୀଙ୍କ କହିବା ଅନୁସାରେ ଭାରସାମ୍ୟ ହରାଇବା କାରଣରୁ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ପ୍ରଭାତୀ ସ୍ୱାଇଁ ନାମକ ଜଣେ ମହିଳା, ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଉଦ୍ଧାର ବେଳେ ଆଉ ୪ ଜଣଙ୍କ ମୃତ୍ୟୁ ହୋଇଛି । ବୋଟର କ୍ଷମତାଠାରୁ ଅଧିକ ଲୋକ ଯାଉଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଅନ୍ୟପଟେ ପ୍ରବଳ ଶୀତ ଏବଂ ଅନ୍ଧାର ଭିତରେ ସାହାଯ୍ୟ ଓ ଉଦ୍ଧାର କାମରେ ସମସ୍ୟା ଦେଖିବାକୁ ମିଳିଥିଲା । ଲୋକଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ବାହାରକୁ ଆଣିଲା ବେଳେ ସେମାନେ ଜାଡ଼ରେ ଥରୁଥିଲେ । ଏମାନଙ୍କୁ ନିଆଁ ଜଳାଇ ସେକ ଦିଆଯାଇଥିଲା ।

ଘଟଣାସ୍ଥଳରେ ଜିଲ୍ଲାପାଳ ଦାଶରଥୀ ଶତପଥୀ ପହଂଚି ଉଦ୍ଧାରକାର୍ଯ୍ୟର ତଦାରଖ କରିଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯାଇଛି । ଏପଟେ ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିିଛନ୍ତି । ସେହିପରି ଆହତମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ଘୋଷଣା କରାଯାଇଛି । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନିଖୋଜ ଯାତ୍ରୀଙ୍କ ସୁରକ୍ଷିତ ଉଦ୍ଧାର କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।