ବର୍ଷ ଆରମ୍ଭରୁ ବଡ ଅଘଟଣ । ହୁକିଟୋଲାରୁ ବଣଭୋଜି ସାରି ଫେରୁଥିବା ବେଳେ ବୁଡିଲା ଡଙ୍ଗା, ୧ ମୃତ, ୭ରୁ ଅଧିକ ନିଖୋଜ । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଛୋଟପିଲା

1,016

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ବଡ ଅଘଟଣ । ବଣଭୋଜି ସାରି ଫେରୁଥିବା ବେଳେ ମଝି ନଈରେ ବୁଡିଲା ଡଙ୍ଗା । କେନ୍ଦ୍ରାପଡାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଡଙ୍ଗା ବୁଡି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ନୂଆବର୍ଷରେ ବଣଭୋଜି କରିବାକୁ କେନ୍ଦ୍ରାପଡାର ହୁକିଟୋଲାକୁ ପାରାଦ୍ୱୀପ କୁଜଙ୍ଗରୁ ୩୦ରୁ ଅଧିକ ଯାତ୍ରୀ ଆସିଥିଲେ । ତେବେ ବଣଭୋଜି ସାରି ଫେରୁଥିବା ବେଳେ ମହାକାଳପଡା ଠାରେ ମହାନଦୀର ଶାଖା ନଦୀର ବାଲିଘାଟ ନିକଟରେ ଭାରସମ୍ୟ ହରାଇ ଡଙ୍ଗାଟି ବୁଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ରହିଛନ୍ତି ।

ତେବେ ଡଙ୍ଗା ବୁଡିବା ପରେ ସଙ୍ଗେ ସଙ୍ଗେ ଜିଲ୍ଲା ପ୍ରଶାସନକୁ ଏନେଇ ସୂଚନା ଦେଇଥିଲେ ସ୍ଥାନୀୟ ବାସିନ୍ଦା । ପରେ ମେରାଇନ ଥାନାକୁ ଏ ବାବଦରେ ଜିଲ୍ଲା ପ୍ରଶାସନ ଜଣାଇବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଛି । ଟର୍ଚ୍ଚ ଓ ସର୍ଚ୍ଚ ଲାଇଟ ଜରିଆରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଉଦ୍ଧାରକାର୍ଯ୍ୟ ପାଇଁ ଏନଡିଆରଏଫ ଟିମର ସହାୟତା ଲୋଡାଯାଇଛି । ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଉପସ୍ଥିତ ଅଛନ୍ତି ।