ମା’ କାଳିଜାଇଙ୍କ ଦର୍ଶନ କରି ଫେରୁଥିବା ବେଳେ ମଝି ଚିଲିକାରେ ହେଲା ଝଡ଼ତୋଫାନ! ବୁଡ଼ିଗଲେ ୧୬ ଯାତ୍ରୀ, ୪ ମୃତ, ୨ ନିଖୋଜ

64

କନକ ବ୍ୟୁରୋ : କାଳିଜାଇ ଦର୍ଶନ କରି ଫେରିବା ବେଳେ ଝଡତୋଫାନରେ ଫସିଗଲା ଡଙ୍ଗା । ବୁଡିଗଲେ ୧୬ ଯାତ୍ରୀ । ଚିଲିକା ମଝିରେ ଡଙ୍ଗା ବୁଡି ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଏବେ ମଧ୍ୟ ନିଖୋଜ ଅଛନ୍ତି । ଏହି ଘଟଣାରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । କାଳିଜାଈ ଦର୍ଶନ କରି ବାଲୁଗାଁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଗତକାଲି ଅପରାହ୍ନ ପାଖାପାଖି ୫ଟା ୨୦ ମିନିଟରେ ମଝି ଚିଲିକାରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡ଼ିବା ସୂଚନା ପାଇବା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଥିଲା । ଓଡ୍ରାଫ ଟିମ୍ ଓ ପୋଲିସ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ଡଙ୍ଗାରେ ମୋଟ ୧୬ ଜଣ ଯାତ୍ରୀ ଥିବା ବେଳେ ୧୦ ଜଣଙ୍କୁ ଉଦ୍ଧାର କରିଥିଲା ଓଡ୍ରାଫ୍ ଟିମ୍ । ସେମାନଙ୍କୁ ବାଲୁଗାଁ ଡାକ୍ତରଖାନା ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ଼, ବାଲୁଗାଁ, ରଣପୁର ଓ ଭୁବନେଶ୍ୱରର ଯାତ୍ରୀ ଥିବା ସୂଚନା ମିଳିଛି । ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରେ ମା’ ଓ ଝିଅ ରହିଛନ୍ତି । ଆଉ ୨ ଜଣ ଯାତ୍ରୀଙ୍କ ଏଯାଏଁ ପତା ମିଳୁନାହିଁ । ଉଦ୍ଧାର ହୋଇଥିବା ବ୍ୟକ୍ତି ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଖୋର୍ଦ୍ଧା ଜିଲ୍ଲାପାଳ, ଏସପି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ପହଂଚି ଉଦ୍ଧାର କାର୍ଯ୍ୟର ତଦାରଖ କରିଛନ୍ତି । ତେବେ ଅନ୍ଧାର ହୋଇଯିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ଆହତ ଯାତ୍ରୀଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।