ମଝି ଚିଲିକାରେ ଡ଼ଙ୍ଗା ବୁଡ଼ି ଘଟଣାର ଦୁଃଖଦ ଅନ୍ତ ! ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି, ଚାଲିଗଲା ମା’ ଓ ଝିଅଙ୍କ ଜୀବନ

51

କନକ ବ୍ୟୁରୋ : ଚିଲିକା ବୁଡ଼ି ଘଟଣାରେ ଚାଲିଥିବା ଉଦ୍ଧାରକାର୍ଯ୍ୟର ଦୁଃଖଦ ଅନ୍ତ ଘଟିଛି । ଡଙ୍ଗାବୁଡି ଘଟଣାରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ସମସ୍ତ ନିଖୋଜଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏହି ଘଟଣାରେ ମୋଟ ୬ଜଣଙ୍କର ମୃତ୍ୟୁ ହୋଇଛି । ଆଜି ୪ଜଣଙ୍କର ମୃତ୍ୟୁଦେହ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ମହିଳା, ୨ଜଣ ଯୁବତୀ ଓ ଜଣେ ଶିଶୁ ଅଛନ୍ତି । ଗତକାଲି ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଉଦ୍ଧାର କାର୍ଯ୍ୟରେ ୫୦ଜଣ ଅଗ୍ନିଶମ କର୍ମଚାରୀ , ୪୦ଜଣିଆ ଓଡ୍ରାଫ୍ ଟିମ୍, ୬ଟି ପାୱାର ବୋଟ୍ ଓ ୧୬ଜଣ ବୁଡାଳି ସାମିଲ ହୋଇଥିଲେ ।

ଗତକାଲି କାଳିଜାଈ ଦର୍ଶନ କରିବାକୁ ଯାଇଥିବା କିଛି ଲୋକ ବାଲୁଗାଁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଝଡତୋଫାନ ଯୋଗୁଁ ଚିଲିକା ମଝିରେ ଡଙ୍ଗା ବୁଡି ଯାଇଥିଲା । ଆଉ ଏଥିରେ ଥିବା ମୋଟ ୧୬ ଜଣ ଯାତ୍ରୀ ମଧ୍ୟ ବୁଡି ଯାଇଥିଲେ । ଘଟଣାରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ବାଲୁଗାଁ ଡାକ୍ତରଖାନା ଓ ଭୁବନେଶ୍ୱରରେ ଚିକିତ୍ସା କରାଯାଉଛି । ଗତକାଲି ଅପରାହ୍ନ ପାଖାପାଖି ୫ଟା ୨୦ ମିନିଟରେ କାଳିଯାଇରୁ ବାଲୁଗାଁ ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା । ହଠାତ୍ ଝଡବର୍ଷା ହେବାରୁ ମଝି ଚିଲିକାରେ ଡଙ୍ଗା ବୁଡିଯାଇଥିଲା । ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସହିତ ଆହତଙ୍କୁ ମାଗଣା ଚିକିତ୍ସା କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅଘଟଣରେ ଦୁଇଟି ପରିବାରର ଦୁଇଜଣ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ନୟାଗଡ଼ ଜିଲ୍ଲାର ଶରଣପୁର ଥାନା ଦିମିଶିର ଗ୍ରାମର ୮ବର୍ଷିୟ ଶ୍ରଦ୍ଧାଞ୍ଜଳି ଦାଶ, ୨୮ ବର୍ଷିୟ ପ୍ରମୋଦିନି ଦାଶ୍, ରଣପୁରର ୧୮ ବର୍ଷିୟ କଳ୍ପନା ମହାନ୍ତି, ୧୫ବର୍ଷିୟ ପିଙ୍କି ମହାନ୍ତି, ବାଲୁଗାଁ,ଶିଖରପଦରି ଗ୍ରାମର ୯ ବର୍ଷିୟ ମିରା ପଟ୍ଟନାୟକ, ଭୁବନେଶ୍ୱର ଝାରପଡାର ୬ବର୍ଷିୟ ସୁଧାଂଶୁ ଦାସ ଡଙ୍ଗାବୁଡିରେ ପ୍ରାଣ ହରାଇଛନ୍ତି ।