ଅସଲ ପ୍ରଶ୍ନପତ୍ର ସହ ମେଳ ଖାଇଲା ଲିକ୍ ପ୍ରଶ୍ନପତ୍ର ! ପରୀକ୍ଷାର ଘଂଟାଏ ପୂର୍ବରୁ ଲିକ୍ ହୋଇଥିଲା ସେଟ୍ ଏ’ ଓ ସି’ର ପ୍ରଶ୍ନପତ୍ର

49

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖା ଦେଲା ବିଭ୍ରାଟ । ହ୍ୱାଟସଆପରେ ଘୁରି ବୁଲିଲା ମାତୃଭାଷାର ପ୍ରଶ୍ନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଂଚଳରେ ହ୍ୱାଟସଆପରେ ମାତୃଭାଷା ସେଟ୍– ଏ’ ଓ ସି’ର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି । ପରିକ୍ଷାର ଘଂଟାଏ ପୂର୍ବରୁ ଲିକ ହୋଇଛି ପ୍ରଶ୍ନପତ୍ର । ଏହି ପ୍ରଶ୍ନ ପତ୍ର ଅସଲି କି ନକଲି ତାହା ସ୍ପଷ୍ଟ କରାଯାଇ ନଥିବା ବେଳେ କନକ ନ୍ୟୁଜ ହାତରେ ଲାଗିଛି ଉଭୟ ଲିକ୍ ଓ ପ୍ରଶ୍ନପତ୍ର ଓ ଅସଲ ପ୍ରଶ୍ନପତ୍ର । ଦୁଇଟି ଯାକରେ ସମସ୍ତ ପ୍ରଶ୍ନ ମେଳ ଖାଉଥିବା ଦେଖିବାକୁ ମିଳିଛି । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେପଟେ ମିଳିଥିବା ସୂଚନା ଅନୁସାରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । କେଉଁଠୁ ପ୍ରଶ୍ନପତ୍ର ଲିକ ହେଲା ଓ କିଏ ପ୍ରଶ୍ନପତ୍ରକୁ ଭାଇରାଲ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସେପଟେ ପ୍ରଶ୍ନ ପତ୍ର ହ୍ୱାଟସ୍ଆପ୍ରେ ଘୁରି ବୁଲିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡିଛି ପ୍ରଶ୍ନପତ୍ର ଲିକ୍ ହୋଇନି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଘଟଣାର ଅନୁଧ୍ୟାନ କରାଯିବା ପରେ ଜଣାପଡିଛି ଯେ, ଏଥିରେ ସତ୍ୟତା ନାହିଁ । ଆବଶ୍ୟକ ପଡିଲେ ହ୍ୱାଟସ୍ଆପ୍ରେ ବୁଲୁଥିବା ପରୀକ୍ଷା ପତ୍ର ସହ ଅସଲି ପ୍ରଶ୍ନ ପତ୍ରର ଯାଂଚ ହେବ ।

ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଜାହାନ ଆରା ବେଗମ ମଧ୍ୟ ପ୍ରଶ୍ନପତ୍ର ଲିକରେ କୌଣସି ସତ୍ୟତା ନଥିବା କହିଛନ୍ତି । ଏନେଇ କୌଣସି ଅଭିଯୋଗ ହୋଇନାହିଁ କେବଳ ଗଣମାଧ୍ୟମରୁ ସେ ଏ ସମ୍ପର୍କରେ ଜାଣିଥିବା ସୂଚନା ଦେଇଛନ୍ତି ।

ମାଟ୍ରିକ ପରୀକ୍ଷାକୁ ସୁଚାରୂପେ କରିବା ପାଇଁ ସଚିବାଳୟରେ ବସିଲା ଘନଘନ ବୈଠକ । କପି ରୋକିବା ପାଇଁ ୫ ସ୍ତରୀୟ ସ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଲେ । ହେଲେ ମାଟ୍ରିକ ପରୀକ୍ଷା ଆରମ୍ଭରୁ ହୋଇଛି ମହାବିଭ୍ରାଟ । ଏ ଚିତ୍ରକୁ ଟିକେ ଦଖନ୍ତୁ ଏ ହେଉଛି ମାଟ୍ରିକ ପରୀକ୍ଷାର ଚିତ୍ର । ଜଗତସିଂହପୁରର ଏକ ସ୍କୁଲ ପାଚେରୀ ଉପରେ ଚଢି ପିଲାଙ୍କୁ କପି ଦେଉଛନ୍ତି ସମ୍ପର୍କୀୟ । ବ୍ୟକ୍ତି ଜଣଙ୍କ ପାଚେରୀ ଉପରେ ଚଢି ଝରକା ପଟେ କପି ଦେଉଛନ୍ତି । ଆଉ କିଛି ବ୍ୟକ୍ତି ତଳେ ଠିଆ ହୋଇ ଏଥିରେ ସହଯୋଗ କରୁଛନ୍ତି । ପରୀକ୍ଷାକୁ ନେଇ କଡା ସୁରକ୍ଷା ଗ୍ରହଣ କରାଯାଇଥିବା କହୁଯାଉଥିବା ବେଳେ ଏ ଦୃଶ୍ୟ କିନ୍ତୁ ଅନ୍ୟ କିଛି କହୁଛି ।