ବୋଲ ମାନିଲାନି ବିଏମଡବ୍ଲ୍ୟୁ : ଜନ୍ମଦିନ ପାଳିବାକୁ ଯାଇଥିବା ବେଳେ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ ସାଙ୍ଘାତିକ ଦୁର୍ଘଟଣା

64

କନକ ବ୍ୟୁରୋ :  ଚକାଚକ୍ ରାସ୍ତା ଉପରେ ଖିପ୍ର ଗତିରେ ୨ଟି ସୌଖିନ୍ ବିଳାସପୂର୍ଣ୍ଣ କାର ପରସ୍ପର ସହ ପ୍ରତିଯୋଗିତା କରୁଥାନ୍ତି । ଗୋଟିଏ ଥିଲା ବିଏମଡବ୍ଲ୍ୟୁ ଓ ଆଉ ଗୋଟିଏ ଥିଲା ଅଡି କାର । କେତେବେଳେ ଅଡିଟି ଆଗକୁ ଚାଲିଯାଉଥାଏ ତ ଆଉ କେତେବେଳେ ବିଏମଡବ୍ଲ୍ୟୁ ତାକୁ ଅତିକ୍ରମ କରୁଥାଏ । ଦୁଇଟି କାରରେ ଥାନ୍ତି ଜନ୍ମଦିନ ପାଳନ କରିବାକୁ ଯାଉଥିବା ୧୦ଜଣ ସାଙ୍ଗ । ଯୌବନର ଜୋସ୍ ସାଙ୍ଗକୁ ଅତ୍ୟାଧୁନିକ ସୌଖିନ୍ କାରର ବେଗ ସେମାନଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଦେଉଥାଏ । କେହିବି ରେସରୁ ପଛାଇବାକୁ ଚାହୁଁ ନଥିଲେ । ବାଟ ଯେତେ ଆଗକୁ ବଢୁଥାଏ, ଆକ୍ସିରେଲେଟର ଉପରେ ପାଦ ସେତିକି ଜୋରରେ ପଡୁଥାଏ ।

ଅଡି କାରକୁ ଓଭରଟେକ କରୁଥିବା ବେଳେ, ଡାହାଣ ପଟରେ ଥିବା ଏକ ଗଛରେ ଖୁବ ଜୋରରେ ପିଟି ହୋଇଗଲା ବିଏମଡବ୍ଲ୍ୟୁ । ଜନ୍ମଦିନର ସେଲିବ୍ରେସନର ମାହୋଲ ଉପରେ ହଠାତ୍ ଦୁଃଖର ବାଦଲ ଫାଟି ପଡିଲା । ସାଙ୍ଘାତିକ ଭାବେ ଆହତ ହୋଇଗଲେ କାରରେ ଥିବା ଜଣେ ମହିଳା ବନ୍ଧୁଙ୍କ ସହ ୫ଜଣ । ଖୁବ ଜୋରରେ ଶଦ୍ଦ ହେବା ପରେ, ଘଟଣାସ୍ଥଳକୁ ଦୌଡି ଆସିଥିଲେ କିଛି ଲୋକ । ଗାଡି ଚଲାଉଥିବା ନନ୍ଦ କିଶୋର ମହାପାତ୍ରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା । ଅନ୍ୟ ୪ଜଣଙ୍କୁ ତୁରନ୍ତ ହସ୍ପିଟାଲ ପଠାଇ ଦିଆଗଲା ।

ବିଏମଡବ୍ଲୁ ଫାଇଭ ସିରିଜର ପ୍ରାୟ ୫୦ଲକ୍ଷ ଟଙ୍କାର ଏହି କାରରେ ସୁରକ୍ଷା ପାଇଁ ଜବରଦସ୍ତ ବନ୍ଦୋବସ୍ତ ଥାଏ । ଏପରିକି ୫ଜଣ ଯାକ ଆରୋହୀଙ୍କ ପାଇଁ ଚାରିପଟୁ ବେଲୁନ ପ୍ରୋଟେକସନ ସିଷ୍ଟମ ଅର୍ଥାତ ଏୟାର ବ୍ୟାଗର ବ୍ୟବସ୍ଥା ଥାଏ । ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଗଲେ ତୁରନ୍ତ ଏହାର ସେନସର ଏୟାର ବ୍ୟାଗକୁ କାର୍ଯ୍ୟକ୍ଷମ କରିଦେଇଥାଏ । ଏହାଛଡା ଏହି କାରରେ ଥିବା ଇଲେକଟ୍ରୋନିକ ଷ୍ଟେବିଲାଇଜେସନ କଂଟ୍ରୋଲ ସିଷ୍ଟମ ଅତ୍ୟଧିକ ବେଗରେ ମଧ୍ୟ ଭାରସାମ୍ୟ ରକ୍ଷା କରିବାରେ ସହାୟକ ହୁଏ ।

ଏହା ବି ସତ ଯେ ସାଂଘାତିକ ଦୁର୍ଘଟଣା ପରେ ବି ଚାରିଜଣ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି । ସେମାନଙ୍କୁ କଟକ ବଡ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆଶା କରାଯାଉଛି ସେମାନେ ସଙ୍କଟରୁ ବର୍ତିଯିବେ ।