ବିଏମସିର ସ୍ୱାୟତ୍ତ ଶାସନ ଦିବସ ପ୍ରସ୍ତୁତି : ଭେଟିଦେବ ୬୭ ପ୍ରକଳ୍ପ

103

କନକ ବ୍ୟୁରୋ: ଆସନ୍ତା ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମସି ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ହୋଇଛି । ଚଳିତବର୍ଷ ଅଗଷ୍ଟ ୨୯ରୁ ୩୧ ପର୍ଯ୍ୟନ୍ତ ତିନି ଦିନ ଧରି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ଏଥିରେ ଆଧୁନିକ କଂସେଇଖାନା, ମଶାଣି, ପାର୍କ, ଶୌଚାଳୟ, ପୋଖରୀ ପୁନରୁଦ୍ଧାର, ବ୍ୟାୟାମଶାଳା, ଗୋଷ୍ଠୀ କେନ୍ଦ୍ର, ଡେ’ କେୟାର୍ କେନ୍ଦ୍ର, ଭେଣ୍ଡିଂ ଜୋନ୍, ବିଏମସି ହସ୍ପିଟାଲର ନବୀକରଣ, ହୃଦରୋଗ ବିଭାଗର ଉଦଘାଟନ ଆଦି ରହିଛି । ଏଥିରୁ କେତୋଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ ଓ ଶିଳାନ୍ୟାସ କରିବାକୁ ଥିବାବେଳେ ଆଉ କେତୋଟି ପ୍ରକଳ୍ପକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଏବଂ ମେୟର ଅନନ୍ତ ନାରାୟଣ ଜେନା ଉଦଘାଟନ କରିବାକୁ ନିଷ୍ପତ୍ତି ହୋଇଛି ।

ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମସି ପକ୍ଷରୁ ପ୍ରସ୍ତୁତ ହୋଇଛି ଚିଠା ପ୍ରକଳ୍ପ ତାଲିକା । ଚଳିତ ବର୍ଷ ୬୭ଟି ନୂତନ ପ୍ରକଳ୍ପ ରାଜଧାନୀବାସୀଙ୍କୁ ଭେଟି ଦେବାକୁ ନିଷ୍ପତ୍ତି ହୋଇଛି । ଏଥିରେ ୪୪ଟି ପ୍ରକଳ୍ପର ଉଦଘାଟନ ହେବ ବୋଲି ମେୟର ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ସମସ୍ତ କର୍ପୋରେଟର ଓ ବିଏମସି ଅଧିକାରୀଙ୍କୁ ନେଇ ବିଏମସି ଅଧୀନରେ ନିର୍ମଣାଧୀନ ଏବଂ ନିର୍ମାଣ ପାଇଁ ଯୋଜନା ହୋଇଥିବା ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହେବ । କର୍ପୋରେଟରଙ୍କ ଦାବି ଯଦି କିଛି ଥିବ ତେବେ ତାହାକୁ ଚୂଡ଼ାନ୍ତ ତାଲିକାରେ ସାମିଲ୍ କରାଯାଇପାରେ ବୋଲି କୁହାଯାଇଛି ।

ଗତକାଲି ବସିଥିବା ପ୍ରସ୍ତୁତି ବୈଠକରେ ମେୟର ଅନନ୍ତ ନାରାୟଣ ଜେନା ଏବଂ ଡେପୁଟି ମେୟର କେ.ଶାନ୍ତିଙ୍କ ସମେତ ବିଏମସି ସେକ୍ରେଟାରି ଦେବାଶିଷ ମହାନ୍ତି, ଡେପୁଟି କମିସନର ଶ୍ରୀମନ୍ତ ମିଶ୍ର, ତିନିଟି ଜୋନର ଜୋନାଲ ଡେପୁଟି କମିସନର ଏବଂ ଇଞ୍ଜିନିୟରିଂ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ଷ୍ଟ୍ରିଟ୍ ଲାଇଟ୍

ନୂଆଗାଁ ପେଟ୍ରୋଲ୍ ପମ୍ପଠାରୁ ସାମନ୍ତରାପୁର ଯାଏ ଏଲଇଡି ଷ୍ଟ୍ରିଟ୍ ଲାଇଟର ଲୋକାର୍ପଣ ହେବାକୁ ଥିବା ବେଳେ ସିଆରପି ଛକଠାରେ ନୂତନ ହାଇମାଷ୍ଟ୍ ଲାଇଟର ଉଦଘାଟନ ହେବ ।

ପୋଖରୀ ପୁନରୁଦ୍ଧାର

ପୋଖରୀ ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ଚଳିତ ବର୍ଷ ଗୁରୁତ୍ୱ ଦିଆଯାଇଛି । ସ୍ୱାୟତ୍ତ ଶାସନ ଦିବସରେ ପନୁରୁଦ୍ଧାର ହୋଇଥିବା ଦୁଇଟି ପୋଖରୀକୁ ଲୋକାର୍ପିତ କରାଯିବ । ଏଥିରେ ୱାର୍ଡ ୧୦ରେ ଥିବା ଭୋଟପଡ଼ା ପୋଖରୀ ପୁନରୁଦ୍ଧାର ପାଇଁ ୧୯ଲକ୍ଷ ୪୧ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ଓ୍ଵାର୍ଡ-୫୨ରେ କଂସାରୀ ଝରଣା ଏବଂ ଓ୍ଵାର୍ଡ-୫ ଅନ୍ତର୍ଗତ ଚକେଇସିହାଣିର ଉଗଳମଣି ପୋଖରୀ ପାଇଁ ୧୮ଲକ୍ଷ ୭୫ହଜାର ଟଙ୍କା ଖର୍ଚ୍ଚ ହୋଇଛି ।

ଗୋଷ୍ଠୀ କେନ୍ଦ୍ର

ଚଳିତ ରାଜଧାନୀର ବିଭିନ୍ନ ସ୍ଥାନରେ ଏକାଧିକ ଗୋଷ୍ଠୀ କେନ୍ଦ୍ର ନିର୍ମାଣ ହୋଇଥିବା ବେଳେ କେତେକ କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ସ୍ଥିର ହୋଇଛି । ୱାର୍ଡ -୧ ଅନ୍ତର୍ଗତ ପ୍ରଶାନ୍ତି ବିହାରରେ ୧୩ଲକ୍ଷ ୭୦ ହଜାର ଟଙ୍କାରେ ନିର୍ମିତ ଗୋଷ୍ଠୀ କେନ୍ଦ୍ର, ୱାର୍ଡ -୨୨ ଅନ୍ତର୍ଗତ ଭରତପୁର ଠାରେ ୧କୋଟି ୪୪ଲକ୍ଷ ଟଙ୍କାରେ ନିର୍ମିତ କ୍ଲଷ୍ଟର୍ ଗୋଷ୍ଠୀ କେନ୍ଦ୍ରର ଉଦଘାଟନ ହେବ, ୱାର୍ଡ-୨୮ ଅନ୍ତର୍ଗତ ନୂଆପଲ୍ଲୀ ଶବର ସାହିରେ ୧୮ଲକ୍ଷ ୩୫ ହଜାର ଟଙ୍କା ବ୍ୟୟରେ ନିର୍ମିତ କେନ୍ଦ୍ରର ଉଦଘାଟନ ସହ ୱାର୍ଡ ୧୩ରେ ବିଡିଏ କଲୋନି ଚନ୍ଦ୍ରଶେଖରପୁରରେ ଏକ ଗୋଷ୍ଠୀ କେନ୍ଦ୍ର ପାଇଁ ଶିଳାନ୍ୟାସ ହେବାକୁ ସ୍ଥିର ହୋଇଛି ।

ପାର୍କ

ବିଭିନ୍ନ ୱାର୍ଡରେ ୧୪ଟି ପାର୍କର ଭିତ୍ତିପ୍ରସ୍ତର ଏବଂ ଉଦ୍ଘାଟନ ହେବାକୁ ଥିବାବେଳେ ସେଥିମଧ୍ୟରୁ ଡୁମୁଡୁମାଠାରେ ଅମୃତ ମିସନରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କକୁ ଲୋକାର୍ପିତ କରାଯିବ । ସେହିପରି ୱାର୍ଡ-୭ର ଚନ୍ଦ୍ରଶେଖରପୁର ଆରଟିଓ ଅଫିସ୍ ନିକଟରେ ୧୮ ଲକ୍ଷ ୪୫ ହଜାର ଟଙ୍କାରେ ନିର୍ମିତ ପାର୍କ, ଓ୍ଵାର୍ଡ-୧୧ରେ ଭିଏସଏସ୍ ନଗରରେ ୧୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପାର୍କ ଲୋକାର୍ପିତ ହେବ ।

ଶ୍ମଶାନ

ପ୍ରତି ଓ୍ଵାର୍ଡରେ ବିଏମସି ପକ୍ଷରୁ ଶ୍ମଶାନ କରିବାକୁ ସ୍ଥିର ହୋଇଥିବାବେଳେ ସ୍ୱାୟତ୍ତ ଶାସନ ଦିବସରେ ବରମୁଣ୍ଡା ଅଞ୍ଚଳ ପାଇଁ ନିର୍ମାଣ ହୋଇଥିବା ଶ୍ମଶାନକୁ ଲୋକାର୍ପିତ କରାଯିବ। ଓ୍ଵାର୍ଡ ୫୦ ଅନ୍ତର୍ଗତ ଏହି ଶ୍ମଶାନ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଗାଡ଼କଣଠାରେ ଥିବା ଶ୍ମଶାନର ଉନ୍ନତିକରଣ ପାଇଁ ୨୬ଲକ୍ଷ ୨୦ ହଜାର ଟଙ୍କାର ଖର୍ଚ୍ଚ ଅଟକଳ ହୋଇଛି । ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ ।

ଶୌଚାଳୟ

ସ୍ୱାୟତ୍ତ ଶାସନ ଦିବସରେ ୧୫ଟି ହାଇବ୍ରିଡ୍ ଟଏଲେଟ୍ ଏବଂ ୬ଟି କମ୍ୟୁନିଟି ଟଏଲେଟର ଉଦଘାଟନ ହେବ । ହାଇବ୍ରିଡ୍ ଟଏଲେଟଗୁଡ଼ିକ ସୁଲଭ ଇଣ୍ଟରନ୍ୟାସନାଲ୍ ପରିଚାଳନା କରିବାକୁ ଥିବା ବେଳେ କମ୍ୟୁନିଟି ଟଏଲେଟଗୁଡ଼ିକ ପ୍ରୋଜେକ୍ଟ ସମ୍ମାନ ଅଧୀନରେ ନିର୍ମିତ ହୋଇଛି ଯାହା ୱାର୍ଡ ସାନିଟେସନ୍ କମିଟି ଦ୍ୱାରା ପରିଚାଳିତ ହେବ।

ଭେଣ୍ଡିଂ ଜୋନ୍

ଚଳିତ ବର୍ଷ ୱାର୍ଡ ନମ୍ବର ୯ରେ ଗାଡ଼କଣ ଏବଂ ୱାର୍ଡ -୧୮ ଅନ୍ତର୍ଗତ ପାଣ୍ଡରା ଛକରେ ନୂତନ ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି । ଅର୍ବାନ୍ ଚାଲେଞ୍ଜ ଫଣ୍ଡ୍ରେ ନିର୍ମିତ ଏହି ଭେଣ୍ଡିଂ ଜୋନଗୁଡ଼ିକ ଉଦଘାଟନ ହେବ। ଗାଡ଼କଣଠାରେ ୪୧ଟି ଭେଣ୍ଡିଂ ଜୋନ୍ ନିର୍ମାଣ ହୋଇଛି ।

ଅନ୍ୟାନ୍ୟ ପ୍ରକଳ୍ପ

ବିଭିନ୍ନ ୱାର୍ଡରେ ଡେ କେୟାର୍ କେନ୍ଦ୍ର, ବ୍ୟାୟାମଶାଳା, କଂସେଇଖାନା ଏବଂ ୱାଟର୍ ଏଟିଏମ୍ ଭଳି କେତେକ ପ୍ରକଳ୍ପ ଉଦଘାଟନ ହେବ । ଏହାସହ ବିଏମସି କାର୍ଯ୍ୟାଳୟରେ ପାର୍କିଂ ବ୍ୟବସ୍ଥା ପାଇଁ ସେଡ୍ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ ହେବ।