ଭୁବନେଶ୍ୱର ଇସ୍କନ୍ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ । ଅବୈଧ ନିର୍ମାଣ ପାଇଁ ଦିନକୁ ୫ ହଜାର ଟଙ୍କା ଜରିମାନା ଲଗାଇଲା ବିଏମସି ।

36

କନକ ବ୍ୟୁରୋ : ସରକାରୀ ଜମି ଜବରଦଖଲ ନେଇ ଇସ୍କନ ମନ୍ଦିରକୁ ବିଏମସି ନୋଟିସ ଦେଇଛି । ଇସ୍କନ ମନ୍ଦିର କର୍ତୃପକ୍ଷ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଇସ୍କନ ମନ୍ଦିର କର୍ତୃପକ୍ଷ କହିଛନ୍ତି ଏହା ଦୋକାନ ଗୃହ ନୁହେଁ । ଏହା ସେମାନଙ୍କ ଗୁରୁଜୀଙ୍କ ସମାଧୀ ବୋଲି ଯୁକ୍ତି ବାଢିଛନ୍ତି ଇସ୍କନ ମନ୍ଦିର କର୍ତୃପକ୍ଷ । ଏଥିସହ ଏହା ସେମାନଙ୍କ ନିଜ ସଂପତି ବୋଲି କହିଛନ୍ତି । ସାତଦିନ ମଧ୍ୟରେ କାରଣ ଦର୍ଶାଇବାକୁ ବିଏମସି କହିଛି ।

ବେଆଇନ୍ ଭାବେ ଜାତୀୟ ରାଜପଥ ଓ ସରକାରୀ ଜମି ଜବରଦଖଲ କରିଥିବା ନେଇ ଇସ୍କନ ମନ୍ଦିରକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଭୁବନେଶ୍ୱର ମ୍ୟୁନ୍ସିପାଲ୍ କରର୍ପୋରେସନ୍ । ରାସ୍ତାକୁ ଜବରଦଖଲ କରିଥିବାରୁ ସାତଦିନ ଭିତରେ ଏହାର କାରଣ ଦର୍ଶାଇବାକୁ ନିର୍ଦେଶ ଦେଇଛି ବିଏମସି । ବିଏମସିର ଅଭିଯୋଗ, ଯାତାୟତ ପାଇଁ ଥିବା ରାସ୍ତାରେ ବେଆଇନ୍ ଭାବେ ଇସ୍କନ କର୍ତୃପକ୍ଷ ଦୋକାନ ନିର୍ମାଣ କରିଥିବାରୁ ବର୍ଷା ଜଳ ନିଷ୍କାସନରେ ଏହା ବାଧକ ସାଜୁଛି ।ଜବରଦଖଲ ଉଚ୍ଛେଦ ସହ ଯେଉଁ ଦିନଠାରୁ ଇସ୍କନ ସରକାରୀ ଜାଗାକୁ ଜବରଦଖଲ କରିଛି ସେଇ ଦିନ ଠାରୁ ଦୈନିକ ପାଂଚ ହଜାର ଟଙ୍କା ଜରିମାନା ଆଦାୟ ପାଇଁ ନୋଟିସରେ ଦର୍ଶାଇଛି ବିଏମସି ।

ବିଏମସିର ଡେପୁଟି କମିଶନର ତୁରନ୍ତ ତଦନ୍ତ କରି ଜରିମାନା ଅର୍ଥ ଧାର୍ଯ୍ୟ କରିବା ସହ ଜରିମାନା ଆଦାୟ ନେଇ ପଦକ୍ଷେପ ନେବାକୁ କୁହାଯାଇଛି । ସେହିପରି ଜବରଦଖଲ ଉଚ୍ଛେଦ ପାଇଁ ଆବଶ୍ୟକୀୟ ଏନଫୋର୍ସମେଂଟ ଟିମ୍ ଦେବାକୁ ବିଡିଏର ଅତିରିକ୍ତ କମିଶନରଙ୍କୁ କୁହାଯାଇଛି । ଗୋଟିଏ ପଟେ ଇସ୍କନ ମନ୍ଦିର କର୍ତୃପକ୍ଷ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗ କରୁଛି ବିଏମସି, ଅନ୍ୟପଟେ ଏହା ଦୋକାନ ଗୃହ ନୁହେଁ ଏହା ସେମାନଙ୍କ ଗୁରୁଜୀଙ୍କ ସମାଧୀ ବୋଲି ଯୁକ୍ତି ବାଢିଛନ୍ତି ଇସ୍କନ ମନ୍ଦିର କର୍ତୃପକ୍ଷ । ଆଉ ଏହା ସେମାନଙ୍କ ନିଜ ସଂପତି ।

ସେହିପରି ଇସ୍କନ୍ ପାଖରେ ଥିବା ହୋଟେଲ୍ ପ୍ରେସିଡେନ୍ସିକୁ ମଧ୍ୟ ନୋଟିସ୍ ଜାରି କରିଛି ବିଏମସି । ଜାତୀୟ ରାଜପଥରେ ଯାତାୟତ ପାଇଁ ଥିବା ଜମିକୁ ଜବରଦଖଲ କରି ହୋଟେଲର ପାର୍କିଂ କରିବା ଜାତୀୟ ରାଜପଥର ଡ୍ରେନକୁ ହୋଟେଲର ବର୍ଜ୍ୟଜଳ ଛାଡିବା ଆଦି ଉପରେ ନୋଟିସ୍ ହୋଇଛି । ସାତଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଉତର ରଖିବାକୁ ନିର୍ଦେଶ ଦେଇଛି ।