ବିଏମସିର ଅଳିଆ ଦୁର୍ନୀତି : ଖୋଲିଲା ଟପ୍ ଆଇଏଏସ୍ ବିଶାଳ ଦେବଙ୍କ ଅନିୟମିତତାର ଫର୍ଦ୍ଦ

66

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବିଏମସିର ଅଳିଆ ଦୁର୍ନୀତି । ଧରାପଡ଼ିଲା ଟପ୍ ଆଇଏଏସ୍ ଅଫିସରଙ୍କ କାରନାମା । ବିଶାଲ ଦେବଙ୍କ ନାଁରେ ଆସିଛି ଅନିୟମିତତାର ସାଂଘାତିକ ଅଭିଯୋଗ । ସତ ବାହାର କରିଛି ଲୋକାଲ୍ ଫଣ୍ଡ୍ ଅଡିଟ୍ । ଏପରିକି ୧୯୯୬ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କଠାରୁ ପ୍ରାୟ ୩ କୋଟି ଟଙ୍କା ଆଦାୟ କରିବା ପାଇଁ ଅଡିଟ୍ ରିପୋର୍ଟ ସ୍ପଷ୍ଟ ଭାବେ ଦର୍ଶାଇଛି । କନକନ୍ୟୁଜ୍ ପାଖରେ ରହିଛି ବର୍ଷ ୨୦୧୨-୧୩ର ଅଡିଟ୍ ରିପୋର୍ଟ । ଯେଉଁଥିରେ ଏହି ଘୋଟାଲାର ପର୍ଦ୍ଦାଫାଶ ହୋଇଛି ।
ଆସନ୍ତୁ ଜାଣିବା କିଭଳି ହୋଇଥିଲା ପୁରା ଘୋଟାଲା । କାହିଁକି ବିଶାଲ ଦେବଙ୍କ ସହ ଅନ୍ୟ ଅଫିସରଙ୍କ ନାଁରେ ଆସୁଛି ଅଭିଯୋଗ । ଭୁବନେଶ୍ୱରରେ ବିନା ଟେଣ୍ଡରରେ ଅଳିଆ ବୁହାକୁ ନେଇ ହୋଇଛି ଅନିୟମିତତା । ସୈନିକ ସ୍କୁଲରୁ ଭୁଆସୁଣୀକୁ ଅଳିଆ ବୋହିବା ବେଳେ ଟେଣ୍ଡର କରାନଯାଇ ୨୦୧୦-୧୧ ଓ ୨୦୧୧-୧୨ମସିହାରରେ ୧ କୋଟି ୮୧ ଲକ୍ଷ ଟଙ୍କା ଅପବ୍ୟୟ କରାଯାଇଛି । ଏଥିପାଇଁ ଦାୟୀ ଅଧିକାରୀମାନଙ୍କ ଭିତରେ ଅଛନ୍ତି ବିଶାଲ ଦେବ । ସେହି କାରଣରୁ ତାଙ୍କଠାରୁ ୪୬ ଲକ୍ଷ ୩୪ ହଜାର ଟଙ୍କା ଆଦାୟ କରିବାକୁ କୁହାଯାଇଛି । ଏ ହେଉଛି କେବଳ ଗୋଟିଏ ଉଦାହରଣ ।

ସେହିଭଳି ଅନ୍ୟ ଏକ ବିସ୍ଫୋରକ ତଥ୍ୟ ବି ପଦାକୁ ଆସିଛି । ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ ଦୈନିକ ଯେତିକି ଅଳିଆ ଉଠାଯାଉଛି, ତା’ଠାରୁ ଢ଼େର ଅଧିକ ଅଳିଆ ବୁହାଯାଉଥିବା ଦର୍ଶାଇ ଟଙ୍କା ହରିଲୁଟ ହେଉଛି । ଏଭଳି ଭାବେ କେବଳ ୨୦୧୨-୧୩ ମସିହାରରେ ୫ କୋଟି ୭୭ ଲକ୍ଷ ଟଙ୍କା ହରିଲୁଟ ହୋଇଛି । ତାହାକୁ ସଂପୃକ୍ତ ଠିକାଦାରଙ୍କ ସମେତ ଅଫିସରଙ୍କଠାରୁ ଆଦାୟ କରିବାକୁ ଅଡିଟ୍ ରିପୋର୍ଟରେ କୁହାଯାଇଛି । ଏହି କାରଣରୁ କେବଳ ବିଶାଲ ଦେବଙ୍କଠାରୁ ୧ କୋଟି ୯୨ ଲକ୍ଷ ଟଙ୍କା ଆଦାୟ କରିବାକୁ କୁହାଯାଇଛି । ତିନି ବର୍ଷର ଅଡିଟରେ ବିଏମସିରେ ପ୍ରାୟ ୨୧୫ କୋଟି ଟଙ୍କାର ଅନିୟମତିତତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।ଅଳିଆ ଦୁର୍ନୀତିର ପାହାଡ଼ ଉପରେ ଛିଡ଼ା ହୋଇଛି ବିଏମସି । କେବଳ କାଗଜ କଲମରେ ରହିଯାଇଛି ଅଡିଟ୍ ରିପୋର୍ଟ । ସରକାର ଏପର୍ଯ୍ୟନ୍ତ କୌଣସି ବରିଷ୍ଠ ଅଫିସରଙ୍କଠାରୁ ଟଙ୍କା ଆଦାୟ କରିବାରେ ସଫଳ ହୋଇପାରିନାହାନ୍ତି ।