ବାରମ୍ବାର ଅଭିଯୋଗ ପରେ ବିଏମସିର ନିଦ ଭାଙ୍ଗିଲା ! ବିମାନବନ୍ଦର ଅଞ୍ଚଳରୁ ଗାଈଗୋରୁ ଓ କୁକୁରଙ୍କୁ ଧରିବା ଲାଗି ଆରମ୍ଭ ହେଲା ସ୍ୱତନ୍ତ୍ର ଅଭିଯାନ

45

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଲାଗି ବିପଦ ସାଜିଛନ୍ତି ପଶୁପକ୍ଷୀ । ଅନେକ ଥର ପକ୍ଷୀ ମାଡ଼ ହେବା ଦ୍ୱାରା ବିମାନ ପ୍ରଭାବିତ ହେଇଥିବା ବେଳେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି ବିମାନବନ୍ଦର ଅଞ୍ଚଳ । ଯେଉଁଥି ପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ଆସିବା ପରେ ଏବେ ଭୁବନେଶ୍ୱର ମହାନଗର ନିଗମ(ବିଏମସି)ର ନିଦ ଭାଙ୍ଗିଛି । ପକ୍ଷୀଙ୍କୁ ରୋକିବା ଦିଗରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ପାରି ନ ଥିବା ବେଳେ ଏବେ ଗାଈଗୋରୁ ଓ କୁକୁରଙ୍କୁ ଧରିବା ଲାଗି ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ ।

ବିଏମସି ପକ୍ଷରୁ ସ୍ୱତନ୍ତ୍ର ଭାବେ ଚଢ଼ଉ କରାଯାଇ ବିମାନବନ୍ଦର ଅଞ୍ଚଳରେ ବେଆଇନ ଗାଈ ଚରାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଗୋରୁଗୁଡ଼ିକୁ କାଞ୍ଜିଆହୁଦାରେ ରଖାଯାଇଥିଲା । ସେଠାରେ ମାଲିକମାନେ ପରିଚୟପତ୍ର ଦେଖାଇବା ସହ ୫୦୦ ଟଙ୍କା ଜରିମାନା ଦେଇ ଗୋରୁଗୁଡ଼ିକୁ ମୁକୁଳାଇ ନେଇଥିଲେ । ଗୋରୁ ନେବା ଲାଗି ମାଲିକ ଯେତେଦିନ ଡେରି କରିବେ ସେତେଦିନ ପର୍ଯ୍ୟନ୍ତ ପ୍ରତିଦିନ ଶହେ ଟଙ୍କା ଲେଖାଏ ଦେବାକୁ ହେବ । ଗୋରୁ ଧରାଯାଇଥିବା ବେଳେ ଏବେ ପଡ଼ିଛି କୁକୁରଙ୍କ ପାଳି । ବିମାନବନ୍ଦର ନିକଟରେ ବୁଲୁଥିବା କୁକୁରକୁ ଧରାଯାଇଛି । ଆନିମାଲ୍ ବର୍ଥ କଣ୍ଟ୍ରୋଲ୍(ଏବିସି) ଟିମ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ବିମାନବନ୍ଦର ଅଞ୍ଚଳରୁ ୭ଟି କୁକୁର ଉଦ୍ଧାର କରାଯାଇଥିବା ନେଇ ସୂଚନା ମିଳିଛି ।

ବିଏମସିର ଜଣେ ଅଧିକାରୀ କହିଛନ୍ତି ଯେ କୁକୁରଙ୍କୁ ଧରିବାର ସେଭଳି ନିୟମ ନାହିଁ । କିନ୍ତୁ ରାଜ୍ୟ ସଚିବାଳୟ, ବିମାନବନ୍ଦର ପରି ଅଞ୍ଚଳରୁ କୁକୁରଙ୍କୁ ଉଦ୍ଧାର କରାଯାଇପାରିବ । ତାହାକୁ ଦୃଷ୍ଟିରେ ରଖି ଆଜି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଏବିସି ସ୍କ୍ଵାଡ୍ ପକ୍ଷରୁ କୁକୁର ଧରା ଆଉ କିଛି ଦିନ ଜାରି ରହିବ । ବିମାନବନ୍ଦର ଅଞ୍ଚଳରେ ବୁଲା ଗୋରୁଗାଈଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ୁଥିବାରୁ ତାହାକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ଏହି ଅଭିଯାନ ଚାଲିଛି ।  ଶନିବାର ବିମାନବନ୍ଦର ଅଞ୍ଚଳରେ ପୁଣିଥରେ ଗାଈ ଧରା ଅଭିଯାନ ହେବ । ବେଆଇନ ଭାବରେ ଗାଈ ଚରାଉଥିବା ଲୋକଙ୍କ ବିରୋଧରେ ଧରପଗଡ଼ କରାଯିବ ।

ବିଏମସିର ଏନଫୋର୍ସମ୍ୟାଣ୍ଟ ଡେପୁଟି କମିସନର ଅବନୀ ପଟ୍ଟନାୟକ କହିଛନ୍ତି ଯେ ବିମାନବନ୍ଦର ଅଞ୍ଚଳକୁ ଲାଗି ରହିଥିବା ସୁନ୍ଦରପଦା, ଜାଗମରା, କାରଗିଲ୍‌ ବସ୍ତିରେ କେଉଁମାନେ ଗାଈ ରଖିଛନ୍ତି ସେମାନଙ୍କୁ ଚିହ୍ନଟ କରାଯିବ । ସେମାନେ ଗାଈ କେଉଁଠାରେ ଚରାଉଛନ୍ତି ସେନେଇ ମଧ୍ୟ ଏକ ରିପୋର୍ଟ ପ୍ରସ୍ତୁତ ହେବ। ବିମାନବନ୍ଦର ଅଞ୍ଚଳରେ ପରିମଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନାର ତଦାରଖ କରିବା ଓ ପରିବେଶ ଜନିତ ବିଷୟଗୁଡ଼ିକୁ ସମୀକ୍ଷା କରିବା ପାଇଁ ବିଏମସିର ସ୍ୱଚ୍ଛ ଭୁବନେଶ୍ୱର ସେଲ୍ର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ କରୁଛନ୍ତି ।