ବାଲେଶ୍ୱରରେ ବେକ ଓ ହାତ କାଟିଲେ ୫ ଛାତ୍ରଛାତ୍ରୀ ! ବ୍ଲୁ ହ୍ୱେଲ ଗେମ୍ ଦେଖି ହାତ କାଟିଥିବା ସନ୍ଦେହ

41

କନକ ବ୍ୟୁରୋ : କଟକ ପରେ ଏବେ ବାଲେଶ୍ୱରରେ ପହଞ୍ଚିଲା ମୃତ୍ୟୁରେ ଖେଳ । ଓଡ଼ିଶାରେ ନିଜ କାୟା ବିସ୍ତାର କରିବା ସହିତ ଛାତ୍ରଛାତୀଙ୍କୁ ମୃତ୍ୟୁର ଜାଲରେ ଫଶାଇ ଚାଲିଛି ବ୍ଲୁ ହ୍ୱେଲ ଗେମ୍ । ଏହି ଗେମ୍ ଦେଖି ବ୍ଲେଡରେ ହାତ ଓ ବେକ କାଟିଛନ୍ତି ବାଲେଶ୍ୱର ପ୍ରଜ୍ଞାଭାରତୀ ବିଦ୍ୟାପୀଠର ୫ ଜଣ ଛାତ୍ରଛାତ୍ରୀ । ବ୍ଲୁ-ହେଲ ଗେମ ଦେଖିବା ପରେ ଛାତ୍ରଛାତ୍ରୀମାନେ ହାତକାଟି ଥିବା ସନ୍ଦେହ କରାଯାଉଛି । ବୁଧବାର ସଂଧ୍ୟାରେ ଏହି ଖବର ପ୍ରଘଟ ହେବା ପରେ ସାରା ସହରରେ ଆତଙ୍କ ଖେଳିଯାଇଛି ।

bluie whaleଖବର ଅନୁସାରେ, ଜଣେ ଛାତ୍ର ଘରେ ମୋବାଇଲରେ କିଛି ଗେମ ଦେଖିଥିଲେ । ପରେ ସ୍କୁଲ ଆସି ଏ ନେଇ ହାତ ଓ ବେକ କାଟିବା ପାଇଁ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଉସୁକାଇଥିଲେ । ଏହାପରେ ଦୁଇଜଣ ଛାତ୍ର ମଶାଧୂପ ଷ୍ଟାଣ୍ଡରେ ନିଜ ହାତକୁ ମଧ୍ୟ କାଟିଥିଲେ । ତେବେ ଅନ୍ୟ କିଛି ଛାତ୍ରମାନେ ଏଭଳି ଘଟଣା ଦେଖି ଶିକ୍ଷକଙ୍କୁ ତୁରନ୍ତ ଖବର ଦେବା ପରେ ଏକ ବଡ ଦୁର୍ଘଟଣାରୁ ଛାତ୍ରଛାତ୍ରୀ ଅଳ୍ପକେ ବର୍ତିଯାଇଥିଲେ । ପରେ ଏ ନେଇ ଶିକ୍ଷକ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ଖବର ଦେଇଥିଲେ । ଦୁଇଦିନ ପୂର୍ବରୁ କଟକରେ ମଧ୍ୟ ବ୍ଲୁ ହ୍ୱେଲର ଆତଙ୍କ ଦେଖବାକୁ ମିଳିଥିଲା ।

କଟକରେ ବ୍ଲୁ ହ୍ୱେଲ ଗେମ ଖେଳୁଥିବା ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଦ୍ଧାର କରିଥିଲା କମିଶନରେଟ ପୋଲିସ । କଟକ ମର୍କତନଗର ଅଂଚଳର ଏକ ଘରୋଇ ଇଞ୍ଜିନିୟରିଂ ଛାତ୍ର ଫସି ଯାଇଥିଲେ ନୀଳ ତିମିର ମୃତ୍ୟୁ ଜାଲରେ । ଦିନ ରାତି ଉଜାଗର ରହି ଖେଳୁଥିଲେ ବ୍ଲୁ ହ୍ୱେଲ ଗେମ୍ । ଏମିତିକି ୧୦ଟି ପର୍ୟ୍ୟାୟ ସେ ଅତିକ୍ରମ କରି ସାରିଥିଲେ । ଯେଉଁଥିରେ ରହିଥିଲା ଶରୀରରେ ନୀଳ ତିମିର ଚିତ୍ର ଆଙ୍କିବା ସମେତ ରାତି ଉଜାଗର ରହିବା ଓ ଶରୀରକୁ ଯନ୍ତ୍ରଣା ଦେବା ଭଳି କାର୍ୟ୍ୟ କରିବା ।

blue whaleକିନ୍ତୁ ପଡୋଶୀଙ୍କ ସତର୍କ ନଜର ଯୋଗୁଁ ତାଙ୍କୁ ଉଦ୍ଧାର କରିଛି କମିଶନରେଟ ପୁଲିସ୍ । ମୃତ୍ୟୁର ଦୂତ ବ୍ଲୁ ହ୍ୱେଲ କେମିତି ଓ କିପରି ବାଧ୍ୟ କରିଥାଏ ଆତ୍ମହତ୍ୟା ପାଇଁ ତାର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ଜାଣିବାକୁ ପାଇଛି ।ପୁଲିସର କହିବା ଅନୁଯାୟୀ, ବ୍ଲୁ ହ୍ୱେଲର ପରବର୍ତୀ ପର୍ୟ୍ୟାୟ ଖେଳିବାକୁ ଚାହୁଁ ନଥିଲେ ଛାତ୍ର । କିନ୍ତୁ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ନେଇ ଧମକ ଦେଇ ଅନଲାଇନ ଗେମର ଆଡମିନ ତାଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଖେଳିବା ପାଇଁ ବାଧ୍ୟ କରୁଥିବାର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

କଟକ ମର୍କତ ନଗର ଅଂଚଳର ବିଶାଲ ଶ୍ରୀଭାସ୍ତଭଙ୍କ ଗୋଟିଏ ଟ୍ୱିଟ୍ ବଂଚାଇ ଦେଇଛି ଗୋଟିଏ ଜୀବନ । ଇଞ୍ଜିନିୟରି ଛାତ୍ର ଜଣକ ମାନସିକ ଚାପରେ ଥିବା ଅନୁଭବ କରିଥିଲେ ପଡୋଶୀ ବିଶାଲ । ଏହାସହ ସବୁ ବେଳେ ଛାତ୍ରଜଣକ ମୋବାଇଲରେ ବ୍ୟସ୍ତ ରହୁଥିବା ଦେଖିଥିଲେ । ଏ ନେଇ ସେ ଟ୍ୱିଟ କରି କ୍ରାଇବ୍ରାଂଚକୁ ଅବଗତ କରିଥିଲେ । ପରେ କ୍ରାଇମବ୍ରାଂଚ କମିଶନରେଟ ପୁଲିସକୁ ଖବର ହସ୍ତାନ୍ତର କରିଥିଲା । ଶେଷରେ କମିଶନରେଟ ପୁଲିସ ସହାୟତାରେ ମୃତ୍ୟୁର ଜାଲରେ ଫସି ଯାଇଥିବା ଯୁବକଙ୍କୁ ଉଦ୍ଧାର କରାଯାଇଥିଲା ।

ଏହା ପୂର୍ବରୁ ସମ୍ବଲପୁରର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ମ୍ବଲପୁରର ସୁହାନୀ ନାମକ ୧୦ମ ଶ୍ରେଣୀ ଛାତ୍ରୀ ଏହି ଖେଳ ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଛି । ଲକ୍ଷଣକୁ ଦେଖି ପରିବାର ଲୋକେ ସନ୍ଦେହ କରୁଛନ୍ତି, ବ୍ଲୁ-ହ୍ୱେଲ ଗେମ ପ୍ରଭାବରେ ପ୍ରଭାବିତ ହୋଇ ଝିଅ ଆତ୍ମହତ୍ୟା କରିଛି । ସ୍କୁଲରେ ଛୁଟି ହେବା ପରେ ଝିଅ ମୋବାଇଲରେ ବ୍ୟସ୍ତ ରହୁଥିଲା । ଗେମରେ ଯେଭଳି ହରର ଫିଲ୍ମ ଦେଖିବା ପାଇଁ କୁହାଯାଏ ସେଭଳି ଝିଅ ଫିଲ୍ମ ଦେଖୁଥିଲା । ଅଧିକାଂଶ ସମୟରେ ସୁହାନୀ ନୀରବ ରହୁଥିଲା । ସୁହାନି ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ତେବେ ଗେମର ଆପକୁ ବିଶେଷଜ୍ଞଙ୍କ ଦ୍ୱାରା ଯାଂଚ କରାଯିବାକୁ ପରିବାର ଲୋକେ ଦାବି କରି ଥିଲେ ।

ଏହି ଘଟଣା ପରେ ବ୍ଲୁ ହ୍ୱେଲ ଖେଳ ଉପରେ ଅଙ୍କୁଶ ଲଗାଇବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରିଥିଲା ରାଜ୍ୟ ପ୍ରଶାସନ । ବ୍ଲୁ ହ୍ୱେଲ କିମ୍ବା ସେହି ସମାନ ପ୍ରକାରର ସମସ୍ତ ପ୍ରକାରର ମାରାତ୍ମକ ଖେଳକୁ ସୋସିଆଲ ମିଡ଼ିଆରୁ ହଟାଇବା ଦିଗରେ କାଯ୍ୟାନୁଷ୍ଠାନ ନେବାକୁ ରାଜ୍ୟର ସବୁ ଏସପି, ଡିସିପିଙ୍କୁ ଚିଠି ଲେଖିଥିଲେ ତତ୍କାଳୀନ ପୁଲିସ୍ ଡିଜି । ସ୍କୁଲ ଯାଉଥିବା କୁନି କୁନି ପିଲାଙ୍କ ହାତରେ ପହଂଚିଯାଉଥିବା ଏହି ଖେଳଠାରୁ ପିଲାଙ୍କୁ ଦୂରେଇ ରଖିବା ପାଇଁ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ।

ଏହା ପରେ ଗେମକୁ ନେଇ ଆଡଭାଇଜରି ଜାରି କରିଛି କମିଶନରେଟ ପୋଲିସ । ଅଭିଭାବକ ଓ ଶିକ୍ଷକଙ୍କ ପାଇଁ ଏହି ଆଡଭାଇଜରି ଜାରି କରାଯାଇଛି । ଖେଳ ସମ୍ପର୍କରେ ପିଲାଙ୍କୁ ସଚେତନ କରିବାକୁ ସ୍କୁଲ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ପିଲାଙ୍କ ବ୍ୟବହାରରେ ପରିବର୍ତନ ଆସିଲେ ଶୀଘ୍ର ଜଣାନ୍ତୁ । ସୋସିଆଲ ମିଡିଆ ମାଧ୍ୟମରେ ଏହା ଜଣାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛିା ବିଭିନ୍ନ ସାଇବର କାଫେରେ ବ୍ଲୁ ହ୍ୱେଲ ଗେମ ଯାଂଚ କରିବାକୁ ଜିଲ୍ଲା ଏସପିଙ୍କୁ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.