ବଢ଼ୁଛି ଆତ୍ମହତ୍ୟାର ତାଲିକା ! ପଢ଼ନ୍ତୁ ଏହା ବ୍ଲ୍ୟୁ ହ୍ୱେଲ ନା ଆଉ କିଛି

44

କନକ ବ୍ୟୁରୋ : ଦିନକୁ ଦିନ ଘାତକ ହେଉଛି ବ୍ଲୁ ହ୍ୱେଲ । କେତେବେଳେ ମୁମ୍ବାଇରେ ତ କେତେବେଳେ ବାଙ୍ଗାଲୋରରେ କାହାର ଜୀବନ ଗଲାଣି ଏହି ଖେଳ ଖେଳି । ଓଡିଶାରେ ବି ଅନେକ ପଡିଲେଣି ନୀଳ ତିମିର ମାୟାଜାଲରେ । ହେଲେ ଏଥିରୁ ଯେମିତି ନିସ୍ତାର ନାହିଁ । କିଛିଦିନ ତଳେ ଋଷିଆରେ ଏହି ଖୁନୀ ଖେଳର ଖଳନାୟିକା ପୁଲିସ ଖୁଆଡରେ ପଡିଥିବା ଖବର ମିଳିଥିଲା ହେଲେ କିଛି ଲାଭ ହେଲାନି ।

ଏବେ ବି କାୟା ବିସ୍ତାର କରିଚାଲିଛି ଏହି ମୃତ୍ୟୁର ଖେଳ । କିନ୍ତୁ ପ୍ରତିଦିନ ଟିଭିରେ ହେଡଲାଇନ୍ସରେ ଏହି ଖବର ଦେଖିବା ବେଳେ ଆପଣଙ୍କ ମନକୁ ବି ଆସୁଥିବ, ଏହା ସତ ନା ଶୁଣାକଥା । କଣ ସତରେ ଏହି ଖେଳ ଏମିତି ଜୀବନ ନେଉଛି ନା ଆଉ କିଛି କାରଣ ପାଇଁ ଏହାକୁ ରଙ୍ଗ ଦିଆଯାଉଛି ।

ଗୋଟିଏ ମାସରେ ଛଅ ଛଅଟା ଆତ୍ମହତ୍ୟା । ହାତରେ ନୀଳତିମିର ଚିହ୍ନ । କଟାସ୍ଥାନରୁ ରକ୍ତସ୍ରାବ । ସବୁ ଯେମିତି ମାୟାଜାଲ । ବୁଢ଼ୀଆଣିର ଅଡୁଆ ସୂତା । ଏହାକୁ ଭେଦ କରିବା କଷ୍ଟ । ସତ ପାଖରେ ପହଂଚିବା ଯେମିତି ମୁସ୍କିଲ । ଗୋଟିଏ ଖେଳ କଣ କାହାର ଜୀବନ ନେଇପାରେ । କ୍ରିକେଟ, ଫୁଟବଲ, ବ୍ୟାଡମିଣ୍ଟନ ଖେଳିବା ବେଳେ ତ ଏମିତି ଭୟ ନଥାଏ । ତାହେଲେ ଏ ବ୍ଲ୍ୟୁ ହ୍ୱେଲ ପାଇଁ ଏମିତି କାଇଁକି ।

କିଛି ଦିନ ତଳେ କିଙ୍ଗଖାନ ଶାହାରୁଖ ନଜର ଆସିଥିଲେ ରା-ୱାନ ଫିଲ୍ମରେ । ଯେଉଁଥିରେ ଭିଡିଓ ଗେମକୁ ଅଲଗା ଭାବେ ଚିତ୍ରଣ କରାଯାଇଥିଲା । ଖେଳ ଭିତରକୁ ଗଲେ ପୁରା ନୂଆ ଦୁନିଆକୁ ଯାଇ ଶତ୍ରୁର ମୁକାବିଲା କରିବାକୁ ପଡିବ । ହଲିଉଡରେ ତ ଏମିତି ଅନେକ ଫିଲ୍ମ ତିଆରି ହୋଇଛି । ହେଲେ ସେଗୁଡିକ କମ୍ପ୍ୟୁଟର ମାଧ୍ୟମରେ ଗ୍ରାଫିକ୍ସ ଦ୍ୱାରା କରାଯାଇଥିଲା । ମାନେ କାଳ୍ପନିକ । ହେଲେ ଏବେ ମୃତ୍ୟୁ ନୁହେଁ ତ ଆତ୍ମହତ୍ୟାକୁ ଆମନ୍ତ୍ରଣ କରୁଥିବା ଖେଳଟି ସଂପୂର୍ଣ୍ଣ ପ୍ରାକ୍ଟିକାଲ । ଯାହାର ପାଲରେ ପଡି ଅନେକ କ୍ଷତାକ୍ତ ହୋଇଛନ୍ତି ଆଉ କିଛି ଜୀବନ ଯାଇଛି ।

ଅନେକ ଉଦାହରଣ ଏମିତି ରହିଛି, ଯେଉଁଥିରେ କ୍ଷତାକ୍ତ ବା ଆତ୍ମହତ୍ୟା ଉଦ୍ୟମ କରିବା ସମୟରେ ଉଦ୍ଧାର କରାଯାଇଥିବା ଯୁବକ ମାନେ କହିଛନ୍ତି ସେମାନେ ଏହି ଖେଳ ଖେଳୁଥିଲେ । କିଏ ଉଚ୍ଚ ଛାତରୁ ଡେଇଁବାକୁ ଚେଷ୍ଟା କରୁଥିଲା ତ ପୁଣି କିଏ ହାତରେ ତିମିର ଚିତ୍ର ଆଙ୍କି କାଟିଥିଲା ହାତକୁ । ଆଉ କିଏ ଅବସାଦଗ୍ରସ୍ତ ହୋଇ କଥା କହିବାକୁ ସାହସ କରିପାରୁନଥିଲେ । ଗତ ଦୁଇଦିନ ତଳେ ଭୁବନେଶ୍ୱରର ଜନୈକ ଇଞ୍ଜିନିୟରିଂ ଛାତ୍ର ତ ନିଜ ଦେହସାରା କ୍ଷତାକ୍ତ କରିପକାଇଥିଲେ । ଆଉ ପଚାରିବାରେ ସ୍ୱୀକାର କରିଥିଲେ ଏହା ଇଫେକ୍ଟ ଅଫ ବ୍ଲ୍ୟୁ ହ୍ୱେଲ ।

ଏହାରି ଭିତରେ ଏହି ଖେଳର ଯନ୍ତାରୁ ମୁକ୍ତି ପାଇଁ କୌଣସି ରାସ୍ତା ନାହିଁ ବୋଲି କୁହାଯାଉଛି । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ମଧ୍ୟ ଯାଇଛନ୍ତି ସାମାଜିକ କର୍ମୀ । କେବଳ ଭାରତ ବ୍ୟତୀତ ଅନ୍ୟଦେଶରେ ଏହାକୁ ନେଇ ଆତ୍ମହତ୍ୟା କରାଯାଇଥିବାର ପୁଲିସ ରିପୋର୍ଟରେ ସେଭଳି କୌଣସି ଠୋସ ତଥ୍ୟ ନାହିଁ । ସାଇବର ଏକ୍ସପର୍ଟ ମଧ୍ୟ ଏହାକୁ ମାନିବାକୁ ରାଜି ନୁହଁନ୍ତି । ସେମାନଙ୍କ ମତରେ ସାମ୍ନାସାମ୍ନି ଖେଳାଯାଉନଥିବା ଏକ ଖେଳ କାହାର ଜୀବନ ନେବା ସମ୍ଭବ ନୁହେଁ । ଏହା ପଛରେ ମାନସିକ ଅବସାଦ ଏକ କାରଣ ହୋଇଥାଇପାରେ । କିନ୍ତୁ ସିଧାସଳଖ କୌଣସି ବ୍ୟକ୍ତି ଏହି ମୃତ୍ୟୁ ପାଇଁ ଦାୟୀ ନୁହଁନ୍ତି ବୋଲି ଯୁକ୍ତି ବାଢ଼ିଛନ୍ତି ଅନେକ ।

ତେବେ ଭାରତରେ କିମ୍ବା ଅନ୍ୟାନ୍ୟ ଦେଶରେ ପ୍ରତିଦିନ ଘଟୁଥିବା ଅନେକ ଆତ୍ମହତ୍ୟାକୁ ଏହି ଖେଳସହ ଯୋଡା ଯାଉଛି । ହେଲେ ଏହା ପୂର୍ବରୁ ବି ଆତ୍ମହତ୍ୟା ଘଟୁଥିଲା । ଏକ ରିପୋର୍ଟ ମୁତାବକ, ଭାରତରେ ପ୍ରତିବର୍ଷ ୧୦ରୁ ୨୪ବର୍ଷ ବୟସର ପ୍ରାୟ ୬୩ହଜାର ଆତ୍ମହତ୍ୟା ଘଟେ । ଲାଗୁଛି ଏହି ଆତ୍ମହତ୍ୟା ପଛର ଏହି ଖେଳ ଏବେ ଏକ ନୂଆ କାରଣ ପାଲଟି ଯାଇଛି ।

କିଛି ବରିଷ୍ଠ ମନସ୍ତତ୍ୱବିତଙ୍କ ମତରେ ଭାରତରେ ଏମିତି ଅନେକ ଶିଶୁ ଓ ଯୁବକ ରହିଛନ୍ତି, ଯେଉଁମାନେ ବିଭିନ୍ନ କାରଣରୁ ଅବସାଦରେ ରହିଥାନ୍ତି । ପାରିପାଶ୍ୱର୍ିକ କାରଣରୁ ମଧ୍ୟ ଅନେକ ସମୟରେ ମାନସିକ ସନ୍ତୁଳନ ଠିକ ରୁହେ ନାହିଁ । ସେହି ସମୟରେ ଏକ ଦୁର୍ବଳ ହୃଦୟବାନ ବ୍ୟକ୍ତିକୁ ଆତ୍ମହତ୍ୟା ଏକମାତ୍ର ରାସ୍ତା ଭଳି ଲାଗେ । ଯଦି ସେଭଳି ବ୍ୟକ୍ତି ଏହି ଖେଳକୁ ଖେଳୁଥାନ୍ତି ତେବେ ଆତ୍ମହତ୍ୟାର ସମ୍ଭାବନା ଅଧିକ ରହିଥାଏ । କିନ୍ତୁ ସିଧାସଳଖ ଭାବେ ଉକ୍ତ ଖେଳର ଆତ୍ମହତ୍ୟା ସହ କୌଣସି ସଂପର୍କ ନଥାଏ । ଏହା ଏକ ଟ୍ରିଗର ହୋଇପାରେ ।

ଏଥିରୁ ମୁକ୍ତି ପାଇଁ ମାନସିକ ସ୍ତରରେ ସୁଦୃଢ଼ ହେବା ହିଁ ଏକମାତ୍ର ଉପାୟ । କାରଣ ମାନସିକ ସ୍ତରରେ ଜଣେ ଦୁର୍ବଳ ବ୍ୟକ୍ତି ହିଁ ଆତ୍ମହତ୍ୟା କରିପାରେ । ଯଦି ସମସ୍ୟାର ସମାଧାନ ହୁଏ ଏବଂ ପାରିପାଶ୍ୱର୍ିକ ଅବସ୍ଥା ଠିକଠାକ ରୁହେ, ତେବେ ଆତ୍ମହତ୍ୟାର ଲମ୍ବା ତାଲିକାରେ ପୁର୍ଣ୍ଣଛେଦ ପଡିଯିବ ।