ପ୍ରସ୍ତୁତ ହେଲା ଓଡ଼ିଆ ବିଶ୍ୱବିଦ୍ୟାଳୟର ରୂପରେଖ । କ୍ୟାମ୍ପସରେ ରହିବ କାଫେଟେରିଆ, ପ୍ରେକ୍ଷାଳୟ, ୩ଟି ହଷ୍ଟେଲ ।

213

କନକ ବ୍ୟୁରୋ : ୯.୬୦ ଏକର ଜମି କିଣିବା ପରେ ଆଉ ପାଦେ ଆଗେଇଛି ଓଡ଼ିଆ ବିଶ୍ୱବିଦ୍ୟାଳୟ । ପୁରୀ ଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠା ହେବାକୁ ଥିବା ଏହି ବିଶ୍ୱବିଦ୍ୟାଳୟର ରୂପରେଖ ପ୍ରସ୍ତୁତ କରିଛି ଉଚ୍ଚଶିକ୍ଷା ବିଭାଗ । ୧୦ ହଜାର ୫୦୦ ବର୍ଗ ଫୁଟ୍‌ ଜମିରେ ପ୍ରଶାସନିକ କୋଠା ନିର୍ମାଣ ହେବ । ଏଥିସହ କ୍ୟାମ୍ପସରେ ୧୫ ହଜାର ବର୍ଗ ଫୁଟ୍‌ ଅଞ୍ଚଳରେ ବିଶାଳ ପ୍ରେକ୍ଷାଳୟ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ୩ ହଜାର ବର୍ଗ ଫୁଟ୍‌ରେ କାଫେଟେରିଆ, ୧୦୦ ଶର୍ଯ୍ୟା ବିଶିଷ୍ଟ ଗୋଟିଏ ଲେଖାଏ ଛାତ୍ରାବାସ ଓ ଛାତ୍ରୀନିବାସ, ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ୬୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ କରିବାକୁ ନିଷ୍ପତ୍ତି ହୋଇଛି ।

ସବୁଠାରୁ ବଡ଼ ପଦକ୍ଷେପ ସ୍ୱରୂପ ବିଶ୍ୱବିଦ୍ୟାଳୟରେ ୫ଟି ବିଭାଗ ତଥା ସ୍କୁଲ ଖୋଲିବ । ସମସ୍ତ ସ୍କୁଲ ପାଇଁ ଅଲଗା ଅଲଗା କୋଠା ନିର୍ମାଣ ହେବ । ୧୯ ହଜାର ୯୨୦ ବର୍ଗ ଫୁଟ୍‌ରେ ପ୍ରତି ବିଲଡିଂ ନିର୍ମାଣ ହେବ । ଏହିପରି ଭା‌ବେ ୯୯ ହଜାର ୬୦୦ ବର୍ଗ ଫୁଟ୍‌ ଜାଗାରେ ୫ଟି ସ୍କୁଲ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି । ‌ଗୋଟିଏ ସ୍କୁଲରେ ୨ଟି ବଡ଼ କ୍ଲାସ ରୁମ୍‌(୨୫୦୦ ବର୍ଗଫୁଟ୍‌), ୩ଟି ଛୋଟ କ୍ଲାସରୁମ୍‌(୨୨୫୦ ବର୍ଗଫୁଟ୍‌), ଗୋଟିଏ ଡିନ୍‌ ରୁମ୍‌ ଓ ୩ଟି ହେଡ୍‌ ରୁମ୍‌ ସହ ମୋଟ ୧୨ଟି ଅଧ୍ୟାପକ ରୁମ୍‌, ଗୋଟିଏ ସେମିନାର ରୁମ୍‌, ଛାତ୍ର ଓ ଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏ କମନ୍‌ ରୁମ୍‌, ପାଠଗାର ଓ କମ୍ପ୍ୟୁଟର ଲ୍ୟାବ୍‌, ଅଫିସ୍‌ ଓ ଷ୍ଟୋର, ସମ୍ମିଳନୀ ରୁମ୍‌, ୪ଟି କମନ୍‌ ୱାସ୍‌ରୁମ୍‌ ଓ ୪ଟି ପର୍ସନାଲ ୱାସ୍‌ରୁମ୍‌ ରହିଛି । ଏହାବ୍ୟତୀତ ପ୍ରତି ସ୍କୁଲ ଲାଗି କମନ୍‌ ଏରିଆ, କରିଡର, ଶୌଚାଳୟ ଆଦି ସୁବିଧା ବି ରହିବ । ‌

ସେହିପରି ପ୍ରଶାସନିକ କୋଠାରେ କୁଳପତି, କୁଳସଚିବଙ୍କ କାର୍ଯ୍ୟଳୟ ସମେତ ସେମାନଙ୍କ ପିଏ ଓ ପିଏସ୍‌ଙ୍କ କାର୍ଯ୍ୟାଳୟ ରହିବ । ଏଥିସହ ବିତ୍ତ ନିୟନ୍ତ୍ରକ, ପରୀକ୍ଷା ନିୟନ୍ତ୍ରକ, ଉପ ପରୀକ୍ଷା ନିୟନ୍ତ୍ରକ, ଉପ-କୁଳସଚିବ, ଷ୍ଟୋର୍‌ ରୁମ୍‌, ପ୍ରଶାସନିକ ହଲ୍‌-୧, ପରୀକ୍ଷା ହଲ୍‌-୨, ସମ୍ମିଳନୀ କକ୍ଷ, କୁଳପତିଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଛୋଟ ସମ୍ମିଳନୀ କକ୍ଷ, ମହିଳା ଓ ପୁରୁଷଙ୍କ ପାଇଁ ୪ଟି ଲେଖାଏ ୱାସ୍‌ ରୁମ୍‌ ଆଦି ରହିବ ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବା ପରେ ନିର୍ମାଣ ଶୈଳୀ ପ୍ରସ୍ତୁତ କରିବାକୁ ପୂର୍ତ ବିଭାଗର ମୁଖ୍ୟଯନ୍ତ୍ରୀ(କୋଠା)ଙ୍କୁ କୁହାଯାଇଛି । ନିର୍ମାଣ ଶୈଳୀ ପ୍ରସ୍ତୁତ କରିବା ସମୟରେ କିଛି ବିଷୟ ଉପରେ ଧ୍ୟାନ ହେବାକୁ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ନିର୍ମାଣ ଶୈଳୀ ପ୍ରସ୍ତୁତ ସମୟରେ ଆବଶ୍ୟକତାଠାରୁ ଅଧିକ ଜମି ବ୍ୟବହାର ନ କରିବା ଉପରେ ଧ୍ୟାନ ଦେବେ । କ୍ୟାମ୍ପସରେ ଜମି ଖାଲି ରହିଲେ ସେଥିରେ ଆଗକୁ ସମ୍ପ୍ରସାରଣ କରାଯିବ । ସବୁଜ କ୍ୟାମ୍ପସ କରିବା ଉପରେ ସଚିବ ଗୁରୁତ୍ବାରୋପ କରିଛନ୍ତି । ସମ୍ପୂର୍ଣ୍ଣ କ୍ୟାମ୍ପସରେ ଓଡ଼ିଶାର ସ୍ଥାପତ୍ୟ ସ୍ଥାନ ପାଇବ । ନିର୍ମାଣରେ ପାରମ୍ପରିକ ସାମଗ୍ରୀ ବ୍ୟବହାର କରିବା, ବହୁ ମହଲା କୋଠା ନିର୍ମାଣ ନ କରିବାକୁ ପରାମର୍ଶ ଦିଆଯାଇଛି ।