ଜିଦରେ ଅଟଳ ଗୁରୁ ! ମନ୍ତ୍ରୀ କହିଲେ, ମୂଲ୍ୟାୟନରେ ପଡିବ ନାହିଁ କୌଣସି ପ୍ରଭାବ, ସେପଟେ ସରକାରୀ କଲେଜକୁ ଶିକ୍ଷକଙ୍କ ତାଲିକାଦେବାକୁ ଚିଠି ଲେଖିଲା ଶିକ୍ଷା ପରିଷଦ

40

କନକ ବ୍ୟୁରୋ: ଜିଦରେ ଅଡି ବସିଛନ୍ତି ଶିକ୍ଷକ । ୪ ଦଫା ଦାବି ନେଇ ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚ ବିଶାଳ ସମାବେଶ କରିବ । ସରକାରଙ୍କୁ ଦାବିପତ୍ର ପ୍ରଦାନ କରିବ । ମାଟ୍ରିକ୍ ଓ ଯୁକ୍ତ ଦୁଇ ମୂଲ୍ୟାୟନରୁ ଦୂରେଇ ରହିଥିବା ଶିକ୍ଷକ ମଂଚ ଆଜି ସରକାରଙ୍କୁ ଘେରିବା ସହ ଶକ୍ତି ପ୍ରଦର୍ଶନ କରିବ । ବିଧାନସଭା ଚାଲିଥିବା ବେଳେ ଶିକ୍ଷକଙ୍କ ଆନ୍ଦୋଳନ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ ।

ମାଟ୍ରିକ ପରୀକ୍ଷା ଖାତା ଦେଖାକୁ ବର୍ଜନ କରି ଆନ୍ଦୋଳନ ଜାରି ରଖିଥିବା ଶିକ୍ଷକମାନେ ୪ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଖାତା ଦେଖାକୁ ବର୍ଜନ କରିବାକୁ ଧମକ ଦେଇଛନ୍ତି । ୪ଦଫା ଦାବି ନେଇ ଆନ୍ଦୋଳନ କରୁଛନ୍ତି ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚ । ତେବେ ଶିକ୍ଷକ ଆନ୍ଦୋଳନ ଖାତା ଦେଖାକୁ ପ୍ରଭାବିତ କରିବ ନାହିଁ ଏବଂ ମାଟ୍ରିକ ପରୀକ୍ଷା ଖାତା ଦେଖିବା ଭଳି ସରକାରୀ ଅଧ୍ୟାପକଙ୍କ ଦ୍ୱାରା ଯୁକ୍ତ ଦୁଇ ଖାତା ଦେଖାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅଧ୍ୟାପକ ଓ ଶିକ୍ଷକ ମିଳିତ ମଂଚ ଆନ୍ଦୋଳନରେ ବସିଥିବା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ କଲେଜକୁ ଚିଠି ଲେଖାଯାଇଛି । କଲେଜରେ କାର୍ଯ୍ୟରତ ଶିକ୍ଷକଙ୍କ ତାଲିକା ପଠାଇବାକୁ ଚିଠିରେ ଉଲ୍ଲେଖ ରହିଛି । ୨୭ ତାରିଖ ସୁଦ୍ଧା ଏହି ତାଲିକା ପଠାଇବାକୁ ନିର୍ଦ୍ଦେଶ ରହିଛି । ପଠାଯାଇଥିବା ତାଲିକାରୁ ମୂଲ୍ୟାୟନ ପାଇଁ ଅଧ୍ୟାପକଙ୍କ ନାମ ସୂଚୀ ପ୍ରସ୍ତୁତ କରାଯିବ ବୋଲି ଉଚ୍ଚ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ଚିଠିରେ ଉଲ୍ଲେଖ କରିଛନ୍ତି ।