ତେଜିଲା ଶିକ୍ଷକ ଆନ୍ଦୋଳନ: ଗୁରୁ ଦିବସକୁ କଳାଦିବସ ଭାବେ ପାଳିବାକୁ ଗୁରୁଙ୍କ ନିଷ୍ପତ୍ତି, ଆସନ୍ତା ୬ରୁ ସମସ୍ତ ସ୍କୁଲ କଲେଜରେ ଝୁଲିବ ତାଲା

155

କନକ ବ୍ୟୁରୋ: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧାରଣା ୧୧ଦିନରେ ପହଂଚିଛି । ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ଆହ୍ୱାନ ଦେଇଛି ମଂଚ । ଏହା ପରେ ୬ତାରିଖ ଠାରୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜରେ ତାଲା ପଡିବ ବୋଲି ମଂଚ ସୂଚନା ଦେଇଛି । ଫଳରେ ରାଜ୍ୟର ୩୦ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ପ୍ରଭାବିତ ହେବା ଆଶଙ୍କା ରହିଛି ।

ଚାକିରି ସର୍ତାବଳି ସମେତ ଅବସରକାଳୀନ ସୁବିଧା ସୁଯୋଗ ଦାବି ନେଇ ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଶିକ୍ଷକଙ୍କ କଥା ଶୁଣୁନଥିବା ଅଭିଯୋଗ କରି ସେପ୍ଟେମ୍ବର ୫ତାରିଖ ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ଏବଂ ୬ତାରିଖରୁ ସ୍କୁଲ କଲେଜରେ ତାଲା ପକାଇବାକୁ ଶିକ୍ଷକ କର୍ମଚାରୀ ମିଳିତ ମଂଚର ଧମକ ଦେଇଛି । ଏପରିକି ଆବଶ୍ୟକ ପଡିଲେ ନିର୍ବାଚନ କାର୍ଯ୍ୟକୁ ମଧ୍ୟ ପ୍ରତ୍ୟାଖାନ କରିବା ପାଇଁ ସଂଘ କହିଛି ।

ଚଳିତମାସ ୨୭ ତାରିଖରୁ ଆସନ୍ତା ମାସ ୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲାଓ୍ଵାରୀ ଅହୋରାତ୍ର ଧାରଣା ଦିଆଯିବ। ରାଜ୍ୟରେ ସମସ୍ତ ଜିଲ୍ଲାରେ ଏହି ଧାରଣା ଅନୁଷ୍ଠିତ ହେବ। ଜିଲ୍ଲାଓ୍ଵାରୀ ପାଳିରେ ଧାରଣା ଦେଉଥିବା ଶିକ୍ଷକ/ଅଧ୍ୟାପକମାନେ ଜିଲ୍ଲା ଷ୍ଟିୟରିଂ କମିଟି ଗଠନ କରିବେ ବୋଲି ମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ଶିକ୍ଷକମାନଙ୍କ ପ୍ରତି ସରକାରଙ୍କ ଏହି ଅବହେଳାକୁ ଆଗାମୀ ଦିନରେ ଜନସାଧାରଣ ଜବାବ ଦେବେ ବୋଲି ମଞ୍ଚର ଆବାହକ ପବିତ୍ର ମହଲା, ଗୋଲକ ନାୟକ ଓ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି।