ଖାତାଦେଖାରେ ଅସହଯୋଗ ପଡିବ ମହଙ୍ଗା : ୧୧୦ ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ, ରାଜଧାନୀ ମହା ସମାବେଶରେ ଆଜି ଶିକ୍ଷକଙ୍କ ଶକ୍ତି ପ୍ରଦର୍ଶନ

35

କନକ ବ୍ୟୁରୋ : ଆଜି ଭୁବନେଶ୍ୱରରେ ହେବ ଶିକ୍ଷକ ଅଧ୍ୟାପକ ମିଳିତ ମଂଚର ମହାସମାବେଶ । ବ୍ଲକ୍ ଗ୍ରାଂଟ ସ୍କୁଲ- କଲେଜର ହଜାର ହଜାର ଶିକ୍ଷକ, ଅଧାପକ ଓ କର୍ମଚାରୀମାନେ ଏହି ସମାବେଶରେ ଯୋଗ ଦେଇ ସେମାନଙ୍କର ପ୍ରତିବାଦ ଜଣାଇବେ ବୋଲି ମଂଚ ପକ୍ଷରୁ କୁହାଯାଇଛି । ସତ୍ୟପାଠ ଉଚ୍ଛେଦ ସମେତ ୬ଦଫା ଦାବି ନେଇ ଦୀର୍ଘ ଦିନ ହେବ ଶିକ୍ଷକମାନେ ଆନ୍ଦୋଳନ ଓ ଧାରଣା ଜାରି ରଖିଛନ୍ତି । ଗତକାଲି ଶିକ୍ଷକ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା । ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦୁଇ ଶିକ୍ଷାମନ୍ତ୍ରୀ ଓ ବିଭାଗର ସଚିବ ଉପସ୍ଥିତ ଥିଲେ । କିନ୍ତୁ ସମାଧାନର କୈାଣସି ନିଷ୍କର୍ସ ବାହାରିପାରିନି ।

ଯୁକ୍ତ ଦୁଇ ଖାତା ଦେଖା ମୂଲ୍ୟାୟନରେ ଅସହଯୋଗ କରିବା ଅଧାପକଙ୍କୁ ମହଙ୍ଗା ପଡିବ । ଖାତା ନ ଦେଖିବାରୁ ୧୧୦ଅଧ୍ୟାପକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏନେଇ ସରକାରୀ ନିର୍ଦ୍ଦେଶନାମା ଜାରି କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ବେସରକାରୀ ଅନୁଦାନପ୍ରାପ୍ତ ୬୮ଟି କଲେଜର ପରିଚାଳନା କମିଟିକୁ ଚିଠି ଲେଖାଯାଇଛି । ଏ ନେଇ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଗତ ସପ୍ତାହ ୨୦୦୦ ଅଧ୍ୟାପକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟ ଖାତାଦେଖା ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇଛି । କିନ୍ତୁ ଖାତାଦେଖାରେ ଅଧ୍ୟାପକ ସହଯୋଗ କରୁନାହାନ୍ତି । ତେବେ ମୂଲ୍ୟାୟନରେ ସମସ୍ୟା ନଥିବା ସିଏଚଏସଇ ପ୍ରକାଶ କରିଛି ।