ଶିକ୍ଷକ ବନାମ ସରକାର ! ରାଜଧାନୀ ରାଜରାସ୍ତାରେ ଏକାଠି ହେଲେ ହଜାର ହଜାର ବ୍ଲକ ଗ୍ରାଂଟ ଶିକ୍ଷକ ଓ ଅଧ୍ୟାପକ

27

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ଗର୍ଜିଲେ ଶିକ୍ଷକ । ବ୍ରକ୍ ଗ୍ରାଂଟ୍ ଉଚ୍ଛେଦ ଦାବିରେ କମ୍ପିଲା ଗାନ୍ଧିମାର୍ଗ । ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କୁ ନେଇ ଚାଲିଲା ମିଳିତ ମଂଚର ମହାସଂଗ୍ରାମ । ଶିକ୍ଷକଙ୍କ ଏହି ଆନ୍ଦୋଳନରେ କଲେଜ୍ ଅଧ୍ୟାପକ ଓ କର୍ମଚାରୀ ସଂଘ ସମେତ ୮ଟି ସଂଗଠନ ସାମିଲ ହୋଇଛନ୍ତି । ପ୍ରଚଣ୍ଡ ଖରାରେ ଘଂଟା ଘଂଟା ଧରି ଧାରଣା । ପରେ ବିଧାନସଭା ଆଡକୁ ମୁହାଁଇଥିଲା ଶିକ୍ଷକଙ୍କ ବିରାଟ ପଟୁଆର । ଆଉ ଶିକ୍ଷକଙ୍କ ପୁଂଜିଭୂତ ଅସନ୍ତୋଷକୁ ରୋକିବାକୁ ଯାଇ ରଣକ୍ଷେତ୍ର ପାଲଟିଥିଲା ରାଜଧାନୀ ରାଜରାସ୍ତା । କିଛି ସମୟ ପାଇଁ ଧସ୍ତାଧସ୍ତି ହୋଇଥିଲେ ପୋଲିସ ଓ ବିକ୍ଷୋଭକାରୀ । ଆଉ ଶିକ୍ଷକଙ୍କ ମୁହଁରେ ଥିଲା ଗୋଟିଏ ଦାବି, ବ୍ଲକଗ୍ରାଂଟ୍ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ।

୨୦୦୪, ୨୦୦୮, ୨୦୧୩ ଓ ୨୦୧୪ ରେ ଶିକ୍ଷକଙ୍କ ଦାବି ପୂରଣ ପ୍ରତିଶ୍ରୁତି ଦେଇ ସରକାର ଆଣିଥିଲେ ନୂଆ ନୂଆ ନିୟମ । ଯାହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଶିକ୍ଷକ ସଂଘ । ନଚେତ୍ ସରକାରଙ୍କୁ ସବୁଠି ଘେରିବା ସହ ସବୁକାମରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି । ଏପରିକି ପାଠପଢା ବନ୍ଦ କରିବାକୁ ସଫା ସଫା କହିଛି ଶିକ୍ଷକ ମହାସଂଘ । ଆଜିଠାରୁ ଅହୋରାତ୍ର ଧାରଣାରେ ବସିଛନ୍ତି ଶିକ୍ଷକ । ଆଗକୁ ମନ୍ତ୍ରୀ ଓ ବିଧାୟକଙ୍କୁ ଘେରିବାକୁ ସଂଘ ନିଷ୍ପତି ନେଇଛି ।

କେତେବେଳେ ପରୀକ୍ଷା ତ ଆଉ କେତେବେଳେ ଖାତା ଦେଖା, ଛାତ୍ରଛାତ୍ରୀଙ୍କ ଅତି ଗୁରୁତ୍ୱପୂଣ୍ଣ ସମୟରେ ସ୍କୁଲ ଓ ପାଠପଢା ଛାଡି ରାଜରାସ୍ତାକୁ ଆସିଯାଆନ୍ତି ଶିକ୍ଷକ । ରାଜଧାନୀରେ ଦିନ ଦିନ ଧରି ଚାଲେ ଧାରଣା, ପ୍ରତିବାଦ ସଭା ଓ ଶୋଭାଯାତ୍ରା । ଆଉ ଏହାରି ଭିତରେ ବ୍ୟାହତ ହେଉଛି ପିଲାଙ୍କ ପାଠପଢା ।