ଗୋଟିଏ ପଟେ ସପ୍ତମ ବେତନ କମିଶନ ଅନ୍ୟପଟେ ଶିକ୍ଷକଙ୍କ ଆନ୍ଦୋଳନ ! ପୂର୍ଣ୍ଣ ଅନୁଦାନ ଦାବିରେ ୧୫ ଦିନ ହେବ ବିକ୍ଷୋଭ ଜାରି

35

କନକ ବ୍ୟୁରୋ : ଗୋଟିଏ ପଟେ ସପ୍ତମ ବେତନ କମିଶନ ଅନ୍ୟପଟେ ଟଙ୍କା ପାଇଁ ଶିକ୍ଷକଙ୍କ ଆନ୍ଦୋଳନ । ସପ୍ତମ ବେତନ କମିଶନ ଲାଗୁ କରି ସରକାର ରାଜକୋଷ ଉପରେ ୪ ହଜାର ୫ ଶହ କୋଟିର ବୋଝ ସହିବେ । ୧୫ ଦିନ ହେଲା ରାସ୍ତାରେ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ପାଇଁ ଯେପରି ସରକାରଙ୍କ ପାଖରେ ୮ ଶହ କୋଟି ନାହିଁ । ବାରମ୍ବାର ବିଫଳ ହେଉଛି ଆଲୋଚନା । ଆନ୍ଦୋଳନରତ ଶିକ୍ଷକ ଓ ଅଧ୍ୟାପକଙ୍କ ସହ ମଂଗଳବାର ଦ୍ୱିତୀୟ ଥର ପାଇଁ ଆଲୋଚନା କରିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀ ।

ହେଲେ ସମାଧାନର ବାଟ ବାହାରିପାରିନି । ସରକାର ବ୍ଲକଗ୍ରାଂଟ ଉଚ୍ଛେଦ କରିବାକୁ ରାଜି ଅଛନ୍ତି ହେଲେ ଅନ୍ୟ ଚାକିରି ସର୍ତାବଳୀ ମାନିବାକୁ ଅମଙ୍ଗ ହେଉଥିବା ଶିକ୍ଷକ ସଂଘ କହିଛି । ଫଳରେ ରାଜରାସ୍ତାରେ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ସଂଘ ନିଷ୍ପତି ନେଇଛି । ଆଜି ପୁଣି ସରକାରଙ୍କ ସହ ବୈଠକ ହେବା ସମ୍ଭାବନା ରହିଛି ।

ପ୍ରକୃତ ପକ୍ଷେ କହିବାକୁ ଗଲେ ୨୦୦୪ ମସିହା ଫେବୃଆରୀ ୫ ତାରିଖରୁ ସରକାର ବ୍ଲକଗ୍ରାଂଟ ବ୍ୟବସ୍ଥା ଲାଗୁ କରିଛନ୍ତି । ଓଡିଶାରେ ହିଁ ଏହି ଏକମାତ୍ର ବ୍ୟବସ୍ଥା ଲାଗୁ ହୋଇଛି । ଆଉ ଆରମ୍ଭ ଦିନଠାରୁ ଶିକ୍ଷକସଂଘ ଏହାକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି । ୧୫ ଦିନ ହେଲା ଆନ୍ଦୋଳନ ଚାଲିଛି କିନ୍ତୁ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନାହିଁ । ବଡ ପ୍ରଶ୍ନ ହେଉଛି ସରକାର ନିଦ କେବେ ଭାଙ୍ଗିବ । ଆଲୋଚନା ବାରମ୍ବାର ବିଫଳ ହେଉଛି କିନ୍ତୁ ସରକାର କାହିଁକି ଚେତୁନାହାନ୍ତି । ଏପରି କରିବା ଦ୍ୱାରା ଶିକ୍ଷା ବ୍ୟବସ୍ଥା ବିଗିଡ଼ିବା ସହ ହଜାର ହଜାର କୋମଳମତି ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର ।