ସରକାରଙ୍କ ସର୍ତ୍ତକୁ ନେଇ ଖପ୍ପା ହେଲେ ବ୍ଲକଗ୍ରାଂଟ ଶିକ୍ଷକ ! ପୁରୀରୁ ବାହାରିଲା ବ୍ଲକଗ୍ରାଂଟ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ପଦଯାତ୍ରା

66

କନକ ବ୍ୟୁରୋ : ସରକାରଙ୍କ ଚାକିରି ସର୍ତ୍ତାବଳୀ ବିରୋଧରେ ଗର୍ଜିଲେ ଶିକ୍ଷକ । ପୁରୀରେ ହଜାର ହଜାର ଶିକ୍ଷକ ଓ କର୍ମଚାରୀ କରିଛନ୍ତି ପ୍ରତିବାଦ ଶୋଭାଯାତ୍ରା । ସରକାରଙ୍କ ଚାକିରି ସର୍ତ୍ତାବଳୀରେ ରହିଛି, କୌଣସି ଅଭିଯୋଗ ନେଇ ସରକାରଙ୍କ ବିରୋଧରେ କୋର୍ଟକୁ ଯାଇପାରିବେ ନାହିଁ ଶିକ୍ଷକ । ଯାହାକୁ ବିରୋଧ କରି ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାର ଶିକ୍ଷକ ଓ କର୍ମଚାରୀ ।

ଚାକିରି ସର୍ତ୍ତାବଳୀ ବିରୋଧରେ ଗ୍ରାଂଟ୍ ଇନ୍ ଏଡ୍ ଶିକ୍ଷକଙ୍କ ପ୍ରତିବାଦ ଶୋଭାଯାତ୍ରା । ପୁରୀ ଶରଧାବାଲିରୁ ବାହାରିଛି ଓଡ଼ିଶା ସ୍କୁଲ କଲେଜ୍ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚର ବିଶାଳ ରାଲି । ଚାକିରି ସର୍ତ୍ତାବଳୀ ସତ୍ୟପାଠ ବିରୋଧରେ ଏକାଠି ହୋଇଛନ୍ତି ପ୍ରାୟ ୧୦ ହଜାର ଶିକ୍ଷକ ଓ କର୍ମଚାରୀ । ସପ୍ତମ ବେତନ କମିଶନ ଲାଗୁ ଦାବିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଶିକ୍ଷକ । ଗତ ବର୍ଷ ଅଗଷ୍ଟ ମାସରେ ବ୍ଳକଗ୍ରାଂଟ୍ ଶିକ୍ଷକଙ୍କ ଆନ୍ଦୋଳନ ପରେ ବ୍ଳକ ଗ୍ରାଂଟ୍ ହଟାଇ ଗ୍ରାଂଟ୍ ଇନ୍ ଏଡ୍ ଘୋଷଣା କରିଥିଲେ ସରକାର । ଏହା ପରେ ଆନ୍ଦୋଳନରୁ ଓହରି ଯାଇଥିଲା ମିଳିତ ଶିକ୍ଷକ ମଂଚ । ହେଲେ ଗ୍ରାଂଟ୍ ଇନ୍ ଏଡ୍ ସୁବିଧା ପାଇବାକୁ ହେଲେ ଏବେ ଚାକିରିରେ ସର୍ତ୍ତ ଯୋଡିଛନ୍ତି ସରକାର ।

କ’ଣ ରହିଛି ଚାକିରି ସର୍ତ୍ତାବଳୀ?
– ଜାନୁଆରୀ ୧, ୨୦୧୮ରୁ ଲାଗୁ ହେବ ‘ଗ୍ରାଣ୍ଟ ଇନ୍ ଏଡ୍’
– ‘ଗ୍ରାଣ୍ଟ ଇନ୍ ଏଡ୍’ରେ ଥିବା ସବୁ ସର୍ତ୍ତକୁ ମାନିବେ ଶିକ୍ଷକ
– ଏହା ବିରୋଧରେ କୋର୍ଟରେ ମାମଲା କରିପାରିବେନାହିଁ
– କୋର୍ଟ ଓ ଟ୍ରିବ୍ୟୁନାଲରେ ଥିବା ପୁରୁଣା ମାମଲା ଉଠାଇନେବେ
– ଏ ନେଇ କୋର୍ଟ ପେପରରେ ସତ୍ୟପାଠ ଦାଖଲ କରିବାକୁ ପଡିବ
– କୌଣସି ତଥ୍ୟ ଭୁଲ ଥିଲେ ‘ଗ୍ରାଣ୍ଟ ଇନ୍ ଏଡ୍’ରେ ମିଳିଥିବା ଟଙ୍କା ଫେରସ୍ତ ନିଆଯିବ

ଯେଉଁ ଶିକ୍ଷକ ଓ କର୍ମଚାରୀ ସର୍ତ୍ତାବଳୀରେ ସ୍ୱାକ୍ଷର କରିବେନାହିଁ, ସେମାନଙ୍କୁ ମିଳିବ ନାହିଁ ଗ୍ରାଂଟ୍ ଇନ୍ ଏଡ୍ ସୁବିଧା । ସରକାରଙ୍କ ଏହି ସର୍ତ୍ତକୁ ନେଇ ତାତି ଉଠିଛି ବାହାରିଛି ଓଡ଼ିଶା ସ୍କୁଲ କଲେଜ୍ ଶିକ୍ଷକ ଓ କର୍ମଚାରୀ ମିଳିତ ମଂଚ । ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷା କର୍ମଚାରୀ ପୁରୀରୁ ଆରମ୍ଭ କରିଛନ୍ତି ବିଶାଳ ରାଲି । ଗୁରୁବାର ଏହି ପଦଯାତ୍ରା ଭୁବନେଶ୍ୱରରେ ପହଂଚିବା ପରେ ଲୋୟର ପିଏମଜିରେ ମହା ସମାବେଶ ଅନୁଷ୍ଠିତ ହେବ । ଲୋୟର ପିଏମଜିଠାରେ ପ୍ରାୟ ୫୦ହଜାର ଶିକ୍ଷକ ଓ ଶିକ୍ଷା କର୍ମଚାରୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବେ ମିଳିତ ମଂଚ ।