କାମ ଦେଉନାହିଁ ସଚେତନତା । ଡାହାଣୀ ସନ୍ଦେହରେ ମଧୁପୁରରେ ୨ ଜଣଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ

51

କନକ ବ୍ୟୁରୋ : ରାଜ୍ୟ ସରକାର ଆଇନ କଲେ। ଜନ ସଚେତନତା ମଧ୍ୟ କରାଗଲା। ଏହାର ସାମାନ୍ୟତମ ପ୍ରଭାବ ତୃଣମୂଳସ୍ତରରେ ପଡୁନାହିଁ। ଡାଆଣୀ ସନ୍ଦେହରେ ଗତକାଲି ରାଜ୍ୟରେ ଆଉ ଦୁଇଟି ମୁଣ୍ଡ ଗ଼଼ଡିଛି। ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ଗତକାଲି ଦିନ ଦିପହରରେ ଦୁଇଜଣ ବୃଦ୍ଧାଙ୍କୁ ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ, ସାବତ ମାଆ ମଧ୍ୟ ତୀରବିଦ୍ଧ ହୋଇ ଏବେ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

 

ଖବର ମୁତାବକ, ସ୍ଥାନୀୟ ମଧୁପୁର ଗ୍ରାମର ବସେନ ବାସ୍କେ(ବଟେ)ଙ୍କ ପୁଅ ଶ୍ୟାମ ବାସ୍କେ(୩୦) ଗତ ୫ବର୍ଷରୁ ଊର୍ଧ୍ୱ ହେବ ବିବାହ କରିଥିଲେ। କିନ୍ତୁ ବାରମ୍ବାର ତାଙ୍କ ପତ୍ନୀଙ୍କର ଗର୍ଭପାତ ହେଉଥିଲା। ଏ ନେଇ ଚିକିତ୍ସା ବିଜ୍ଞାନର ସାହାଯ୍ୟ ସେ ନେଇଥିଲେ କି ନାହିଁ, ଅଥବା ଡାକ୍ତର ତାଙ୍କୁ କଣ ପରାମର୍ଶ ଦେଇଥିଲେ, ତାହା ଅଲଗା କଥା। ମାତ୍ର ଅନ୍ଧବିଶ୍ୱାସ ତାଙ୍କୁ ଏମିତି ଘାରିଥିଲା ଯେ ଗର୍ଭପାତର କାରଣ ଡାଆଣୀ ଓ ଗୁଣିଗାରେଡି କାରଣରୁ ହେଉଛି, ଏକଥା ସେ ଧରିନେଇଥିଲେ।

 

ଗତକାଲି ଦିନ ୧୨ଟା ସମୟରେ ଡାଆଣୀ ସନ୍ଦେହରେ ଗାଁର ଦୁଇ ଜଣ ବୟସ୍କ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ସେ ହତ୍ୟା କରିଥିଲେ। ଦଶରଥ ମୁର୍ମୁଙ୍କ ସ୍ତ୍ରୀ କାର୍ମୀ ମୁର୍ମୁ(୬୫) ଘରେ ଥିବା ବେଳେ ତାଙ୍କୁ ଶ୍ୟାମ କୁରାଢ଼ୀରେ ହାଣି ହତ୍ୟା କରିଥିଲେ। ସେତିକିରେ ତାଙ୍କ ରାଗ ଶାନ୍ତ ହୋଇନଥିଲା। ସ୍ୱର୍ଗତ ଗେଡା ହେମ୍ବ୍ରମଙ୍କ ସ୍ତ୍ରୀ ସୂର୍ଯ୍ୟ ହେମ୍ବ୍ରମ୍(୬୦) ଗାଁ ପକ୍କା ରାସ୍ତାରେ ଧାନ ଶୁଖାଉଥିବା ବେଳେ ଶ୍ୟାମଙ୍କ କୋପ ଦୃଷ୍ଟି ତାଙ୍କ ଉପରେ ପଡିଥିଲା। ଶ୍ୟାମ ତାଙ୍କୁ ମଧ୍ୟ କୁରାଢ଼ୀରେ ହାଣିଥିଲେ। ପୁଣି ପାଖରେ ପଡିଥିବା ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ। ସାବତ ମାଆ ଜବା ବାସ୍କେଙ୍କୁ ତୀର ମାରିଥିଲେ ଶ୍ୟାମ। ସେ ଗୁରୁତର ଆହତ ହୋଇଥିଲେ। ତିନି ତିନିଟି ଅଭାବନୀୟ କାଣ୍ଡ ଘଟାଇବା ପରେ ଶ୍ୟାମଙ୍କର ରାଗ ଯେମିତି ଶାନ୍ତ ପଡିଥିଲା। ଶ୍ୟାମ ଜାମଦା ଥାନାରେ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜାମଦା ଥାନା ପୁଲିସ୍ ଏବଂ ରାଇରଙ୍ଗପୁର ଏସଡିପିଓ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।