ଅନ୍ଧବିଶ୍ୱାସର ଆଉ ଏକ ଝଲକ । ମୃତ ଶିଶୁକୁ ବଞ୍ଚାଇବାକୁ ଚାଲିଲା ୭ ଘଣ୍ଟା ପୂଜାର୍ଚ୍ଚନା, ମୁଣ୍ଡ ଉପରେ ଜଳାଇଲେ ଦୀପ, ମୋବାଇଲରେ ବଜାଇଲେ ଗୀତ

49

କନକ ବ୍ୟୁରୋ : ଦେଖିବାକୁ ମିଳିଲା ଅନ୍ଧବିଶ୍ୱାସର ଆଉ ଏକ ଝଲକ । ତାହା ବି କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ ବରଂ ରାଜଧାନୀରୁ କେଇ ଶହ କିଲୋମିଟର ଦୂର କେନ୍ଦ୍ରାପଡାର ମହାକାଳପଡା ଅଞ୍ଚଳରେ । ଯେଉଁଠି ଜଣେ ମୃତ ଶିଶୁକୁ ବଞ୍ଚାଇବା ପାଇଁ ଦୀର୍ଘ ୬ରୁ ୭ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ଝଡାଫୁଙ୍କା ଓ ପୂଜାର୍ଚ୍ଚନା । ଆଉ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଘଟଣା ଅନୁଯାୟୀ, ମହାକାଳପଡା ଥାନା ବଳିପାଳ ଗ୍ରାମର ଶ୍ରୀଧର ପ୍ରଧାନଙ୍କ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ସାତବର୍ଷର ପୁଅ ମାନସଙ୍କ ଦେହ ରାତି ଅଧରେ ହଠାତ୍ ଅସୁସ୍ଥ ହୋଇ ଯାଇଥିଲା । ଫଳରେ ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ତେବେ ଡାକ୍ତରଙ୍କ କଥାକୁ ସହଜରେ ଗ୍ରହଣ କରିପାରିନଥିଲେ ମୃତ ଶିଶୁଙ୍କ ବାପା ।

ରାମପାଲ ବାବାଙ୍କ ଭକ୍ତ ହୋଇଥିବା ଯୋଗୁଁ ତାଙ୍କ ଶିଷ୍ୟଙ୍କ ନିର୍ଦ୍ଦେଶରେ ନିଜ ୭ ବର୍ଷର ପୁଅକୁ ପୁଣିଥରେ ବଞ୍ଚାଇବା ପାଇଁ ଆରମ୍ଭ ହୋଇଥିଲା ପୂଜାପାଠ । ମୃତ ଶିଶୁର ମୁଣ୍ଡ ଉପରେ ଦୀପ ଓ ମୋବାଇଲରେ ଗୀତ ବଜାଇ ଦୀର୍ଘ ପାଞ୍ଚ ଘଣ୍ଟା କାଳ ପୂଜା ଚାଲିଲା । ଆଶା ଥିଲା ପୁଣିଥରେ ଫେରି ଆସିବ ପୁଅ । କିନ୍ତୁ ରାମପାଲଙ୍କ ବାବାଙ୍କ ଶିଷ୍ୟଙ୍କର ଅସଲ ଚେହେରା ପଦାରେ ପଡିଥିଲା । ଆଖି ଖୋଲିନଥିଲା ମୃତ ଶିଶୁ । ଅନ୍ୟପଟେ ଗ୍ରାମରେ ଶବ ପଡି ରହି ଥିବାରୁ ସାଇପଡିଶାରେ ରୋଷେଇ ବନ୍ଦ ହୋଇ ଯାଇଥିଲା । ପରେ ଗ୍ରାମବାସୀ ମୃତ ଶିଶୁର ଶବ ଶକ୍ରାର କରିବାକୁ ଜିଦ ଧରିବାରୁ ପରିବାର ଲୋକ ଓ ରାମପାଲ ବାବାଙ୍କ ଶିଷ୍ୟଙ୍କ ସହ ଯୁକ୍ତିତର୍କ ହୋଇଥିଲା । ତେବେ ଉତ୍ୟକ୍ତ ଲୋକ ଭୁଆଁ ବୁଲାଉଥିବା ରାମପାଳ ଶିଷ୍ୟଙ୍କୁ ମାଡ ମାରିବା ପରେ ସେମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।