ଜୋର ଧରିଲା କମ୍ବଳ ବାଂଟିବା ପଲିଟିକ୍ସ : ବିଜେଡିକୁ ଟାର୍ଗେଟ କଲା ବିଜେପି

28

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଲାଲପାରା ନିକଟରୁ ଜବତ ହେଲା ଏକ କମ୍ବଳ ବୋଝେଇ ଟ୍ରକ । ବିଜେପି କର୍ମୀମାନେ ପ୍ରଥମେ ଟ୍ରକଟିକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଆଗକୁ ପଂଚାୟତ ନିର୍ବାଚନ ଥିବାବେଳେ ଏତେ ସଂଖ୍ୟକ କମ୍ବଳ କାହିଁକି ଆସିଛି ସନ୍ଦେହ ହେବାରୁ ପୁଲିସକୁ ଖବର ଦିଆଯାଇଥିଲା ।

ରାଜ୍ୟ ବିଜେପି କିନ୍ତୁ ଏହାକୁ ପ୍ରମୁଖ ରାଜନୈତିକ ପ୍ରସଙ୍ଗ କରିଛି । ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି ଛତା, ଜୋତା ଓ କମ୍ବଳ ବାଂଟିବା ବିଜେଡିର ପୁରୁଣା ଅଭ୍ୟାସ ବୋଲି ଦଳ କହିଛି । ତେଣୁ ଏତେ ସଂଖ୍ୟାରେ କମ୍ବଳ ଟ୍ରକରେ ଲୋଡ ହୋଇ କାହିଁକି ଉମରକୋଟ ଆସିଥିଲା ବୋଲି ଦଳ ପ୍ରଶ୍ନ କରିବା ସହ ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହୋଇଛି । ଆଗକୁ ପଂଚାୟତ ଭୋଟ ଥିବା ବେଳେ ଏଭଳି କମ୍ବଳ ବାଂଟିବା ପାଇଁ ବିଜେଡିର ପ୍ରୟାସ, ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ବୋଲି କହିଛି ବିଜେପି ।

ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି ଏବେ ଶୀତଦିନ, ତେଣୁ ଆଦିବାସୀ ଅଧ୍ୟୁସିିତ ନବରଙ୍ଗପୁର ଜିଲ୍ଲାର ଉମରକୋଟରେ ଏସବୁ କମ୍ବଳ ଭୋଟରଙ୍କୁ ବଂଟିବା ପାଇଁ ଆଣିଥିଲା । ଉମରକୋରଟ ବିଜେଡି ବିଧାୟକ ସୁବାସ ଗଣ୍ଡଙ୍କ ନେତୃତ୍ୱରେ ଏହି କାର୍ଯ୍ୟ କରାଯାଇଛି ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି । ତେଣୁ ବିଧାୟକ ସୁବାସ ଗଣ୍ଡଙ୍କୁ ତୁରନ୍ତ ଗିରଫ କରିବାକୁ ଦଳ ଦାବି କରିଛି ।